ଝରା ଶେଫାଳୀ
ବନଲତା ଜାଲି
ଭଙ୍ଗାଗଢ଼ା ଏଇ ମିଛ ଦୁନିଆରେ କେତେକେତେ କାହାଣୀ, ଯାହାକି ବିଶ୍ୱାସ ହେଉନଥିବା ଘଟଣା ଆମର ଦୃଷ୍ଟିଗୋଚରକୁ ଆସିଛି l କେତେକ ଘଟଣା ସ୍ୱାଭାବିକ ଲାଗୁଥିବା ବେଳେ କେତକ ଘଟଣା ଅସ୍ୱାଭାବିକ ଲାଗୁଥାଏ l ଏମିତି କିଛି ଘଟଣା ଅଛି, ଯାହା ମନର ହୃଦୟତନ୍ତ୍ରୀରେ ଗୋଟିଏ ଗଭୀର ହୃଦୟବିଦାରକ ସ୍ମୃତି ହୋଇ ଚିରକାଳ ଅଭୁଲା ହୋଇ ରହିଯାଏ l ଆଜି ମୁଁ ଯେଉଁ କାହାଣୀଟି ଲେଖିବାକୁ ଯାଉଛି, ତାହା ଗଳ୍ପ ପରି ମନେ ହେଉଥିଲେ ବି ଗୋଟିଏ ବାସ୍ତବ କଥା ଉପରେ ଆଧାରିତ ସତ୍ୟ ଘଟଣା l ଯାହାକୁ ମୁଁ ଅତି ନିକଟରେ ଦେଖିଛି l ଯାହା ମୋ ମାନସ ପଟରେ ସବୁ ଦିନ ପାଇଁ ଅଭୁଲା ହୋଇ ରହିଯାଇଛି l ଘଟଣାଟି ସତ ହୋଇଥିବା ବେଳେ ଚରିତ୍ରମାନଙ୍କ ନାମ ଓ ଠିକଣା ସମ୍ପୂର୍ଣ କାଳ୍ପନିକ l
ଆଜକୁ ପ୍ରାୟ ସତେଇଶି ବର୍ଷ ତଳର ଘଟଣା l ଜଗନ୍ନାଥପୁର ବୋଲି ଗୋଟିଏ ଅଞ୍ଚଳ l ସେଠାରେ ପ୍ରାୟ ନବେ ପ୍ରତିଶତ ଲୋକ ଚାଷ ଓ ନିଜର କୌଳିକ ବୃତ୍ତିକୁ ନେଇ ଜୀବିକା ନିର୍ବାହ କରନ୍ତି l କିଛି ଲୋକ ଶିକ୍ଷିତ ଶ୍ରେଣୀର ହୋଇଥିବାବେଳେ ଅନ୍ୟ ଲୋକମାନେ କିଛିକିଛି ଲେଖାପଢା ଜାଣିଥିଲେ l ସେହି ଗ୍ରାମର ଶାନ୍ତକୋମଳମୟ ପରିବେଶରେ ଜନଜୀବନ, ସ୍ନେହ ସୌହାର୍ଦ୍ଧପୂର୍ଣ୍ଣ ପରିସ୍ଥିତିରେ ସମସ୍ତଙ୍କ ସୁଖଦୁଃଖ ସହିତ ଓତଃପ୍ରୋତଃ ଭାବରେ ଜଡିତ ହୋଇ କାଳତିପାତ କରନ୍ତି l ପରସ୍ପର ମଧ୍ୟରେ ଭାଇଚାରା ସମ୍ବନ୍ଧ, ଅତ୍ମୀୟତା, ଘନିଷ୍ଠତା ଏହି ଗ୍ରାମର ମୂଳଆକର୍ଷଣ l ବେଳେ ବେଳେ କୌଣସି ସୈତାନି ମନୋଭାବ, ଏହି ସମ୍ପର୍କରେ କାଳିମା ବୋଳିଦେଇ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥାଏ l ଗୋଟିଏ ପିତାପୁତ୍ରୀ ମଧ୍ୟରେ ଥିବା ପବିତ୍ର ପ୍ରେମରେ କାଳିମା ବୋଳି ଦେଇ ଗୋଟିଏ କଳଙ୍କିତ ଅଧ୍ୟାୟ ଏହି ଗ୍ରାମର ଐତିହଗାରିମାକୁ ନଷ୍ଟଭ୍ରଷ୍ଟ କରି ଗୋଟିଏ ନୂଆ ଅଧ୍ୟାୟ ସୃଷ୍ଟି କରିଛି l ସେହି କଳଙ୍କିତ ଅଧ୍ୟାୟର ଶେଷ ପରିଣତି ହେଉଛି, ଏହି କାହାଣୀର ପୃଷ୍ଠଭୂମି l
ଜଗନ୍ନାଥପୁରରେ ଦୁଇ ଜଣ ସାଙ୍ଗ ଥିଲେ l ସେମାନେ ପିଲା ଦିନରୁ ବେଶିଘନିଷ୍ଠ ଥିଲେ l ସେମାନଙ୍କ ନାମ ହେଲା ରମେଶ ବାରିକ ଓ ଉମାକାନ୍ତ ସେଠୀ l ଦୁହେଁ ଜାତିରେ ଅଲଗା ଶ୍ରେଣୀର ହେଲେ ମଧ୍ୟ ସେମାନଙ୍କର ଘନିଷ୍ଠତା ସେମାନଙ୍କୁ ପରସ୍ପରର ଦୁଃଖସୁଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇ ଅତି ଆତ୍ମୀୟ ସ୍ୱଜନରେ ପରିଣତ କରିଦେଇଥିଲା l ଉଭୟ ପରିବାର ପ୍ରତ୍ୟେକ ସମୟରେ ପରସ୍ପର ଘରକୁ ଅନୟାସରେ ଯିବାଆସିବା କରୁଥିଲେ l ପ୍ରତ୍ୟେକ ପରିବାର ପରସ୍ପରର ପର୍ବପର୍ବାଣି ଓ ଉତ୍ସବରେ ଯୋଗଦେଉଥିଲେ l ରମେଶଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଓ ଉମାକାନ୍ତର ଦୁଇଟି ପୁଅ ଥିଲେ l ସମୟ କ୍ରମରେ ସମସ୍ତେ ପ୍ରାପ୍ତ ବୟସରେ ପଦାର୍ପଣ କରି ଥିଲେ l ରମେଶର ବଡ ଝିଅ ସନ୍ଧ୍ୟା ଦେଖିବାକୁ ଭାରି ସୁନ୍ଦରୀଥିଲା l ଗହମରଙ୍ଗ ସହିତ ଲମ୍ବା ଘନକେଶ, ସିଧା ନାକ, ସୁନ୍ଦର ମୁଖ୍ମଣ୍ଡଳ, ବଳିଷ୍ଠ ଚେହେରା ଓ ନାରୀ ସୁଲଭ ରୂପକାନ୍ତି ସେ ଖୁବ୍ ଆକର୍ଷଣଣୀୟ ଦେଖାଯାଉଥିଲା l ସେ ଜାଣି ନଥିଲା ଯୌବନର ପ୍ରଥମ ପାହାଚରେ ନିଜର ପାଦପକାଇ, ନର୍କର ଶେଷଦ୍ୱାରରେ ସେ ଅତି ଦୟନୀୟ ଭାବରେ ଥକିପଡିବ ଓ ଅକାଳରେ ଝରି ଯିବ ବୋଲି l ଦିନର ସୂର୍ଯ୍ୟକିରଣ ସ୍ପର୍ଶ ପାଇବା ପୂର୍ବରୁ ସେ ବୃନ୍ତଚ୍ୟୁତ ହୋଇ ଅସହାୟ ଭାବରେ ଭୂମିରେ ପତିତ ହୋଇ ଯିବ ବୋଲି l ତା’ର ଅସୁମାରୀ ସ୍ବପ୍ନ, ଆଶା, ଆକାଂକ୍ଷା ସବୁ ଚୂନା ହୋଇ ମାଟିରେ ମିଶିଯିବ ବୋଲି l
ପିଲାଦିନରୁ ମଉସା ଡାକୁଥିବା ଉମାକାନ୍ତର ଖରାପ ନଜର ସନ୍ଧ୍ୟା ଉପରେ ପଡିଥିଲା l କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସନ୍ଧ୍ୟା ପାଦ ଖସାଇ ପିତୃତୁଲ୍ୟ ଉମାକାନ୍ତ ସହିତ ସଂସାର ବାନ୍ଧିବାର ସ୍ବପ୍ନ ଦେଖିବାକୁ ଲାଗିଲା l ସେ ଦୁହିଁଙ୍କର ମିଳାମିଶାକୁ ପରିବାରର କେହି ଖରାପ ନଜରରେ ଦେଖନ୍ତି ନାହିଁ କାରଣ ବୟସର ତାରତମ୍ୟ ସହିତ ବନ୍ଧୁତ୍ୱର ଘନିଷ୍ଠତା ଓ ପିଲା ଦିନରୁ ଉମାକାନ୍ତ ଦେଉଥିବା ଅନାବିଳକୁ କେହି କେବେ ସନ୍ଦେହ ଦୃଷ୍ଟିରେ ଦେଖୁନଥିଲେ l ପରବର୍ତ୍ତୀ ସମୟରେ ଉମାକାନ୍ତ ଓ ସନ୍ଧ୍ୟାର ସମ୍ପର୍କ ପବିତ୍ରରୁ ଦୈହିକ ସମ୍ପର୍କରେ ପରିଣତ ହୋଇ ତା’ର ଫଳ ସ୍ୱରୂପ ସନ୍ଧ୍ୟା ଅନ୍ତଃସ୍ୱତା ହେଲା l ସମୟର ସୁଅରେ କିଛି ମାସଗଲା ପରେ ଏକଥା ପରିବାରକୁ ଅଛପା ରହିଲା ନାହିଁ l ପରିବାର ଉପରେ ବୋଝ ପଡିଲା l ନିମ୍ନ ମଧ୍ୟବିତ୍ତ ପରିବାର ଉପରେ ଏଭଳି ଏକ ଘୃଣ୍ୟ କଳଙ୍କର ବୋଝକୁ ନେଇ ପରିବାରଲୋକ ମାନେ ସନ୍ଧ୍ୟl କୁ ମାଡଗାଳି ସହିତ ଅନେକ ମାନସିକ ନିର୍ଯାତନା ସହିତ ସେ କଳଙ୍କିତ ପୁରୁଷର ନାମ ପଚାରି ବୁଝି ଚମକି ଉଠିଲେ l ଶେଷରେ ସମାଜ ଓ ଲୋକଲଜ୍ୟାକୁ ଡରି ଗର୍ଭପାତ କରିବା ପାଇଁ ନିଷ୍ପତ୍ତି ନେଲେ l ସନ୍ଧ୍ୟା କିନ୍ତୁ ସେମାନଙ୍କ ପ୍ରସ୍ତାବରେ ରାଜି ନ ହୋଇ ଉମାକାନ୍ତ ସହିତ ସଂସାର ବାନ୍ଧିବାକୁ ଜିଦ୍ ଧରିଲା l ଏହା ଦେଖି ପରିବାର ଲୋକ ନିରୁପାୟ ହୋଇ ଦୁଃଖରେ ମ୍ରିୟମାଣ ହୋଇ ନିରବ ରହିଲେ l ସମୟ ଅତିକ୍ରାନ୍ତ ହେବା ସହିତ ଏ କଥା କାହାକୁ ଅଛପା ରହିଲା ନାହିଁ l କାନକୁ ଦିକାନ ହୋଇ ଗ୍ରାମ ସାରା ରାଷ୍ଟ୍ର ହୋଇ ଗଲା ଓ ଗ୍ରାମସଭାରେ ପଡିଲା l ଝିଅ ଠାରୁ ସବୁକଥା ଶୁଣି ଉମାକାନ୍ତକୁ ପଚାରି ଓ ଝିଅର ଜିଦ୍ ଦେଖି ଗ୍ରାମସଭାର ନିଷ୍ପତ୍ତି କ୍ରମେ ଉମାକାନ୍ତ, ସନ୍ଧ୍ୟାକୁ ଘରକୁ ନେଲା କିନ୍ତୁ ଉମାକାନ୍ତର ସ୍ତ୍ରୀ ସନ୍ଧ୍ୟାକୁ ଗ୍ରହଣ କଲା ନାହିଁ l ସେ ତାହାକୁ ଘରେ ପ୍ରବେଶ କରିବାକୁ ଦେଲା ନାହିଁ l ପୁଅମାନେ ଲଜ୍ୟାରେ ଗାଁ ଛାଡି ବନ୍ଧୁବାନ୍ଧବ ଘରେ ରହିଲେ l ଲୋକ ଲଜ୍ୟାରୁ ରକ୍ଷାପାଇବା ପାଇଁ ଅନୋନ୍ୟ ଉପାୟ ନପାଇ କେବଳ ଘର ନୁହଁ,ଜିଲ୍ଲା ଛାଡି ଅନ୍ୟ ଜିଲ୍ଲାର ଗୋଟିଏ ଗ୍ରାମରେ ରହି ମିସ୍ତ୍ରୀ କାମ କରି ଜୀବିକା ନିର୍ବାହ କଲା l ସବୁଦିନ ସକାଳୁ ଉଠି ଉମାକାନ୍ତ କାମକୁ ଯାଏ ଏବଂ ରାତିକୁ ପେଟେ ମଦ ପିଇ ଆସି ସନ୍ଧ୍ୟାକୁ ପିଟେ l ସନ୍ଧ୍ୟା କିନ୍ତୁ ସବୁ ମାଡଗାଳିକୁ ନିରବରେ ସହି, ସେହିଠାରେ ପଡିରହେ l କହିବ କାହାକୁ l ସେତ ଏ କଥା ନିଜେ ଅର୍ଜିଛି l ବାପମା ତାକୁ କେହି ପଚାରୁ ନାହାନ୍ତି l ଆତ୍ମୀୟ ସ୍ୱଜନ ଛୋଟ ଜାତିରେ ଚାଲି ଆସିଥିବାରୁ ତାହାକୁ କେହି ଗ୍ରହଣ କରୁ ନାହାନ୍ତି l ମନର ଦୁଃଖକୁ ମନରେ ମାରି ସମସ୍ତଙ୍କ ଆଗରେ ବହୁତ ଭଲ ଥିବାର ଅଭିନୟ କରି ରହୁଥାଏ l କିଛି ଦିନପରେ ତା’କୋଳକୁ ଗୋଟିଏ ସୁନ୍ଦର ଡଉଲଡାଉଲ ଝିଅଟିଏ ଆସିଲା l ତା’କୁ ଦେଖି ସନ୍ଧ୍ୟା ସବୁ ଦୁଃଖ ଭୁଲିଗଲା l ହେଲେ ତାହାର ଏ ସୁଖ ବେଶି ଦିନ ରହିଲା ନାହିଁ l ପୁଣି ସନ୍ଧ୍ୟା କିଛି ଦିନ ପରେ ଅନ୍ତସ୍ୱତା ହେଲା l ଏହା ଜାଣି ଉମାକାନ୍ତ ଗର୍ଭନଷ୍ଟ କରିବା ପାଇଁ ଜିଦ୍ ଧରି ସନ୍ଧ୍ୟାକୁ ମାଡ଼ ଗାଳି ଦେଲା l କିନ୍ତୁ ସନ୍ଧ୍ୟା ଗର୍ଭନଷ୍ଟ ନ କରିବାକୁ ଜିଦ୍ ଧରି ବସିଲା l ଏହା ଦେଖି ଉମାକାନ୍ତ ଛଳନାର ଆଶ୍ରୟ ନେଇ ସନ୍ଧ୍ୟାକୁ ଭଲ ପାଇବାର ଅଭିନୟ କରି ତାହାକୁ ଭୁଲାଇ ଦେଲା l ସନ୍ଧ୍ୟା ଉମାକାନ୍ତର କଥାରେ ଭଳିଯାଇ ତାହାକୁ ବିଶ୍ୱାସ କରିନେଲା l ଉମାକାନ୍ତ ପ୍ରଥମରୁ ସନ୍ଧ୍ୟାକୁ ସ୍ତ୍ରୀ ରୂପରେ ଚାହୁଁନଥିଲା l ସେ ପରିସ୍ଥିତିର ଚାପରେ ନିରବ ଥିଲା l ଗୋଟିଏ ଦିନ କିଛି ଔଷଧ ଆଣି ସନ୍ଧ୍ୟାକୁ ଦେଇ କହିଲା ମୁଁ ଡାକ୍ତରଙ୍କ ପରାମର୍ଶ ନେଇ ଆମ ପିଲାସୁସ୍ଥ ରହିବା ପାଇଁ ଔଷଧ ଆଣିଛି l ତୁ ତା’କୁ ଖାଇଦିଏ l ଦିନକୁ ଦୁଇଥର ଲେଖା ଖାଇବୁ l ଏ କଥା ଶୁଣି ସନ୍ଧ୍ୟା ଉମାକାନ୍ତ କଥାରେ ଭଳି ଯାଇ ଔଷଧ ଖାଇଦେଲା l ତାପରେ ତା’ପେଟରେ ଯନ୍ତ୍ରଣା ଆରମ୍ଭ ହେଲା l ପୁଣି ଥରେ ରାତିକୁ ଜବରଦସ୍ତ ଔଷଧ ଖୁଆଇଦେଲା l ସନ୍ଧ୍ୟା ରାତି ସାରା ଯନ୍ତ୍ରଣାରେ ଛଟପଟ ହେଉଥାଏ l ଉମାକାନ୍ତ କାମ ବାହାନା ଦେଖାଇ ଆଉ ଫେରିବା ବେଳେ ଡାକ୍ତରଙ୍କ ଠାରୁ ଔଷଧ ଆଣିବି କହି କୁଆଡେ ଚାଲିଗଲା ଆଉ ଫେରିଲା ନାହିଁ l ସନ୍ଧ୍ୟା ସେମିତି କଷ୍ଟରେ କଣ ଟିକିଏ ରାନ୍ଧି ତା ଝିଅକୁ ଖାଇବା ଦେଇ ଉମାକାନ୍ତର ଫେରିବା ରାସ୍ତାକୁ ଅତି ଉତ୍କଣ୍ଠାର ସହିତ ଚାହିଁ ରହିଥାଏ l ତା’ପେଟ ଅସ୍ୱାଭାବିକ ଭାବରେ ଫୁଲିଯାଇଥାଏ l ଶେଷରେ ସେ ଖୁବ୍ ଜୋରରେ ଚିତ୍କାର କରିବାକୁ ଲାଗିଲା l ତା’ଚିତ୍କାର ଶୁଣି ଲୋକମାନେ ଜମାହୋଇ ତା’ଅବସ୍ଥାକୁ ଦେଖି ଗରମ ପାଣି ଖାଦ୍ୟ ଆଣି ଖାଇବାକୁ ଦେଲେ l ରାତି ଅନେକ ହୋଇ ଯାଇଥିବାରୁ ସକାଳେ ଡାକ୍ତରଖାନା ନେବାକୁ ଗ୍ରାମ ଯୁବକମାନେ କହି ଘରକୁ ଫେରି ଆସିଥିଲେ l ସେତେବେଳେକୁ ସେ କୁନି ଝିଅଟି ଶୋଇପଡିଥିଲା l ସେହି ଦିନର ସୂର୍ଯ୍ୟାସ୍ତ ସନ୍ଧ୍ୟା ଜୀବନର ଶେଷ ରାତି ହୋଇ ଆସିଥିଲା l ପାହାନ୍ତାରୁ ଛୋଟ ଝିଅଟିର କାନ୍ଦଣା ଶୁଣି ଗୋଟିଏ ସ୍ତ୍ରୀ ଲୋକ କବାଟ ଖୋଲି ଘର ଭିତରକୁ ଯାଇ, ଯାହା ଦେଖିଲା ସେଥିରେ ତାହାର ପାଦତଳୁ ମାଟି ଖସିଗଲା ଭଳି ଲାଗିଲା ଓ ସେ ବଡ ପାଟିକରି ସମସ୍ତଙ୍କୁ ଡାକିଲା l କିଛି କ୍ଷଣ ମଧ୍ୟରେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ଯାହା ଦେଖିଲେ ସେଥିରେ ସମସ୍ତହୃଦୟ ବିଦାରି ହୋଇଯାଉଥିଲା l ସନ୍ଧ୍ୟା ତଳେ ଗୋଟିଏ କନ୍ଥା ଉପରେ ଚିତ୍ ହୋଇ ପଡିରହିଥାଏ l କୁନି ଝିଅଟି ତା’କ୍ଷୁଧା ମେଣ୍ଟାଇବାକୁ ଯାଇସ୍ତନ୍ୟ ପାନ କରୁଥାଏ l ଯେତେବେଳେ ତା’ର କ୍ଷୁଧା ନିବାରଣ ପାଇଁ କ୍ଷୀର ତା’ପାଟିକୁ ପଡୁନଥାଏ, ସେ ସେତେବେଳେ ପାଟି କରି କାନ୍ଦୁଥାଏ ଏବଂ ପୁଣି ଥରେ ଚେଷ୍ଟା କରୁଥାଏ l ସମସ୍ତେ ଏ ହୃଦୟବିଦାରକ ଦୃଶ୍ୟ ଦେଖି ସ୍ତମ୍ଭିଭୂତ ହୋଇଯାଇଥିଲେ l ସମସ୍ତଙ୍କ ଆଖିରେ ଲୁହ ଲହଡି ଭାଙ୍ଗୁଥିଲା l ଜଣେ ସ୍ତ୍ରୀ
ଲୋକ ଝିଅଟିକୁ ତା’କୋଳକୁ ଭିଡିନେଲା l ଝିଅଟି ଖୁବ୍ ଜୋରରେ କାନ୍ଦୁଥାଇ l ଗାଁ ଲୋକମାନେ ପୋଲିସକୁ ଖବରଦେଲେ l କିଛି ସମୟ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ଉମାକାନ୍ତର ଠିକଣା ବୁଝିଲା l କୌଣସି ଲୋକ ତାହାର ସଠିକ୍ ଠିକଣା ଦେଇପାରିଲେ ନାହିଁ l କୁନି ଝିଅଟି ବିକଳ ହୋଇ କାନ୍ଦୁଥାଏ l ପୋଲିସ ଝିଅକୁ ଅନାଥାଶ୍ରମ ଛାଡ଼ିବା ପାଇଁ ବ୍ୟବସ୍ଥା କରୁଥାଏ l ଏହିସମୟରେ ପାଖଗାଁର ଜଣେ ଭଣ୍ଡାରୀ ଲୋକ ଦେବଦୁତ ହୋଇ ଆସି ଝିଅଟିକୁ ଆଶ୍ରୟର ହାତ ବଢ଼ାଇ କୋଳାଇନେଲା l ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ତାହାକୁ ଧନ୍ୟଧନ୍ୟ କହିବାକୁ ଲାଗିଲେ l ଯେଉଁ ବାପା ନିଜ ଜନ୍ମ କଲା ଝିଅକୁ ଫୋପାଡ଼ି ଦେଇ ଚାଲିଗଲା l ସେ ଝିଅଟିକୁ ରକ୍ତର କୌଣସି ସମ୍ପର୍କ ନଥାଇ ଅକୁଣ୍ଠ ଚିତ୍ତରେ ଅନ୍ୟଜଣେ ଆପଣାଇ ନେଉଛି ଦେଖିଲେ ଜଣେ ସୈତାନ ଓ ଜଣେ ଦେବଦୁତ ଭିତରେ ଥିବା ଫରକକୁ ଅନ୍ୟାୟସରେ ବାରି ହୋଇପଡୁଥାଏ l ଆଉ ଯେଉଁ ବାପମା ଓ ଆତ୍ମୀୟସ୍ୱଜନ ଛୋଟ ଜାତିରେ ବାହା ହୋଇଛି ବୋଲି ନିଜ ଝିଅର ମୁଁହ ଚାହିଁଲେ ନାହିଁ, ସେଇ ଝିଅର ଜାତିକୁଳ ଠିକଣା ନ ଥିବା ଝିଅକୁ ତାଙ୍କରି ସମ୍ପ୍ରଦାୟଦାୟର ଲୋକ କୋଳେଇ ନେବା କଥା ଶୁଣି ସେମାନଙ୍କୁ ଟିକିଏ ଲଜ୍ୟାବୋଧ ହେବା କଥା l ଏବେ ବି ମଣିଷ ରୂପରେ ଭଗବାନ ମର୍ତ୍ତ୍ୟପୁରୀରେ ଅଛନ୍ତି l ଏକଥା ଶୁଣି ମୋ ମୁଣ୍ଡ ସେ ଲୋକର ଉଦାର ହୃଦୟ ନିକଟରେ ନଇଁ ଯାଉଥିଲା l ଭଗବାନଙ୍କ ଉପରେ ମୁଁ ଯେତିକି କୃତଜ୍ଞତା ଢାଳୁଥିଲି, ସେତିକି ମୁଁ ଗାଳି ଦେଉଥିଲି l ସନ୍ଧ୍ୟା ସିନା ତା’ଭୁଲର ଦଣ୍ଡ ପାଇଲା, ହେଲେ ଏ ନିରୀହ ନିଷ୍ପାପ ଶିଶୁଟି କି ଭୁଲ କରିଥିଲା ଯେ ତା’କୁ ଏତେ ବଡ ଦଣ୍ଡ ମିଳିଲା ? ସଠିକ ଠିକଣା ନ ପାଇ ପୋଲିସ ଉମାକାନ୍ତକୁ ନେଇ କି ତଦନ୍ତ କଲା ଜଣା ନାହିଁ l ସନ୍ଧ୍ୟାର ବାପ ଘର ଲୋକ କେବେବି ଝିଅର ଖୋଜଖବର ନେବା ପାଇଁ କେବେବି ଆସିଲେନାହିଁ l କିନ୍ତୁ ସେ କୁନି ଝିଅଟିକୁ ଆପଣାଇ ନେଇଥିବା ଭଦ୍ରଲୋକଟି ବହୁତଆଦର ଯତ୍ନରେ ରଖି ଯେଉଁ ଦିନ ସେ ଝିଅଟକୁ ନେଇଥିଲା, ତା’ପର ବର୍ଷ ସେହିଦିନକୁ ଝିଅର ଜନ୍ମଦିନ ରୂପେ ମହା ଆଡମ୍ବରରେ ଗାଁ ମନ୍ଦିରରେ ପାଳନ କରି ସମସ୍ତଙ୍କୁ ପ୍ରସାଦ ସେବନ କରାଇ ଆପ୍ୟାୟିତ କଲା l ସେ ଝିଅକୁ ପାଠପଢାଇ ସମାଜରେ ପ୍ରତିଷ୍ଠିତ କରାଇଲା l ମୁଁ ଏବେ ଗାଁରୁ ବହୁତ ଦୂରରେ ଅବସ୍ଥାନ କରୁଥିବାରୁ ଝିଅଟି କେଉଁଠି ବାହାହେଲା ଏବଂ କଣ କରୁଛି ସେ ଖବର ରଖିନାହିଁ l କିନ୍ତୁ ମୁଁ ଯେତେବେଳେ ସେ ଉଦାରବାଦି ଲୋକ ଓ ତା’ପରିବାର କଥା ଭାବେ ମୋ ମୁଣ୍ଡ ଆପେଆପେ ତା’ବଦାନ୍ୟତା ଓ ତାହାର ବିଶାଳ ହୃଦୟ ନିକଟରେ ନଇଁଯାଏ l ତାହାର ମଣିଷ ପଣିଆ ଓ ମହାନତା ସମାଜରେ ଗୋଟିଏ ଆଦର୍ଶ ଦୃଷ୍ଟାନ୍ତ ହୋଇ ଅଵିଵେକି ଓ ସୈତାନମାନଙ୍କୁ ସୁପଥ ଦେଖାଉବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ l
କୃଷ୍ଣପ୍ରସାଦ, ପୁରୀ
454 total views, 1 views today