#ଅତଳସ୍ପର୍ଶୀ_କଳଙ୍କର_ପ୍ରତୀକ୍ଷା
**************************
ପୁନଶ୍ଚ ଆକାଶେ ଘୋଟି ଆସିଲାଣି
ଘନକୃଷ୍ଣ ରଙ୍ଗର ମେଘ
ଗାଭିମାନଙ୍କ ଅସ୍ବାଭାବିକ ହମ୍ବାରଡ଼ିରେ
ସମଗ୍ର ଦିଗ୍ ଵିଦିଗ ଚକିତ ପ୍ରକମ୍ପିତ
ସୁଗନ୍ଧିତ ପୁଷ୍ପରାଜି ଏବେ
ପୂତି ଗନ୍ଧମୟ ।
ଯମୁନାର ଅପ୍ରାକୃତିକ ଅବିଶ୍ବସନୀୟ ଜୁଆର
ମୁଣ୍ତ ଟେକି ଚତୁଃପାର୍ଶ୍ୱ ଖୋଜୁଛି
ସତେ ଯେମିତି ,
କେଉଁ ଅନାଦି କାଳରୁ ତା’ ବକ୍ଷ
କାହା ପଦ୍ମଯୁଗଳକୁ ଚାହିଁ ରହିଛି ।
ଦିଗନ୍ତ ବିସ୍ତାରି ନଭଶ୍ଚୁମ୍ଭୀ ପର୍ବତମାଳା
ଭାଙ୍ଗି ସାରି ନିଜର ଦମ୍ଭିଲାପଣ
ଧରାରେ ଲୋଟିପଡି ଏବେ
ଧରାଶାୟୀ !
ମୋ କଥା କାହୁଁ ପଚାରୁଛ ??
ମୁୁଁ ଯେ କ୍ଷୀଣ କୋମଳାଙ୍ଗୀ
ଯଦି ପାରିବ ଥରୁଟିଏ
ଦେଖିଯାଓ ନୀଳପୁରୁଷ!
ଦହି ହାଣ୍ଡିରେ ପୂର୍ବର ସେହି ସ୍ଵାଦ କାହିଁ ??
ଏବେ ତ ସଜ ଦୁଆଁ ଦୁଗ୍ଧ ମଧ୍ୟ ଛିଣ୍ଡି ଯାଉଛି।
ବ୍ୟର୍ଥ ମୋର ଶୃଙ୍ଗାର
କେବଳ ପ୍ରତୀକ୍ଷାର ଅଞ୍ଜନ ଆଖିରେ ନାଇ
ଆଶାର ଫୁଲ କବରୀରେ ସଜାଇଛି।
ଜାଣିନାହିଁ ମୋ ପ୍ରତୀକ୍ଷା
ମୋକ୍ଷ ପ୍ରାପ୍ତି କରିବ କି ନାହିଁ ??
ତଥାପି
ମୋ ଅଶ୍ରୁ କୁ ଅର୍ଘ୍ୟ କରି
ବିଶ୍ଵାସର ପ୍ରଦୀପ ଅହରହ ଜଳାଉଛି
ତୁମର ପ୍ରିୟ ବୋଲି
ମାଳତୀ ପତ୍ର ଶଯ୍ୟା,
ପ୍ରତ୍ୟହ ଲତାକୁଞ୍ଜରେ ବିଛାଉଛି।
ନୀଳପୁରୁଷ !
ଗୋଡ଼ ଭାଙ୍ଗି ମୁୁଁ ନତମସ୍ତକ
ମିଛରେ ହେଉ ପଛେ
ଆଞ୍ଜୁଳାଏ ଭିକ୍ଷାରେ ମୋ ଭରିଦିଅ
କାଣିଚାଏ ମିଠା ପ୍ରତିଶୃତିର ମହକ।
ମୋ ପାର୍ଥିବ ଦେହ ଆଉ ଜୀବିତ ନାହିଁ ।
କଥା ଦିଅ ,କଥା ଦିଅ ପ୍ରିୟତମ !!
ତୁମେ ନିଶ୍ଚୟ ଫେରିବ ମଥୁରାରୁ
ଇଥରୀୟ ପ୍ରେମର ଅତଳସ୍ପର୍ଶୀ କଳଙ୍କ
ବୋଳିଦେଇ ମୋ ଅଷ୍ଟାଙ୍ଗ ଶରୀରେ
ପୁନଶ୍ଚ ପ୍ରାଣ ସଂଚାରି ଦେବ
ମୋର ଏଇ ମୃତ ପିଣ୍ଡରେ।
#ଦୀପିକା ଦାଶ