ପ୍ରେମ *
————–ପ୍ରେମ କଣ ଜାଣେ ଜାତି ଅଜାତି? ପ୍ରେମ ଖାଲି ଜାଣେ ସମର୍ପଣ l ଏହି ଭାବ ନେଇ ବୋଧେ ସେମାନେ ଜୀବନସାଥୀ ହେବାର ସ୍ବପ୍ନ ଦେଖିଥିଲେ ଆମ ଗାଁ ବ୍ରାହ୍ମଣ ଘର ବଡ଼ ସାଆନ୍ତେ ଙ୍କ ପୁଅ ସାଗର ଏବଂ କଣ୍ଡରା ଘର ସନିଆର ଝିଅ ଶାମୁକା l
……….. ଶୈଶବର ବାଲିଖେଳ , ଯୁବ ଅବସ୍ଥାରେ କେବେ ପ୍ରେମରେ ପରିବର୍ତ୍ତିତ ହୋଇଗଲା ଉଭୟ ସେଥିପ୍ରତି ଅଜଣା ଥିଲେ,ପ୍ରେମରେ ଅନ୍ଧ ହୋଇଯାଇଥିଲେ, ସତିକା ଦୁଇ ଶରୀର ଗୋଟେ ଆତ୍ମା l କିନ୍ତୁ ଏ ସମାଜ କଣ ଗ୍ରହଣ କରିନେବ ଏତେ ସହଜରେ ଏ ସମ୍ପର୍କକୁ? ଗାଁ ସାରା ଟାହିଟାପୁରା, କଥା ଯାଇ ମନ୍ଦିର ଗୋସେଇଁ ଠୁ ଆରମ୍ଭ କରି ବଡ଼ ସାଆନ୍ତେଙ୍କ କାନରେ ପହଂଚିଲାଣି, ତଥାପି ମନ ମାନେନି ଉଭୟ ପ୍ରେମୀ ଯୁଗଳଙ୍କର, ଦିନେ ହେଲେ ପରସ୍ପରକୁ ନ ଭେଟିଲେ l
………… ସମୁଦ୍ର କୂଳ ଥିଲା ଉଭୟଙ୍କ ସବୁଠୁ ଶାନ୍ତ, ପ୍ରିୟ ଏବଂ ନିରାଳl ସ୍ଥାନ, ଆଉ ସବୁଥର ପରି ଆଜି ମଧ୍ୟ୍ୟ ବାଲିଘର ଖୋଳୁ ଖୋଳୁ, ଶାମୁକାର ସେଇ ଗୋଟେ ପ୍ରଶ୍ନ…… ସାଗର ଆକାଶର କଣ କେବେ ପୃଥିବୀ ସହ ମିଳନ ସମ୍ଭବ?….. ଆଉ ସବୁଥର ପରି ସାଗର କହେ କାହିଁକି ନୁହେଁ??……. ହେଇ ଦେଖନି ଶାମୁକା, ତୋ ଆଖି ଯେତେଦୂର ଯାଉଛି ସେତେ ଦୂରେ ତାଙ୍କ ମିଳନ, କଣ ଓଲି ଦେଖି ପାରୁଛୁ ନା ନାହିଁ? ଶାମୁକା ଲାଜେଇ ଯାଏ l
………… ଆଜି ସାଆନ୍ତେ, ଗୋସେଇଁ ମିଶିକରି ସନିଆ କଣ୍ଡରାକୁ ଡକାଇ କଣ କେଜାଣି ଗୁମର କଥା ହେଲେ କାନ୍ଥବାଡ କୁ ଅଜଣା, କିନ୍ତୁ ତା ପର ଦିନ ଶାମୁକାର ଝୁଲା ମର ଶରୀର ଘର ପଛପଟ ତେନ୍ତୁଳି ଗଛରୁ ମିଳିଲା l କଥାଟା ଚାରିଆଡେ ତୀବ୍ର ବେଗରେ ଭାସିଗଲା, ସାଗର ଶୁଣି କିଛି ବୁଝି ପାରୁନଥିଲା, କାନ୍ଦି ବାଡେଇ ହୋଇ ଆସିବାକୁ ଚାହିଁଲେ ମଧ୍ୟ୍ୟ ବାହାର ପଟୁ କୋଲବ ପଡିଥିଲା l ଶେଷଥର ପାଇଁ ମଧ୍ୟ୍ୟ ଦେଖି ପାରିନଥିଲା ତା ଶାମୁକା କୁ ସେ l ହୋଇ ଯାଇଥିଲା ସବୁଦିନ ପାଇଁ ନିର୍ବାକ, ନିଶବ୍ଦ, ନିର୍ଜୀବ ସଦୃଶ l
…….. ଆଜିକୁ ବରଷେ ହୋଇଗଲାଣି ସାଗର ମୁହଁରୁ ପଦେ କେହି କେବେ କିଛି ଶୁଣି ନାହାନ୍ତି, ପୂରା ପୁରା ଦିନ ସେଇ ସମୁଦ୍ର କୂଳରେ ବସେ, ବାଲିଘର ଗଢି ଗଢି ହସେ, କାନ୍ଦେ, ବାଲିରେ ଗଡି ହୋଇ ପାଗଳଙ୍କ ପରି ପ୍ରଳାପ କରେ, ଖୋଜେ ତା ଶାମୁକାକୁ l ଆଜି “ସମୁଦ୍ରକୂଳରେ ବାଲିଘରଟେ ତିଆରିବାକୁ ବାଲିରେ ଗାତ ଖୋଳୁଥିଲାବେଳେ ତା ହାତରେ କିଛି ଶକ୍ତ ଜିନିଷଟେ ବାଜିଲା, ଭଲକି ବଡ଼ ବଡ଼ କରି ଆଖି ଦେଖେ ତ ବଡ଼ ଶାମୁକାଟିଏ ଚିକ ଚିକ କରୁଥାଏ , କଣ ଭାବୁଥିଲା କେଜାଣି ସତିକା ଯେମିତି ତା ଶାମୁକାର ମୁହଁ ଜଳ ଜଳ କରି ସେ ଦେଖି ପାରୁଥିଲା ତା ଭିତରେ, ଧାର ଧାର ଲୁହ ବହି ଯାଉଥିଲା, ଛାତିରେ ଧରି କଇଁ କଇଁ କରି ଛୁଆଙ୍କ ପରି କାନ୍ଦୁଥିଲା, ଛାତିରେ ବସା ବାନ୍ଧିଥିବା କୋହ ଗୁଡାକ ବାହାରି ପଡୁଥାଏ, ଆଉ ଦୂରୁ ଦେଖା ଯାଉଥିଲା ତାକୁ ଆକାଶ ଏବଂ ସୁବର୍ଣ୍ଣ ସମୁଦ୍ରର ମିଳନ, ପାଦ ଗୁଡିକ ଆପେ ଆପେ ତାର ଅଗ୍ରସର ହେଉଥିଲା ସେ ନୀଳ ସମୁଦ୍ର ଆଡକୁ l ଦେଖିପାରୁଥିଲା ସେ ଶାମୁକାର ଆଲିଙ୍ଗନ ଭରା ଅପେକ୍ଷାକୁ ,କହି ଚାଲିଥିଲା ସାଗର……. “ହଁ ଶାମୁକା ଦେଖ ଆଜି ଆକାଶ, ପୃଥିବୀର ମିଳନ ହୋଇଛି ଏବଂ ସାଗର, ଶାମୁକାର ମଧ୍ୟ୍ୟ, ଧୀରେ ଧୀରେ ଲିର୍ଣ ହୋଇଯାଉଥିଲା ସାଗର,ସାଗରର ନୀଳ ଢେଉ ଭିତରେ l
ପଛରୁ କିଛି ଲୋକେ ହୁରି ପକାଉଥାନ୍ତି
“ସାନ ସାଆନ୍ତେ ଭାସିଗଲେ ହୋ ଦୌଡି ଆସ ”
ବନସ୍ମିତା ପଣ୍ଡା (9937940863)
କୁନ୍ଦଳ, କଉଡ଼ିକଲ
ସୂଂଗୁଡା – 754296
ଚଣ୍ଡିଖୋଲ, ଯାଜପୁର