ବରଗଛ : ବାପା
ଅଦରକାରୀ ଲତା ଓ ଗଛ ମାନେ ଚତୁର୍ଦ୍ଦଶ ଲୁଇ ପରି ଶାସନ କରନ୍ତି ଆମ ଗାଁ ଘରେ । ବଡ଼ ଆଲିଗର ତାଲାଟିଏ ଦିନରାତି ଛବିଶି ଘଣ୍ଟା ଜଗୁଆଳି ହୋଇ ପହରା ଦେଉଥାଏ ସେଠି। ପୋଖରୀ ଉପର ବାଡ଼ିରେ ଅଛନ୍ତି ମୋ ବାପା।ମାସକେ ଥରେ ଗାଁ କୁ ଯାଏ ସେଇ ଅବାଧ୍ୟ ଶାସକ ଓ ପ୍ରଭୁ ଭକ୍ତ ଜଗୁଆଳିର କଥା ବୁଝିବାକୁ ଏବଂ ମୋ ବାପାଙ୍କୁ ପୂଜିବାକୁ।
ଗଗନ ଦାଦା ଜମିବାଡ଼ି କଥା ବୁଝନ୍ତି। ଜେଜେ ବାପା ଓ ଜେଜେମା ସରଗବାସୀ ହେଲା ପରେ ଆମ ଗାଁ ଘର ଦେବତା ଶୁନ୍ୟ ମନ୍ଦିର ପରି। ବାପାଙ୍କୁ ଦେଖି ନାହିଁ। ମାଆ ମୋତେ ତିନି ବର୍ଷ ହେଲା ବେଳେ ଅନାଥ କରି ଧନୁଷ୍ଟଙ୍କାରବାତରେ ଆକାଶର ତାରା। ମୋତେ ଏଡେଟିକେରୁ ଏଡେଟିଏ କରିଛନ୍ତି ମୋ ଜେଜେବାପା ଓ ଜେଜେମାଆ। ପ୍ରକୃତି ନିୟମାନୁଯାୟୀ ଜେଜେମାଆ ପରେ ଜେଜେ ମୋତେ ଏକା କରି ଚାଲିଗଲେ।
ଭୁବନେଶ୍ବର ସେକ୍ରେଟାରୀରେ ମୋର ଚାକିରି । ଏଗାର ବର୍ଷର ଝିଅ ମୁଗ୍ଧା , ସାତ ବର୍ଷର ପୁଅ ସାଇ ଓ ସ୍ତ୍ରୀ କଇଁକୁ ନେଇ ମୋ ସଂସାର।ପୋଖରୀ ବାଡ଼ିରେ ଜେଜେମାଆର ବରଗଛଟି ଅଛି ଯାହା ଦେହରେ ଗୁଡେ଼ଇ ହୋଇଛି ସରୁ ଅଶ୍ୱତ୍ଥ ଗଛଟିଏ ।
ଜେଜେମାଆ ଏଇ ବର ଓ ଅଶ୍ୱତ୍ଥ ଗଛକୁ ବାହା କରେଇଲା ପରେ ମୋ ବାପା କୁଆଡେ ଜନ୍ମ ହୋଇ
ଥିଲେ। ପିଲାଦିନେ ବାପା ବାପା କହି କାନ୍ଦିଲେ ଜେଜେମାଆ ମୋତେ ନେଇ ଏଇ ବରଗଛଟିକୁ ଦେଖାଇ କୁହେ,ଏଇ ତୋ ବାପା । ଏମାନଙ୍କୁ ପୂଜି ବନ୍ଧ୍ୟା ଦୋଷ ମୋର ଦୂର ହୋଇଥିଲା। କଅଁଳ ପିଲା ମନରେ ବରଗଛଟି ମୋ ବାପା ପାଲଟି ଯାଇଥିଲା।
ପଞ୍ଚମ ବୃତ୍ତି ପରୀକ୍ଷା, ଭାଷଣ ପ୍ରତିଯୋଗିତାରେ ଜିଲ୍ଲାରେ ପ୍ରଥମ, ଦଶମ ଫାଷ୍ଟକ୍ଳାସରେ ପାସ୍ ,ବି ଏସ ସି
ଡିଷ୍ଟିକସନ୍ ରଖି ପ୍ରଥମ ଶ୍ରେଣୀ ପାଇବା କିମ୍ବା ମୋ ଚାକିରି କଥା ସବୁ ଆସି ଏଇ ବରଗଛକୁ କହିଛି । ମୋ ଜୀବନର ଦୁଃଖସୁଖ ବେଳେ ଏଇ ବରଗଛ ତଳେ ମୁଣ୍ଡିଆ ମାରିଛି। କଇଁକୁ ବାହା ହେବା ପରେ ଏହାଠାରୁ ଆଶୀର୍ବାଦ ନେଇଛି।ଖୁସିରେ ମୁଗ୍ଧା ଓ ସାଇ ଜନ୍ମ ଖବର ବି ୟା ସହ ବାଣ୍ଟିଛି।
ଆଜି ଗଗନ ଦାଦା କହୁଛନ୍ତି ସେଇ ବରଗଛଟିକୁ କାଟି ପୋଖରୀ ଉପର ବାଡ଼ିରେ ଚାଷ କରିବାକୁ ! ଏ କେମିତି ସମ୍ଭବ ହେବ ! ଦାଦା ଏ ପରା ମୋ ବାପା। ବାପାକୁ କଣ ନିଜ ହାତରେ କେହି କାଟେ ?
କଣ ଏପରି ପାଗଳଙ୍କ ପରି କହୁଛୁ କିରେ ଜିତୁ ଏଇ
ବରଗଛଟି ତୋ ବାପା !!
ହଁ ଦାଦା ଖାଲି ବାପା ନୁହଁନ୍ତି ମୋ ଠାକୁର। ଆଉ ଯୁଆଡେ ଯାହା କର ଦାଦା ଏ ବାଡ଼ି ଏମିତି ପଡ଼ିଥାଉ। ମୁଁ ଏଠି ଗୋଟେ ଘର ଓ ଚାନ୍ଦିନୀ କରିବି। ଗାଁ ଲୋକେ ପ୍ରତି ବର୍ଷ ଏଠି ନାମ ଯଜ୍ଞ କରିବେ।ପିଲାମାନେ ଏହାର ଓହଳରେ ଖେଳିବେ।
ପାଗଳଟା ; ତୋରି ଲାଭ ପାଇଁ କହୁଥିଲି ନା।ଏତେ ବଡ଼ ଜମିଟା ଛାଇ ହେତୁ ବେକାର ପଡିଥିଲା।ଗଛ କାଟି ଦେଇଥିଲେ ଖୁବ୍ ଲାଭ ବାନ ହୋଇଥାନ୍ତୁ ତୁ।
ଦାଦା ମନ ଊଣା କରି ଚାଲିଗଲେ।ବର ଗଛକୁ କୁଣ୍ଢେଇ ମୋ କଣ୍ଠ ବାଷ୍ପରୁଦ୍ଧ।ବର ପତ୍ର କୋତୋଟି ମୋ ମୁଣ୍ଡ ଉପରେ ଗଦା ହୋଇ ପଡ଼ିଲା।ସତେକି ବାପା ଆଶୀର୍ବାଦ କରୁଥିଲେ ମୋତେ ଅଦୃଶ୍ୟରେ ।
Satyabati swain, balikuda, jagtsinghpur
ସତ୍ୟବତୀ ସ୍ୱାଇଁ,ବାଲିକୁଦା,ଜଗତସିଂହପୁର