- **ସେହି ମୋର ବାପା**
(ମୋ ବାପାଙ୍କ ଜନ୍ମ ଦିନ ଅବସରରେ)
।।ଜାନକୀ ମହାନ୍ତ।।
ମୋ ଅଙ୍ଗୁଳି ଧରି ପ୍ରଥମରେ ଚାଲି
ଶିଖାଇଲେ ମୋତେ ଯିଏ,
ମାଟି ସିଲଟରେ ଖଡ଼ି ଧରି ଆଦ୍ୟେ
ଲେଖି ଶିଖାଇଲେ ସିଏ ।।
ସେହି ମୋର ବାପା….(୧)
ସାଇକେଲ ଆଗେ ବସି ବାସ୍କେଟ୍ ରେ
ବୁଲାଇ ନିଅନ୍ତି ଯିଏ,
ମୋର ସୃଷ୍ଟି କର୍ତ୍ତା ମୋର ବୁଦ୍ଧି ଦାତା
ମୋ’ର ପ୍ରିୟ ସାଥି ସିଏ ।।
ସେହି ମୋର ବାପା…(୨)
ସ୍ନେହରେ ପାଳିଲେ ଆଦରେ ପୋଷିଲେ
ମୋ ଖୁସିରେ ଖୁସି ଯିଏ,
ଭୁଲ୍ କଲେ ମାଡ଼ ମାରି ଯେ ଆକଟ
କରି ଥିଲେ ହସି ସିଏ ।।
ସେହି ମୋର ବାପା…(୩)
ଦୁନିଆଁରେ ସବୁ ଠାରୁ ଭଲ ବାପା
ଅଟନ୍ତି ମୋ’ ପ୍ରିୟ ଯିଏ,
ଦିନ ରାତି ଆମ ପାଇଁ ଭାବି ଥା’ନ୍ତି
ନିଜ ପାଇଁ ଚିନ୍ତା ନୁହେଁ ।।
ସେହି ମୋର ବାପା…(୪)
ଝିଅ ଜନ୍ମ ଅଟେ ପର ଘରକୁ ଯେ
ବିଦାୟ ଦିଅନ୍ତି ଯିଏ,
ନିଜ ହୃଦୟକୁ ଭିନ୍ନ ନିଜ ଠାରୁ
ଦୁଃଖରେ କରନ୍ତି ସିଏ ।।
ସେହି ମୋର ବାପା….(୫)
ମୋ ଅଳି ଅର୍ଦ୍ଦଳି ପୁରା କରି ଥାନ୍ତି
ନଖାଇ ନପିଇ ଯିଏ,
ମୁଁ ଆସିବି ବୋଲି ବାଟ ଚାହିଁ ଥାନ୍ତି
ମୋ’ପାଇଁ ଦେବତା ସିଏ ।।
ସେହି ମୋର ବାପା..(.୬)
ଆଜି ଅଟେ ତାଙ୍କ ଶୁଭ ଜନ୍ମ ଦିନ
ସତୁରୀ’ ଛୁଇଁଲା ଯିଏ,
ବିଭୁ ପାଦେ ମୋର ଏହି ନିବେଦନ
ସୁସ୍ଥ ରୁହନ୍ତୁ ଯେ ସିଏ ।।
ସେହି ମୋର ବାପା…(୭)
ସଦା ହସୁଥାଅ ସଦା ଖୁସି ରୁହ
ମୋ ପୃଥ୍ବୀ’ ଅମ୍ବର ଯିଏ,
ମୋର ଆୟୁ ପ୍ରଭୁ ତାଙ୍କୁ ଲାଗି ଯାଉ
ଆଶିଷ ଦିଅନ୍ତି ସିଏ ।।
ସେହି ମୋର ବାପା….(୮
*******************
ଜାନକୀ ମହାନ୍ତ