: ମୁଁ ପୁଣି ଝରି ଯିବି

ମୋର ଅସ୍ତିତ୍ବ, କିଛି କ୍ଷଣ ମଧ୍ୟରେ
ମୁଁ ଅଲଗା ହୋଇଯିବି
ଗଛରୁ-ଡାଳରୁ-ପତ୍ର ଗହଳିରୁ-ନିଜ ଜୀବନରୁ ।
କିଛି କ୍ଷଣ ମଧ୍ୟରେ, ମୁଁ ପୁଣି ଶୋଇଯିବି
ଧରଣୀର କୋଳରେ- ଧୂଳିକଣାର ମେଳରେ
ଅନ୍ତିମ ଶଯ୍ୟାରେ ।
ମୁଁ ହଜିଯିବି,
ରାତ୍ରିର ଅନ୍ତିମ ପ୍ରହରରେ
ପ୍ରଭାତର ପହିଲି ସ୍ପର୍ଶରେ
ସୂର୍ଯ୍ୟର ପ୍ରଥମ କିରଣରେ ।।
ମୁଁ ହିଯିଯିବି
ବହୁରୂପୀ ସମୟ ପରି
ଅଭୁଲା ସ୍ମୃତିଟି ପରି
ଅପରିବ୍ୟକ୍ତ ଭାବନାଟେ ପରି
ଅଲୋଡା ଜୀବଟେ ପରି
ମୁଁ ପୁଣି ଠକି ଦେଇ ଝରି ପଡ଼ିବି
ଗଛରୁ-ଡାଳରୁ-ପତ୍ର ଗହଳିରୁ-ନିଜ ଜୀବନରୁ ।
ମୁଁ ବିଚ୍ୟୁତ ହୋଇଯିବି
ଜହ୍ନର ଉଜ୍ଜ୍ୱଳ ଯୋଛନାରୁ
ଶିଶିରର କାକର ବିନ୍ଦୁରୁ
କୁହୁଡ଼ିର ମମତାପୂର୍ଣ୍ଣ ସ୍ପର୍ଶରୁ
ପବନ ସହ ପ୍ରତିବେଶୀ ସାଜୁଥିବା ସୁ-ଗନ୍ଧରୁ
ମୁଁ ପୁଣି ଠକି ଦେଇ ଝରି ପଡ଼ିବି
ଗଛରୁ-ଡାଳରୁ-ପତ୍ର ଗହଳିରୁ-ନିଜ ଜୀବନରୁ ।
ଏଇ ତ କିଛି କ୍ଷଣ ପୂର୍ବରୁ ଜୀବନ ପାଇଥିଲି
ଆକାଶର ପ୍ରାଙ୍ଗଣରେ,
ଜହ୍ନକୁ ବଢ଼ିବାରେ ଦେଖୁଥିଲି
ଲହଡ଼ି ଭଙ୍ଗା ଯୋଛନାର
ଶରୀରକୁ ପଖାଳି ଥିଲି,
କ୍ରମାନ୍ଵୟରେ,
ଭାସମାନ ବାଦଲର,  ଚନ୍ଦ୍ର ସହ
ଲୁଚକାଳି ଦେଖୁଥିଲି
ଏଇ ତ କିଛି କ୍ଷଣ ପୂର୍ବରୁ ଜୀବନ ପାଇଥିଲି ।।
ନିଜ ମହକରେ ଆତ୍ମହରା ହେଉଥିଲି
ପ୍ରବାହେ ବିସରି, ନିଜ ଅସ୍ତିତ୍ବକୁ ଫେରୁଥିଲି
ନିଝୁମ ଶୂନ୍ୟରେ, ତାରାମାନଙ୍କ ମେଳରେ
ଉଜ୍ଜଳ ଜହ୍ନ ଆଲୁଅରେ,
ନବ୍ୟ ଜୀବନକୁ ଉପଭୋଗ କରୁଥିଲି
ଏଇ ତ କିଛି କ୍ଷଣ ପୂର୍ବରୁ ଜୀବନ ପାଇଥିଲି ।।
ଏଇ ପୁଣି ହାରିଯିବି
ନିଜ ଜୀବନରୁ ତରିଯିବି
ନିଜ ଅସ୍ତିତ୍ବକୁ ଭୁଲିଯିବି
ସମସ୍ତଙ୍କୁ ଠକି ଦେଇ
ମୁଁ ପୁଣି ଝରି ପଡ଼ିବି
ଗଛରୁ-ଡାଳରୁ-ପତ୍ର ଗହଳିରୁ-ନିଜ ଜୀବନରୁ ।
କିଛି କ୍ଷଣରେ,
ମୁଁ ପୁଣି ହରେଇ ଦେବି
ମୋ ଜୀବନକୁ
ମୋ ମହକକୁ
ମୋ ପରିଚୟକୁ ।।

କାଳି କୁମାର
ଭୋଗରାଇ, ବାଲେଶ୍ଵର

 160 total views,  1 views today

Leave a Reply

Your email address will not be published. Required fields are marked *