🕒#ଭୋର_ତିନିଟା_ପଇଁଚାଳିଶ🕒
ଯେତେବେଳେ ମୋ ପୃଥିବୀ ପାଲଟେ
ଗର୍ଭିଣୀ ଆଶାମାନଙ୍କର ଶତ୍ରୁ
ଜୀଵନ ଯେବେ ସାଲିସ କରେ ପିଶାଚ ସାଥେ
ତୁମେ ଆସ ଠିକ ପାହାନ୍ତାରେ ହେଲେ ତିନିଟା ପଇଁଚାଳିଶ …….
ବୟସ ଯେବେ ମୋର ହଜି ହଜିଯାଏ
ତୁମକୁ ଦେଖେ ମୁଁ ନିତି ସପନରେ
ଠିକ ଗୋଟିଏ ସ୍ବପ୍ନଦୋଷ ଭୋଗୁଥିବା
ପ୍ରେମରୋଗୀଟିଏ ପରି……
ଯେବେ ଦାରିଦ୍ର୍ୟ କଷଣ ରେ ମୋତେ ଜ୍ୱର ହୁଏ
ଅସହ୍ୟ ଯାତନାରେ ବିକଟାଳ ରଡିଛାଡ଼େ
ତୁମେ ଆସ ପଢାଇବାକୁ ପ୍ରେମ ବର୍ଣ୍ଣବୋଧ
ଚକ ଅଖ ଠାରୁ ଆରମ୍ଭ କରି ସବୁ ଯୁକ୍ତାକ୍ଷର…….
ଯେବେ ନିଜ ଭାଗ୍ୟକୁ ଆଦରି
କମରରେ ଗାମୁଛାକୁ ଭିଡି କ୍ଷେତକୁ ଯାଏ
ତୁମେ ଆସି ଅଚାନକ ହିଡ କଡେ ବସ
କେଜାଣି କଣ ସବୁ କହି କଇଁ କଇଁ କାନ୍ଦ…….
କ୍ଷେତରୁ ସେଦିନ ଅକ୍ଷି ମୁଠି ଅନୁକୂଳ ସାରି
ଅପନ୍ତରା ରାସ୍ତାଦେଇ ଘରକୁ ଫେରୁଥିବା ବେଳେ
କାଳେ ମୋତେ ଶୋଷ ଲାଗିଥିବ
ପିଇବାକୁ ଦେଇଥିଲ ତୁମେ ବାଡ଼ି ପଇଡ଼ ପାଣି……
କ୍ଷେତରୁ ଫେରିବା ଉଛର ହେଲେ ଆକାଶରେ ବଉଦ ଗରଜିଲେ
ତୁମ ଛାତିରେ ପଶଇ ଛନକା
ପୁଣି କୁହ ମୋତେ ତୁମର କେଉଁ ଦରବ ଅଭାବ ଯେ
ଚାଷ କରିବାଟା ନିହାତି ଲୋଡ଼ା…..
ତୁମେ ମୋତେ କେତେ ଭଲପାଅ
ତୁମଦେହ ର ପରଦା ଫାଙ୍କରୁ ଜାଣିହୁଏ
ତୁମ ଅପାଙ୍ଗ ଦୋହଲା ଆଖିର ଲୁହ ଜାଳିଦିଏ ସବୁ
ମୋ ପରି ମାଟି ମଣିଷର ପେଟ ତଳ ଭୋକ…….
ଆରେ ଏ କଣ !.. ତୁମେ ଲିଭି ଯାଉଛ
କଳାପଟା ରୁ ପାଠ ଲିଭିଲା ପରି….
କଣ କହୁଛ ତୁମେ ପୁଣି ଆସିବ ଫେରି
ଘଣ୍ଟା ରେ ବାଜିଲେ ପାହାନ୍ତି ତିନିଟା ପଇଁଚାଳିଶ….
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା, ମୁଖ୍ୟ ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*