*ତୁ ଥାଆ ମୁଁ ଯାଉଛି ଋଷି*✍️
ନାଲି ଓଠେ ତୋର ଦେଏଲୋ ହସି
ମୁହଁ ଫୁଲାଇ କିଆଁ ବସିଛୁ ଋଷି
ତୁ ମୋ ଜୀବନ ଅଟୁରେ ଧନ
ତୋ ବିନା ଲାଗେନି କେଉଁଠି ମନ ।।
ଜୀବନକୁ ମୋର କରିଛୁ ଧନ୍ୟ
ତୋ ବିନା ହୁଏନି କେଉଁଠି ଗଣ୍ୟ
ମୋ ଲାଗି ତୁହି ସରଗ ଚାନ୍ଦ
ଜାଣେନି ସଂସାରେ କି ଭଲମନ୍ଦ ।।
ତୁହି କଳାକାହ୍ନୁ ମୁହିଁ ଯଶୋଦା
ତୋ ଲାଗି ସହିବି ଯେତେକ ନିନ୍ଦା
ତୋ ଖୁସି ଦେଖିଲେ ହୁଏ ମୁଁ ସୁଖୀ
ଲୁହ ତୋ ଦେଖିଲେ ହେବି ମୁଁ ଦୁଃଖୀ
ଦେଉନାହୁଁ ମୋତେ କେବେ ତ ଧରା
ମୋ କୋଳକୁ ଆ ସୁନାଟା ପରା
ବିନା ଅପରାଧେ କରୁଛୁ ଦୋଷୀ
ତୋ ଲାଗି ଧନ ପାଇବି ଫାଶୀ ।।
ତୋର ମୁଖ ଦେଖି ଯାଉ ଏ ଜୀବ
ମରିଗଲେ ମୁହିଁ ହେବି ଯେ ଶବ
ରାଗ ଭୁଲି ଥରେ ଦେ ତୁ ହସି
ନ ହସିଲେ ପୁଣି ଯିବି ମୁଁ ଋଷି ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର