ନିରୁପାୟ
======
ଅସ୍ମିଲ୍ କୁମାର
ଉପାୟଶୁନ୍ୟ ଆଜି ଏ ହୃଦୟଟା
ବିଚଳିତ ତନୁ ମନ,
ହରେଇକି ଖୋଜେ ନିର୍ଭିକପ୍ରାୟ ସେ
ହୋଇଛି ଯେ ଅବସାନ |
ଦେଖୁଛି ଶୁଣୁଛି ପରୋକ୍ଷ ଜାଣୁଛି
ହେଲେ କି କରିବ ଆଉ,
ହାତ ଗୋଡ଼ ବନ୍ଧା ଏ ଶରୀରଟା
ନାହିଁ ତାର କିଛି ଭାଓ |
କରିଦେଇଛି ସେ ମସ୍ତ ବଡ ତ୍ରୁଟି
ହାରିଛି ମହା ସୁଯୋଗ,
ଅନୁତାପ କରି ଜଳନ୍ତା ନିଆଁରେ
ଜଳୁଛି ଅନ୍ତର ଭାଗ |
ଆପଣା ଆୟତ୍ତ ଆଉ କେ ଛଡେଇ
ନେଇ ଯାଏ ହାତ ଧରି,
ମୁକ ବଧିର ପ୍ରାୟ ଅବାକ ହୋଇ ସେ
ଚାହିଁ ଥାଏ ଅନ୍ଧ ପରି |
ସମୟକୁ ଦେଇ ପଛକୁ ଫେରେଇ
ଖୁଜିବୁଲେ ବର୍ତମାନ,
ଅତୀତ ଆଉ କି ସାଜିବ ସଙ୍ଗିନୀ
ହୋଇବ ପୁନଃ ମିଳନ |
ଭବିଷ୍ୟତ ବନ୍ଧୁ ସଦା କଳ୍ପନାରେ
ରହିଲା ସପନ ହୋଇ,
ପାରୁନି ବୁଝି ସେ କେଉଁ ନାଵେ ଠିଆ
ଆଶା ଲକ୍ଷକୁ ତା ନେଇ |
ଯାହା ପାଇଁ ଜିଏଁ ହୃଦୟ ବିଚରା
ସେ ନାହିଁ ନିଜ କକ୍ଷରେ,
ସୀମାରେଖା ଡେଇଁ ଯାଇଛି ଦୂରେଇ
ଆଉ କେଉଁ ରାଇଜରେ |
ଦାସୀ ସଜେଇଛି ରାଜକୁମାରୀକୁ
ନିଷ୍ଠୁର କ୍ରୁର ନୃପତି,
ଖାଦ୍ୟ ଦିଶେ ନାହିଁ ସୁନା ଥାଳିଆରେ
ଦିଶେ ଖଲି ଚଉପତି |
ଭୋଉ ଭୋଉ ହୋଇ କାନ୍ଦୁଛି ଏ ମନ
ଶୁଭୁନି ସିନା କାନ୍ଦଣା,
ହୃଦୟ ବିଚରା ଲୁହେ ଗାଧଉଛି
ସହି ସହି ସେ ଯନ୍ତ୍ରଣା |
ନିରୁପାୟ ବୁଦ୍ଧି ବିବେକ ସମସ୍ତେ
ନିସ୍ତେଜ ଶିରାପ୍ରଶିରା,
କଳା ପଡିଲାଣି କଅଁଳ ଦିହଟା
ଛାଇ ବି ଲାଗୁଛି ଖରା
************
ଅସ୍ମିଲ କୁମାର