** *ତୋତେ କାହିଁକି ପୂଜିବି କହ* **
ଜାଣି ତୁମ ପଣ ଡାକେ ଅନୁକ୍ଷଣ
ବଧିର ପରାଏ ରୁହ,
ବଢ଼ିଲେ କଷଣ ଜଣାଏ ତକ୍ଷଣ
ଜାଣି ବି ଅଜଣା ହୁଅ,
କିସ ମୁଁ କରିବି କୁହ,
କେମିତି ପୂଜିବି କାହିଁକି ପୂଜିବି
ଭାଳେସିନା ବଢେମୋହ।
କରିଲେ ଭଜନ ହୁଅ କି ଭାଜନ
ପାପେ ବିଚଳିତ ନୁହ,
ପାପେ ଅନୁଗ୍ରହ ବଢ଼େ ଅହରହ
ଧରଣୀ ହୁଏ ଅଥୟ,
ସୃଷ୍ଟି ହେବ କି ବିଲୟ !
କେମିତି ପୂଜିବି କାହିଁକି ପୂଜିବି
ଅକାରଣେ ବଢ଼େ ମୋହ।
ସୁନ୍ଦର ପ୍ରକୃତି କାହାର ସୁ-କୃତି
ବଳେ, ପାଇଛି ତା ଦେହ,
ଭାଳଇ ଅଳପ ଅଦଭୂତ ରୂପ
ଭଣି କି ପାରିବି କହ,
ବଢ଼ି ଯାଏ ମୋର ମୋହ,
କାହିଁକି ପୂଜିବି କେମିତି ପୂଜିବି
ଦେଖାଅ କି କେବେ ମୁହଁ?
ତୁହି ମହାଶକ୍ତି ପଡ଼ିଲେ ବିପତ୍ତି
ନ ହୋଇବୁ ଯେବେ ସାହା,
କାହାକୁ ମୁଁ ଆଶା କରିବି ଭରସା
ପାଶେ ଥାଉ ଚଉବାହା,
କିଏ ଦେଖାଇବ ରାହା,
କି ଲାଗି ପୂଜିବି ତୁମକୁ ଭଜିବି
କୁହ ହେ ଜଗତ ନାହା?
***************************
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ*********************
430 total views, 1 views today