ବିବାହ ପ୍ରହସନ
ବିବାହ ନାମରେ ଚାଲେ ପ୍ରହସନ
ପ୍ରତିଯୋଗିତା କି ସତେ,
ଚିକେନ ମଟନ ଭଳି ଭଳି ଖାଦ୍ୟ
ଖାଇଥାନ୍ତି କିଏ କେତେ।
ଆତସବାଜିରେ ଫାଟିପଡେ କାନ
ବରଯାତ୍ରୀ ସାଜ୍ଜସଜା,
ରଙ୍ଗବତୀ ଗୀତ ତାଳେ ତାଳେ ନୃତ୍ୟ
ନାହିଁ ସେ ତେଲିଙ୍ଗି ବାଜା।
ନାଲି ପାଣି ପିଇ ବରଯାତ୍ରୀ କେତେ
ଘଟାଅନ୍ତି ଅଘଟଣ,
ଝିମିଟି ଖେଳରୁ ମହାଭାରତ ଯେ
ସବୁ ହୁଏ ଅକାରଣ।
ଚିକଣଚାକଣ ଆଲୋକର ସଜ୍ଜା
ପଇସା ହୋଇଛି ବୁଣା,
ବାହାଘର ପରେ ବେଦୀ ମୁହଁ ପୋଡା
ମୂଲ୍ୟହୀନ ହୁଏ ଗଣା।
ପରମ୍ପରା ନାମେ ଚାଲୁଛି ଶୋଷଣ
କନ୍ୟା ପିତା ମୁଣ୍ଡ ଟିଣ,
କେମିତି କରିବ ସିଏ କନ୍ୟା ଦାନ
କେମିତି ସୁଝିବ ଋଣ।
ଧନୀ ପାଖେ ଅଛି ପଇସା ଅମାପ
ନଥାଏ ତାହାର ଚିନ୍ତା,
ମଧ୍ୟବିତ୍ତ ଆଉ ଗରିବ ପାଇଁକି
ବିବାହ ଲାଗୁଛି ପିତା।
ଗରିବ ଘରେ କି ଝିଅ ଜନ୍ମ ହେବା
ଈଶ୍ବରଙ୍କ ଅଭିଶାପ,
ଯୌତୁକ ଦାଉ ବଜାରର ଭାଉ
ବଢାଉଛି ରକ୍ତଚାପ।
ହେ ଯୁବ ସମାଜ କାହିଁକି ନୀରବ
ନାରୀ ଆଜି ନିର୍ଯ୍ୟାତିତା,
ବିବାହର ନାମେ ସର୍ବଶାନ୍ତ ଆଜି
କନ୍ଯା ପିତା ଆଉ ମାତା।
ପରାଦୀପ,ଜଗତସିଂହପୁର ।
One thought on “*ବିବାହ ପ୍ରହସନ — ଅରୂପ କୁମାର ବିଶ୍ବାଳ*”