🌱
ଜଙ୍ଗଲ ସେ ତ ପ୍ରକୃତି କନ୍ୟା
ବିଚିତ୍ରବେଶା ବିଶ୍ଵ ବିନ୍ଧାଣି ମଧ୍ୟେ ଜଙ୍ଗଲ ସେ ତ ପ୍ରକୃତି କନ୍ୟା,
ବୃକ୍ଷଲତାରେ ପରିପୂର୍ଣ୍ଣ ହୋଇ ଲୀଳାମୟୀ ସେ ଅଟେ ଅନନ୍ୟା,
ସୁଖ-ସ୍ଵାଚ୍ଛନ୍ଦ୍ୟ ଓ ଜୀବସତ୍ତା ଭରିଦେଲା ନିଃସ୍ଵାର୍ଥପର ହୋଇ,
ଜୀବନ ଓ ଯନ୍ତ୍ରଣାର ସ୍ଵରଲିପି ମଧ୍ୟେ ତା’ ଋଣ ସୁଝି ପାରିବେନି କେହି ।
ଦେଖି ସବୁଜିମା ସୌନ୍ଦର୍ଯ୍ୟ ପ୍ରକୃତି କନ୍ୟାର ମନହେଲା ମୁଗ୍ଧକର,
ଅଶ୍ରୁ-ବିଷାଦ ମଧ୍ୟେ ସଭିଙ୍କୁ ପାଳିଛି ନ କରି କେବେ ଅନ୍ତର ପାନ୍ତର,
ମୃତ୍ୟୁ ସଞ୍ଜୀବନୀ ସଭିଙ୍କୁ ଯୋଗାଇ ଗଢିଛି ସଭିଙ୍କ ଜୀବନ,
ମୁକ୍ତ ହରିଣର ସ୍ଵଚ୍ଛନ୍ଦ ଗତିଭଙ୍ଗୀ ଜିଣି ନେଇଯାଏ ମନ ।
ପ୍ରକୃତି ଅଙ୍ଗନେ ବଢାଇଲା ଶୋଭା ପ୍ରକୃତି କନ୍ୟାର ବେଶ,
ମର୍ତ୍ତ୍ୟରୁ ସ୍ଵର୍ଗ ସବୁଠି ଚର୍ଚ୍ଚିତ ଆମ ବୃକ୍ଷରାଜି ଦୃଶ୍ୟ,
ପ୍ରକାଶିତ କରେନି ନିଜର ଅଶ୍ରୁ ଅନ୍ୟ କାହାରି ପାରୋଶେ,
ପ୍ରକୃତି କନ୍ୟା ହିଁ ଦୃଢ ସ୍ତମ୍ଭ ଅଟେ ଦେଶର ପ୍ରଗତି ଓ ବିକାଶେ ।
ସୌନ୍ଦର୍ଯ୍ୟ ଗନ୍ତାଘରେ ସୃଷ୍ଟି ହେଲା ଆଜି ନୂତନ ଏକ ପରିଚୟ,
ଆଦିମାତା ସେହି ପ୍ରକୃତି କନ୍ୟା ପାଶେ ସର୍ବଦା ଆମେ ନମନୀୟ ।
©ସୌମ୍ୟାଶ୍ରୀ ନାୟକ
ପାପଡାହାଣ୍ଡି, ନବରଙ୍ଗପୁର