#ହାକୁମ୍_ଢାବଲ୍
◆◆◆◆◆◆◆◆
ଅଦୂରରୁ ସୂକ୍ଷ୍ମ ଶ୍ରୁତିପଟରେ ବାଜିଲା
ଅଜବ ଏକ ଶୃଙ୍ଖଳିତ କୋଳାହଳ
ଏକାଗ୍ର ଚିତ୍ତରେ ଚେଷ୍ଟାକଲି ଶୁଣିବାକୁ
ଓଃ ଏ ତ କାହାର ଅନ୍ତର କାନ୍ଦଣା
ସଠିକ ଭାବେ ଠଉରାଇ ପାରିନଥିଲି
କିନ୍ତୁ ବେଶ ଆତ୍ମୀୟତା ଥିଲା ସେ ସ୍ୱରରେ ।
ଆଖି ଦ୍ବୟ ମୋର ମଧ୍ୟ ବତୁରିଗଲା
ବତୁରା ଆଖିରୁ ଗଜୁରି ଉଠିଲା
ଅନେକ ଅନ୍ତହୀନ ପ୍ରଶ୍ନର ଚାରା ।
ଓଢଣୀ ଆଢୁଆଳୁ ଓଗାଳି ଦେଲା ସେ
କାହାର ସଂଗୋପିତ ଦୁଃଖ ।
ଧୋ ରେ ବାୟା ଧୋ
ଶୁଣୁଥିବା କାନଟି କେତେବେଳେ ଯେ
ହାକୁମ୍ ଢାବଲ୍ ହାକୁମ୍ ଢାବଲ୍ ଶୁଣି
ଦେଇ ସାରିଥିଲା ମେଲାଣି
ଇତିହାସ ହେବାକୁ ଅପେକ୍ଷାରତ
ତା’ ଅଭିଳାଷ ଆକାଂକ୍ଷା ମାନଙ୍କୁ ।
ଦିସ୍ତା ଦିସ୍ତା ଶୈଶବର ପୁଲକତା,
ହସ ଖେଳ ସ୍ୱାଧୀନତା
ସବୁକିଛି ଜଳି ଯାଇଥିଲା
ବିବାହର ହୋମକୁଣ୍ଡରେ ।
କାତି ଛାଡୁଥିବା ସର୍ପମାନଙ୍କ
ଋତୁକାଳୀନ ନବ କଳେବରକୁ
ସେ ବୋକି କାହୁଁ ବା ବୁଝିପାରିବ ?
ମୁଁ କିଛି ତ ଅବାକ
ତଥାପି
ସହସା ତା ମୁହଁକୁ ତୋଳିଆଣିଲି ।
ନିର୍ନିମେଷ ନୟନେ ସ୍ତବ୍ଧ ହୋଇଗଲି
କାଲୁଆ ପାଲଟିଗଲା ମୋ ଅଷ୍ଟାଙ୍ଗ ଶରୀର,
ଏଇ ତ ଅବିକଳ ମୋରି ରୂପକଳ୍ପ
ତେବେ କଣ ଇଏ ମୋ ଅନ୍ତରର
ସେହି ନାରୀ ?
ଯିଏକି,
ଭଗ୍ନୀ, ଜନନୀ, ଜାୟାର ତ୍ରିଦେବୀ ରୂପେ
ଅଲୋଡ଼ା ଜୀବନ ବଞ୍ଚି
ନିଜ ଭିତରେ ନିଜେ ନିର୍ଜୀବ ମୂର୍ତ୍ତିଟେ ପାଲଟି
ପ୍ରେତପୁରୀରେ ଭଟକୁଛି !
★★★★★★★
©ଦୀପିକା ଦାଶ
591 total views, 1 views today