ଅସ୍ମିତା ଓଡିଶାର
***************
ବିଶ୍ୱେଶ୍ୱର ମାଝୀ
****************
ସରଗ ସୁଷମା ଶୀରି ଉଣା ହେବ ଅତୁଲ୍ୟ ଓଡିଶା ଭୂଇଁ
ଜଗତର ନାଥ ନୀଳାଚଳେ ବିଜେ ମର୍ତ୍ତ୍ୟରେ ଉପମା ନାହିଁ !
ଉଡ୍ର ଓଡିଶା ଉତ୍କଳ କଳିଙ୍ଗ ମୋ ପ୍ରିୟ ଜନମ ମାଟି
ପୂରୁବ ରାଇଜ ଉତ୍ତର-ଦକ୍ଷିଣ ସମାହାର ତା ସଂସ୍କୃତି ।
ନୈସର୍ଗିକ ଶୋଭା ଭରା ରାଇଜର ଚାରୁ ଚିତ୍ରପଟ ଦେଖି
ସ୍ଥାପତ୍ୟ ସଂସ୍କୃତି କଳା ଧର୍ମ କର୍ମ ବୀରତ୍ଵ ଯହିଁ ପରଖି।
ସାଗର ସୈକତ କାହିଁ ଗିରିବର କାହିଁ ସବୁଜିମା ଶୋହେ
କୁଳୁନାଦେ ବହେ ନିର୍ଝରିଣୀ ଝର ସାଗରେ ମିଶିବା ଯାଏ।
ଅଲିଭ ରିଡଲେ କଛପ ଗହୀରମଥା ମଣେ ନିରାପଦ
ସାଇବେରିଆର ପକ୍ଷୀ ଚିଲିକାର ବଢାନ୍ତି ଶୋଭା ସମ୍ପଦ।
ବ୍ରାହ୍ମଣୀ ବଳାଙ୍ଗୀ ସୁବର୍ଣ୍ଣରେଖାରୁ ମହାନଦୀ ବୈତରଣୀ
ଶିମିଳିପାଳର ଜୈବମଣ୍ଡଳରେ ବିବିଧତା କି ବଖାଣି !
ସ୍ୱାଧୀନତା ତା’ର ଦେବନାହିଁ ଦୟାନଦୀ ଶୋଣିତେ ଭରିଲା
ଶାନ୍ତିପ୍ରିୟ ରାଜ୍ୟ ଚଣ୍ଡାଶୋକ ଧର୍ମାଶୋକେ ପରିଣତ କଲା।
ଗଙ୍ଗାଠାରୁ ଗୋଦାବରୀ ଯାଏ ଥିଲା ସୀମା ସରହଦ ଦିନେ
ବିଜୟ ବାହୁଡା ବିଜୟ ନଗର ମେଦିନାପୁର ପ୍ରଗନେ।
ସୁମଧୁର ତା’ର ଭାଷା ସାଂସ୍କୃତିକ ମର୍ଯ୍ୟଦା ସୋଇଛି ପ୍ରାପ୍ତ
କବିତା ସମ୍ଭାର ସଂଗୀତ ମଧୁର ଝଙ୍କାରରେ ପରିବ୍ୟାପ୍ତ।
ପୂର୍ବ ଶୂରୀ ଆମ ଜାଭା ବୋର୍ଣ୍ଣିଓ ସୁମାତ୍ରା ଦ୍ୱୀପକୁ ଯାଇ
ବାଣିଜ୍ୟ ବ୍ୟାପାରେ ଧନ ଦଉଲତ ଅରଜନ କରିଥାଇ।
ଧରମ ସଂସ୍କୃତି ଆଦାନ ପ୍ରଦାନ କରୁଥିଲେ ଦେଶ ଦେଶ
ଓଡିଶୀ ସଂଗୀତ ଓଡିଶୀ ନୃତ୍ୟର ବୈଜ୍ଞାନିକ ଧାରା ରସ।
‘ଉଡିୟା ଏକଟା ସ୍ୱତନ୍ତ୍ର ଭାଷା ନୟ’ ପ୍ରତିବେଶୀ କହି
ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କଲା ସମ୍ମିଳନୀ ଗଢା ହୋଇ।
ଉନବିଂଶ ଶଦି ଶଡତ୍ରିଂଶ ସାଲ ଭାଷା ଭିତ୍ତିକ ପ୍ରଦେଶ
ବହିଛି ଦେଶର ପ୍ରଥମ ହେବାର ଗୌରବାବହ ସନ୍ଦେଶ !
ଅସ୍ମିତା ସୁମରି ଜାଗ ଉତ୍କଳୀୟ ସ୍ୱାଭିମାନୀ ଦିଗ୍ଗଜ
ବନ୍ଦେ ଉତ୍କଳ ଜନନୀ ଗାଇବା ଉଦାତ୍ତ କଣ୍ଠରେ ଆଜ।
******************