*ବନ୍ଦେ ଉତ୍କଳ ଜନନୀ*
*(ଚୋଖି ବୃନ୍ତେ)*
*✍️ଜାନକୀ ମହାନ୍ତ*
(ଜନନୀ ଜନମ ଭୂମି
ପବିତ୍ର ଭାରତ ଭୂମି…ସ୍ୱରରେ)
****************
ବନ୍ଦଇ ଓଡ଼ିଶା ଭୂମି
ପୂଣ୍ୟତୋୟା ସ୍ୱର୍ଗଭୂମି
ଦେଓମାଳୀ ପରବତ କଟିରେ ଶୋହେ,
ଜଗନ୍ନାଥ ଦେବୋଭୂମି
ଅଶୋକଙ୍କ କର୍ମଭୂମି
ଶଙ୍କରାଚାର୍ଯ୍ୟ ତପୋଭୂମି ଜଗତ ମୋହେ,
ମହାନଦୀ ବ୍ରାହ୍ମଣୀ ବହେ….
ସିନ୍ଧୁ ଯା’ଚରଣ ଧୁଏ ଓଡ଼ିଶା ସିଏ ।।୧।।
ତ୍ରିଦିଗରେ ରତ୍ନାକର
ବଙ୍ଗୋପ ହିନ୍ଦ ସାଗର
ପଶ୍ଚିମେ ଛତିଶଗଡ଼ ମଧ୍ୟପ୍ରଦେଶ,
ମହେନ୍ଦ୍ର ଓ ମାଲ୍ୟଗିରି
ବର୍ଦ୍ଧିତ କରନ୍ତି ଶିରୀ
ଅର୍କ ଶଙ୍ଖ ନାଭି କ୍ଷେତ୍ର କୋଣାର୍କ ଯଶ,
ମାଆ ସମଲେଇ ତାରିଣୀ….
ନୃସିଂହ ହରିଶ’ କୁଣ୍ଢେଇବୀରା ରାଣୀ ।।୨।।
ଉତ୍କଳ ମାଟିରେ ମୋର
ସୁଯୋଗ୍ୟ ଦାୟାଦ ବୀର
ଜନମିଲେ ତା’ କୋଳେ ମଧୁ ବାରିଷ୍ଟର,
ଗୋପବନ୍ଧୁ ଗଙ୍ଗାଧର
ଫକୀର ଗୌରୀଶଙ୍କର
ରାଜଗୁରୁ ବିର୍ସା ବାଜି ଧରଣୀଧର
କୃଷ୍ଣ ଚନ୍ଦ୍ର ରାଧା ଧରମା…
ବାରବାଟୀ ଦୁର୍ଗ ଯା’ର ଗାଏ ମହିମା।।୩।।
ସାଧବ ପୁଅ ବାଣିଜ୍ୟ
କୋଣାର୍କର କାରୁକାର୍ଯ୍ୟ
ମରାଳ ମାଳିନୀ ନୀଳାମ୍ବୁ ଚିଲିକାର,
ସଂସ୍କାର ସଂସ୍କୃତି ଆମ
ସାହିତ୍ୟ କଳା ଉତ୍ତମ
ଅଶୋକ ଚକ୍ର ଚିହ୍ନ ପାଇଛି ଆଦର
ହୀରାକୁଦ ରେଙ୍ଗାଳି ବନ୍ଧ
ବିଦ୍ୟୁତ୍ ଉତ୍ପାଦନେ ଅଟେ ସ୍ଵୟଂସିଦ୍ଧ।।୪।।
ମୋ ପ୍ରିୟଭୂମି ଓଡ଼ିଶା
ମଧୁର ଓଡ଼ିଆ ଭାଷା
ତ୍ରିରଙ୍ଗା ପତାକା ଯା’ପତିତପାବନ,
କୁଳୁ ଗାଏ ଯା’ ଝରଣା
ମୟୂର ନାଚଇ ଅନା
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ବନ,
ବାର ମାସେ ତେର ପରବ…
ଶ୍ରୀଗୁଣ୍ଡିଚା ଅଟେ ଆମ ଜାତି ଗୌରବ ।।
ଊନବିଂଶ ଅଡତ୍ରିଶ
ଅପ୍ରେଲ ଏକ ଦିବସ
ଉତ୍କଳ ଦିବସ ପାଳେ ସମଗ୍ର ବିଶ୍ୱ,
ଗଙ୍ଗାଠାରୁ ଗୋଦାବରୀ
ଦୀର୍ଘ ଓଡ଼ିଶା ଆମରି
ମାନ୍ୟତା ପ୍ରଦତ୍ତ ହେଲା ଓଡ଼ିଆ ଭାଷା,
ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ….
ଆମ ପରିଚୟ ଦିଏ ଆମ ପ୍ରଦେଶ।।
ମୋ’ ମା’ମାଟି ଓଡ଼ିଶା ସୁନ୍ଦର…
ମୋ’ ମିଠା ମିଠା ଭାଷା ମଧୁର…..
****************