“ଗାଆଁ ମଶାଣି”
(ଜୟ କୁମାର ମିଶ୍ର)
*************************
ହେଉସେ ଅମୀର ହେଉ ସେ ଫକୀର
ଯେତେ ବଡ଼, ଛୋଟ ହେଉ,
ଗାଆଁ ମଶାଣିର, ଶରଣ ପଶିବ
ତାର ଶବ ସାଥେ ପୁଅ ll(1)
କୋଳେଇ ଘେନିବ,ସଂସ୍କାର କରିବ
କରିବ ଧୂଳି, ପାଉଁଶ,
ଗରବ ଦମ୍ଭକୁ, ରିବ ସେ ଭସ୍ମ
ମଢ଼ାକୁ କରିବ ଶେଷ ll(2)
“ମୁଁ” “ମୋ”ପଦରେ, ହେବ ପୂର୍ଣ୍ଣଛେଦ
ସରିଯିବ ସବୁ ହାଟ,
ସମ୍ପଦ, ସମ୍ମାନ, ସମ୍ପର୍କୀୟ,ସନ୍ତାନ
ରହିଯିବ ପଛପଟ ll(3)
କାଳ, ଅକାଳର,ହିସାବ, ଗଣିତ
ଭୁଲିଯିବ ଚାରିସୂତ୍ର
କିଏ ଆଗପଛ ଅଗ୍ରାଧିକାର, ତୁଚ୍ଛ
ଭୂଲିଯିବ ତାର ଚିତ୍ତ ll(4)
ସ୍ମଶାନ କୋକେଇ, ଶୁଣିଛି କାହାଣୀ
ଛଳର ସଂଗୀତ ସୂର,
ନିରବି ଯାଇଛି, ମୁରୁକି ହସୁଛି
ଅନୁଭୂତି ଭରପୁର ll(5)
ଜୀବ ଦଶ୍ୟାଟିରେ, ଦୁଃଖ ଦହଗଞ୍ଜ
ହୀନ ହିନସ୍ଥାର କଥା,
ପେଟ,ପିଠି ତାର, ଦାଉସାଧି ସତେ
ଦେଇଥିଲା କେତେ ବ୍ୟଥା ll(6)
କାଲି ଯିଏଥିଲା ଚରମ ଶତ୍ରୁଟି
ଖଳନାୟକର ନେତା,
ଆଜି ମଢ଼ାପାଶେ, ବିଳାପ, ଆଳାପ
ଆପଣାର ପରି କଥା ll(7)
ବଞ୍ଚି ଥିବାଯାଏ କେତେ ହୀନିମାନ
ଅକୁହା ବେଦନା ସବୁ,
ଅଜାଘା ଘାଆର, ବିନ୍ଧା, ଛିଟିକାକୁ
କଲା ସହ୍ୟ ଡାକି ପ୍ରଭୂ ll(8)
ଯାପାଇଁ ସମୟ, ଶକତି, ସଂଚୟ
ପାଣିପରି ହେଲା ଶ୍ରାଦ୍ଧ,
ଖରା ଓ ବରଷା, ଶୀତ,କ୍ଷୁଧା, ତୃଷା
ଆହ୍ୱାନର ପ୍ରତିବଦ୍ଧ ll(9)
ମୁଣ୍ଡକୁ ହାତ ବା ଶାବକକୁ ଡେଣା ପାଇଗଲା ପରେ ଏଵେ,
ସ୍ୱାର୍ଥ ତନୁମନ ହୁଅଇ ଉଚ୍ଚନ୍ନ
ମୂଳକୁତ ଭୁଲିଯିବେ ll(10)
ଲୋକ ଅପବାଦ, ଭୟରେ ଭକତି
ସ୍ମଶାନ, ଘାଟରେ ଠିଆ,
କୁମ୍ଭୀର କାନ୍ଦଣା, ବୃଥା ଆଳାପନା
ପୂର୍ବ ପ୍ରୟୋଜିତ ଯାହା ll(11)
କେତେ ହାଟବାଟ, ନାଟ ଛଟପଟ
ସ୍ତବ, ଓ ନିନ୍ଦାର ପାଠ,
କାନରେ ଶୁଣିଛି, ମଶାଣି ସହିଛି
ହୋଇ ସେ ପଥର କାଠ ll(12)
***********************
ଜୟ କୁମାର ମିଶ୍ର,