-: ପରିଚୟ :-
ଆସିଛି କୋଉଠୁ ଅଟଇ କିଏ ମୁଁ
କଣ ଅଟେ ମୋର ପରିଚୟ
ବିଶାଳ ସଂସାରେ ମାତା ପିତାଙ୍କୁ ନପାଇ
କାନ୍ଦୁ ଅଛି ମୋର ହୃଦୟ I
ଯୁଆଡେ ଚାହିଁଲେ ଦିସୁ ନାହିଁ କିଛି
ଆଜି ଘୋଟି ଯାଇଅଛି ଅନ୍ଧକାର
ବାଳୁତ ଶିଶୁ ମୁହିଁ ବୁଝିକି ପାରୁନି
କଣ ଥିଲା ଭୁଲ ମୋର I
ମାରିବାର ଥିଲା ଯଦି ମାରି ଦେଇଥାନ୍ତ
ଜନ୍ମ ଦେବାରେ କି ଅଭିପ୍ରାୟ
ଦେଲ ଯଦି ଜନ୍ମ କାହିଁ ଛାଡ଼ିଗଲ
ଏ କି ଅଟେ ତୁମ ନ୍ୟାୟ I
ବୋଝ ଭାବି ମୋତେ ଛାଡି ଚାଲିଗଲ
ମୋ କଥା ଭାବିଲ ନାହିଁ
ଅଳିଆ ଗଦାରେ ପଡ଼ି ରହିଥିଲି
କାନ୍ଦି କାନ୍ଦି ଚତୁଃର୍ଦିଗ ଚାହୁଁଥିଲି I
ଅନାଥ ଭିକାରି ନାମରେ ଯେ ଦିନେ
ଥିଲା ବୋଲି ମୋର ପରିଚୟ
ପେଟ ମୋର ଭୋକେ ଜଳି ଯାଉଥିଲା
ନପାଇ ଟିକେ ଖାଦ୍ୟ ପେୟ I
ଆଜି ବିତି ଯାଇଅଛି ଚବିଶ ବରଷ
ପାଇଅଛି ମୁହିଁ ନୂଆ ପରିଚୟ
ଜୀବନ ଯୁଦ୍ଧରେ ହୋଇ ଆଜି ଜୟ
ମନ ମୋ ହୋଇଛି ଥୟ I
କରୁଅଛି ଆଜି ରୋଗୀ ସେବା ମୁହିଁ
ପରିଚୟ ମୋର ଅଟେ ଡାକତର
ଜୀବନ ଥିବା ଯାଏଁ ସେବା କରୁଥିବି
ସଭିଙ୍କୁ ମଣି ଏକ ପରିବାର I
କବିତା ମାଧ୍ୟମେ ଛୋଟିଆ ବିନତି ମୋହର
ଦୟାକରି ସଭିଏଁ ରକ୍ଷା କର
ନାରୀତ ନୁହଁଇ ବୋଝ ଯେ କାହାର
ତାକୁ ଦିଅ ସର୍ବେ ଅଗ୍ର ଅଧିକାର
ନୁହେଁ ସେ ଅବଳା, ନୁହଁଇ ଦୁର୍ବଳା
ସେ ଅଟେ ସୃଷ୍ଟିର ଜନନୀ
ମାତା ଧାତ୍ରୀ ଜାୟା ଦୁହିତା ଭଗିନୀ
ତାଙ୍କୁ କଦାପି ଦୁରେଇ ଦିଅନି I
*******
ହୃଦୟରଂଜନ ପରିଡ଼ା
ଶ୍ରୀରାମପୁର, ଯାଜପୁର