ନିଦାଘ ସଙ୍ଗୀତ
****** *****
ୠତୁଚକ୍ରେ ଗ୍ରୀଷ୍ମ ପ୍ରଚଣ୍ଡ ଉତାପେ
ଅବନୀରେ ଅବତୀର୍ଣ୍ଣ।
ଅଂଶୁମାନ ତୀକ୍ଷ୍ଣ ଅଂଶୁଯେ ଅସହ୍ୟ
ବିଚିତ୍ର ବିଧି ବିଧାନ।।
ପୂର୍ଣ୍ଣଗର୍ଭା ଜଳଭାଗ ଶୂନ୍ୟଗର୍ଭା
ଧରା ନିଦାଘେ ନିଘନ।
ରୌଦ୍ରତାପେ ବୃକ୍ଷଲତା,ପଶୁପକ୍ଷୀ
ଜନ ଜୀବନ ଦାରୁଣ।।
କାଳ ବୈଶାଖୀର ଉଗ୍ରରୂପ ମଧ୍ୟେ
ନାଚୁଥାଏ ମେଘମାଳା।
ମଲ୍ଲୀ,ହେନା,ଚମ୍ପା ମଧୁର ସୌରଭେ
ଏ ବସୁଧା ଆତ୍ମହରା।।
ସନ୍ଧ୍ୟା ସମୀରଣେ ଶ୍ରମଜୀବୀ ପ୍ରାଣ
ଭୁଲିଯାଏ କର୍ମକ୍ଳାନ୍ତ।
ମହନୀୟ ଏହି ନିଦାଘ ପ୍ରଭାବେ
ସ୍ୱାସ୍ଥ୍ୟ ହୁଏ ରୋଗମୁକ୍ତ।।
ଅନ୍ତରର ତଳେ ପ୍ରୀତିର ଝରଣା
ନିଦାଘ ଗାଏ ସଙ୍ଗୀତ।
ଜଳଚକ୍ରେ ଆସେ ବାରିଦ ବଧୂଟି
ଢାଳେ ଧରାରେ ଅମୃତ।।
***** ***** ****** ******
(ଶ୍ରୀମତୀ ସ୍ଵପ୍ନାରାଣୀ ପାଣିଗ୍ରାହୀ,ଖୋର୍ଦ୍ଧା)
Smt.Swapnarani Panigrahi