#ସେହି ନାରୀ
ନାମ ସିନା ତା’ ଦୁହିତା ଦୁଇକୁଳକୁ ସେ ହିତା
ଧରାରେ ଜନମ ଲଭେ ସହିବା ପାଇଁ ,
ବାପାଙ୍କର ଅଲିଅଳି ଭାଇ ସାଥେ କରେ କଳି
କିଛି ନ ପାଶୋରି ଯାଏ ଏରୁଣ୍ଡି ଡେଇଁ,
କାହାର ସେ ଅରି ନୁହଁଇ
ମମତାମୟୀ ମାଆ ସେ ସେନେହମୟୀ ।
ଦେବୀ ମମତା ମନ୍ଦିରେ ଲୁହ ପୋଛେ ପଣତରେ
ଦୁନିଆରେ କେହି ବି ନୁହଁଇ ତା’ ସମ,
ଲୁଚାଇ କୋହକୁ ହୃଦେ ସେନେହ ଡୋରିରେ ବାନ୍ଧେ
ପରକୁ ଆପଣାର କରିବା ତା’ କାମ,
ନିଜ ଖୁସିକୁ ଭୁଲିଥାଇ
ବାଣ୍ଟି ଚାଲିଥାଏ ପ୍ରେମ ସନ୍ତାନ ପାଇଁ ।
କେବେ ସେ ଦ୍ରୌପଦୀ ସାଜି ସଭାସ୍ଥଳେ ଲାଗେ ବାଜି
ସମ୍ପର୍କ ପଶାପାଲିରେ ହୁଏ ନିଲାମ,
କେବେ ସେ ସୀତା ସାଜଇ ଅଗ୍ନିପରୀକ୍ଷା ଦିଅଇ
ସତୀତ୍ୱ ତା’ ହୁଅଇ କେବେ ବଦନାମ ,
ସବୁ ସହେ ସେ ସର୍ବଂସହା
ଅପନିନ୍ଦାର ମୁକୁଟ ପିନ୍ଧଇ ଯାହା ।
କେବେ ପାଏ ନିର୍ଯ୍ୟାତନା କେବେ ପାଏ ପ୍ରତାରଣା
ଛଳନା ଛୁରୀକାଘାତେ କ୍ଷତାକ୍ତ ମନ ,
କେବେ ହୁଏ ସେ ଲୁଣ୍ଠିତା କେବେ ହୁଏ ଅପହୃତା
ନାରୀ ମାଂସଲୋଭୀ ହଜାଏ ତା’ ସପନ,
କେବେ ଦଶଭୂଜା ସାଜଇ
ପାପୀ ମହିଷାସୁରକୁ ବଧିବା ପାଇଁ ।
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟ
ଜଗତସିଂହପୁର
୯୩୩୭୮୦୦୫୬୫
413 total views, 2 views today