* ଅନୁତାପ *
•••••••••••
ବନଲତା ଜାଲି
♣•••••♣
ଜାଣତରେ ଅବା ଅଜଣତେ ହେଉ.
ହୋଇଯାଏ କେବେ ପାପ
ସେଇ କାଳିମାକୁ ମନରୁ ଲିଭାଇ
ଧୋଇଦିଏ ଅନୁତାପ
ନୂଆ ସମ୍ଭାବନା ହୁଏ ଅନୁଭୂତ
ଯାହା ଭୁଲ୍ କୁ କରଇ ମାର୍ଜିତ
ପାପକୁ କରେ ଧ୍ବଂସୀଭୂତ
ସତ୍ ଚେତନା ହୋଇ ଉଦଜୀବିତ
ନିଜକୁ ସୁଧାରିବାକୁ
ହୁଅଇ ପ୍ରସ୍ତୁତ ll
ମନମଧ୍ୟେ ସୃଷ୍ଟି ହୁଏ ଦ୍ଵନ୍ଦ
ଜାଣି ହୁଏ ଭଲ ଆଉ ମନ୍ଦ
ବହିଯାଏ ଚେତନାର ଝଡ଼
ଜୀବନ ନିଏ ଭିନ୍ନ ଏକ ମୋଡ଼
ହୃଦୟରେ ଚାଲେ ଆଲୋଡନ
ମନ ବିବେକ ମଧ୍ୟରେ ହୁଏ ଆନ୍ଦୋଳନ
ଆଖିକୋଣେ ଝରି ପଡେ
ଅମାନିଆ ଲୁହ
ନିଜକୁ ସଜାଡିବାକୁ
ଚାଲେ ଅଭିପ୍ରାୟ
ଏହାହିଁ ଅନୁତାପର ଜ୍ୱାଳନ
ଯାହା ଚରିତ୍ରରେ ହୁଏ ପ୍ରତିଫଳନ ll
ମନେ ଉଙ୍କିମାରେ ଅନେକ କାରଣ
ମୋ ବିବେକ କାହିଁ ମୋତେ କଲାନି ବାରଣ
ସେଦିନ କାହିଁକି ମନ ନ ଥିଲା ସଜାଗ
ଦୁରେଇଗଲା କାହିଁକି ଅନୁରାଗ
ମାନବିକତାର କାହିଁକି ହେଲାନି ଉଦ୍ରେକ
ଚେତନାକାହିଁକି ମୋତେ କଲାନି ସ୍ମରଣ
କରିବାକୁ ହୀନ କାର୍ଯ୍ୟ
ଚାହିଁଲାତ ମନ
ଆତ୍ମା କାହିଁ ପାଇଁ ମୋର ହେଲାନି ସଂଯତ
ଦୁର୍ବଳତା ହେଲା କାହିଁ ମୋ ମନର ଦମ୍ଭ
ଆଜି ମୁଁ ଜଳୁଛି ଅନୁତାପର ନିଆଁରେ
ନା ମୁଁ ବଞ୍ଚୁଛି ନା ମୁଁ ମରିପାରେ ll
ଅନୁତାପ ଏମିତିକା ଆତ୍ମାଶୁଦ୍ଧ ବାରୀ
କଳଙ୍କିତ ଇତିହାସ ସବୁଦିଏ ମାରି
ପାପ, ମନ୍ଦ, ଲୋଭ, ମୋହ
ଆସେ ନାହିଁ ଜମା
ଯେତେକରିଥିଲେ ଭୁଲ
ହୋଇଯାଏ କ୍ଷମା
ଅନୁତାପ ଧୋଇ ନିଏ
ଅହମିକାର କାଳିମା
ନୂଆ ଏକ ଦିଗନ୍ତକୁ କରଇ ଆଭାସ
ମନରୁ ଦୁରେଇ ଦିଏ ଯେତେ ଅବଶୋଷ
ଉଦଭାସିତ ହୁଏ ମନେ
ସତ୍ୟର ଆଲୋକ
ସଦ୍ ଗୁଣ,ସତ୍ ସାହସ
କରଇ ପ୍ରକାଶ
ଅନୁତାପରୁ ଉଦ୍ଭବ ହୁଏ ପ୍ରାୟଶ୍ଚିତ
ପ୍ରାୟଶ୍ଚିତ ହୃଦୟକୁ କରଇ ପବିତ୍ର
•••••••••••••••••
465 total views, 1 views today