ଶୀର୍ଷକ: କିଛି ସ୍ୱପ୍ନ ମୋ ପାଇଁ ମନା
ସେସବୁ ସ୍ୱପ୍ନ
ଯାହା
ଓଠ ସ୍ପର୍ଶ ପୂର୍ବରୁ
ଆଖିର କୋଣରେ
ସମାଧିସ୍ଥ ହୁଏ,
ବୋଧେ !
ସେମାନଙ୍କୁ
ଶୁଭେଚ୍ଛାଠୁ ଅଧିକ
ଶ୍ରଦ୍ଧାଞ୍ଜଳି ପସନ୍ଦ ।।
ସେସବୁ ଆଶା
ଯାହା
ସ୍ବପ୍ନ ହେବା ପୂର୍ବରୁ
ହୃଦୟର ବଗିଚାରେ
ମଉଳି ଯାଏ,
ବୋଧେ !
ସେମାନଙ୍କୁ
ରଙ୍ଗ ଅପେକ୍ଷା
ରକ୍ତାକ୍ତ ହେବା ଭଲ ଲାଗେ ।।
ସେସବୁ ଆକାଂକ୍ଷା
ଯାହା
ପୂର୍ଣ୍ଣତାର ପରିଚୟ ଆଗରୁ
ସମାପ୍ତିର ଚଟାଣରେ
ବତୁରି ଯାଏ,
ବୋଧେ !
ସେମାନଙ୍କୁ
ନିଶ୍ୱାସ ବଦଳେ
ନିଷ୍ଫଳ ଶ୍ରେୟସ୍କର ଲାଗେ ।।
ସେସବୁ ଆବେଗ
ଯାହା
ଆଲୋଡ଼ିତ ଭାବନା ହେବା ପୂର୍ବରୁ
ଶ୍ବାସ ପ୍ରଶ୍ଵାସରେ
ଦ୍ରବୀଭୂତ ହୁଏ,
ବୋଧେ !
ସେମାନଙ୍କୁ
ଦ୍ରାଘିମା ଅପେକ୍ଷା
ଦୀର୍ଘଶ୍ବାସ ପସନ୍ଦ ।।
ସେସବୁ ଛବି
ଯାହା
ଜୀବନ କାନ୍_ଭାସ୍ ରେ ଚିତ୍ରିତ ପୂର୍ବରୁ
ଆଖିର ଦୃଶ୍ୟପଟ୍ଟଳରୁ
ଅଚିରେ ଅପହୃତ ହୁଏ,
ବୋଧେ !
ସେମାନଙ୍କୁ
ସମୀପ ଠାରୁ
ସମାପ୍ତ ଭଲ ଲାଗେ ।।
କାଳି କୁମାର
ଭୋଗରାଇ, ବାଲେଶ୍ଵର