*ମୁଁ ଏକ ଜୀଅନ୍ତା ଶବ*
ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଏକ ଯନ୍ତ୍ର ମାନବ ମୁଁ…..
କାରଣ
ଏଠି ଗଧ ଭଳି
କଳଙ୍କର ଭାରକୁ ବୋହି ବୋହି
ପାଲଟି ଯାଇଛି ଏକ
ବାଲୁକା ରାଶିର ବାଲିକଣା
ପରିବାର, ସାଙ୍ଗ, ସାଥି, ବନ୍ଧୁ ବାନ୍ଧବ,
ଆତ୍ମୀୟ ସ୍ୱଜନ ଠାରୁ ଆରମ୍ଭ କରି
ସମାଜ ଓ ପ୍ରତିବେଶୀ ମାନଙ୍କ ପାଦର ଚାପରେ
ମୁଁ ହୋଇପଡିଛି ଏକ ଶବ…..
ନିଜର ଇଛାକୁ ମନ ରୂପକ ଶ୍ମଶାନରେ ପୋଡି
ହୋଇପଡିଛି ଏକ ଜୀଅନ୍ତା ଶବ |
ଯେଉଁଠାରେ
ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ
ମୋ ସହ ଖେଳୁଛି
ଲୁଚକାଳିର ଖେଳ,
ବୟସ ଆଖିରେ ପଟି ବାନ୍ଧି
ଦୌଡ଼ି ଦୌଡ଼ି ଥକିପଡେ
ଜୀବନର ଅପରାହ୍ନରେ
ଠିକ୍ ସେତିକିବେଳେ
ସ୍ମୃତି ସବୁ ସତେଜ ହୋଇପଡ଼ନ୍ତି
ଆଉ ଉପହାସ କରନ୍ତି
ଏବଂ କହି ଉଠନ୍ତି
ଆରେ
ତୁ ପରା ଏକ ଜୀଅନ୍ତା ଶବ |
ସାମୂହିକ ସୁଖପାଇଁ
ନିଜ ସୁଖକୁ ଜଳାଞ୍ଜଳି ଦେଇ
ସୁଖର ଖୋଳପା ପିନ୍ଧିବାର ଅଭିନୟ କରୁଛି
ନିଜର ଇଚ୍ଛାକୁ ନିଜ ଭିତରେ ସମାଧି ଦେଇ
ନିଜକୁ ହରାଇବାର ଭୟରେ
ପାଲଟି ଯାଇଛି ଏକ ଥୁଣ୍ଟା ବରଗଛ
ନିଜ ଶରୀରକୁ କ୍ଷତାକ୍ତ କରି
କେତେ ଯେ ସାହାରା ସାଜିଛି
କିନ୍ତୁ ଏବେ
ଅନ୍ୟର ସାହାରାରେ ବଞ୍ଚି
ହୋଇଯାଇଛି ଏକ ଜୀଅନ୍ତା ଶବ |
*ମୃତ୍ୟୁଞ୍ଜୟ ସାହୁ*
*ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ*
*କବିତା ମିନାର ସାହିତ୍ୟ ଘର*
*ବଡମ୍ବା, କଟକ*
*ମୋ:- 9090700601*