କିଛିକ୍ଷଣ
©ବିନୟ କୁମାର ମହାନ୍ତି
ତିମିର, ତୃଷ୍ଣା,ତିତିକ୍ଷା
ଓ ତପଶ୍ଚରଣ
ପ୍ରେମ, ପ୍ରାର୍ଥନା,ପ୍ରତ୍ୟୟ
ଓ ପ୍ରତାରଣା
ଗୋଟିଏ ବଗିଚାର ଫୁଲ।
ଏକାପରି ମଉଳା
ପାଖୁଡ଼ା ମାନେ ମୁହଁ ମାଡି
ପଡିଥାନ୍ତି ମାଟିରେ
ସକାଳକୁ।
କେବେ ଆମ ମାତାଲ୍ ହାତ
ପିଲାଦିନର ପଳାସ ବଣରେ
କୁଣ୍ଢେଇ ପକେଇ ଥିଲା
କେଉଁ ଅଶରୀରୀର ଦେହ,
ପାପାଗ୍ନିରେ ଜଳନ୍ତା ଅଙ୍ଗାରକୁ
ମୁଠେଇ ପକେଇଥିଲା
ପ୍ରାର୍ଥନାର ପାପୁଲି,
ତାହା ଆଉ ପ୍ରସଙ୍ଗ ହୋଇ ନାହିଁ।
କେଇ ପାହୁଣ୍ଡ ଅଧିକ ଚାଲିଯିବା
ଅଧା ବାଟରୁ ଓହ୍ଲେଇ ଆସିବା
ଗାଡିରୁ ଆଉ ବୋଧେ
କିଛି ଭିନ୍ନ ଅର୍ଥ ରଖେ ନାହିଁ।
ଆଉ କିଛିକ୍ଷଣ,
ହୁଏତ ଲିଭିଯିବ ସବୁ ଆଲୁଅ
ଆମେ ଚିହ୍ନି ପାରିବାନି
କେହି କାହାର ମୁହଁ
ଆମେ ଅଣ୍ଡାଳି ହେଉ ଥିବା
ପରସ୍ପରର ଓଠ
କୋଉଠି ରଖି ଦେଇଥିବା
ଚାବି କି ପର୍ସ ଖୋଜିବାକୁ
ଆମେ ପାଉନଥିବା
ଆମର ଚଷମା
ପରସ୍ପରକୁ ପୋତି ପକଉଥିବା
ଅଭିଯୋଗ ଅଭିସଂପାତରେ।
ସମୟ ଏତେ ହେମାଳ
ହୋଇ ଯାଇଥିବ ଯେ
ଆଲୁଅ ଟିକକ ପାଇଁ
ଦିଆସିଲିର ସବୁ କାଠି
ସରିଯାଉ ଥିବ,ତଥାପି
ଅନ୍ଧାର ହଟୁନଥିବ।
ବଗିଚାରେ ପାଣି ଦେବା କଥା
ଆମେ ଭୁଲିଯାଉଥିବା
ଗଛ ପତ୍ର ଝାଉଁଳି ପଡୁଥିବ
ଆମ କାନ୍ଦ ବନ୍ଦ ହେଉନଥିବ।
ଆଉ କିଛିକ୍ଷଣ
ଆମ ସ୍ନାୟୁ ର ସଳିତାରେ
ନିଆଁ ଧରେଇ ପାରନ୍ତେନି
ଫୁଲଟିଏ ହୋଇ
ଫୁଟି ପାରନ୍ତେ ନାହିଁ
କେହି ନଥିବା
ଅନ୍ଧାରର ଅଗଣାରେ!
—————————–
ବିଭାଗୀୟ ମୁଖ୍ୟ, ପ୍ରାଣୀବିଜ୍ଞାନ
ମଧୁପୁର କଲେଜ,କଲଣ
ଯାଜପୁର
ମୋ-୯୪୩୮୧୪୦୯୯୯
————————————-
868 total views, 1 views today
The clothes are great
I feel very good, very good, but the time is a bit difficult to adjust, I feel good,