ଉତ୍କଳ ଜନନୀ ବୀର ପ୍ରସବିନୀ
**************************
ପ୍ରସନ୍ନ କୁମାର ମେହେର
**********************
ଉତ୍କଳ ଜନନୀ ବୀର ପ୍ରସବିନୀ
ପୂଣ୍ୟତୋୟା ସ୍ରୋତସ୍ବିନୀ
ପୂତ ଚିତ୍ରୋତ୍ପଳା ଯା’ହୃଦେ ଉତ୍ପଳା
ରତ୍ନଗର୍ଭା ମାଁ ଧାରିଣୀ ।
ଚାରିଧାମ ମଧ୍ୟେ ପୁରୀର ଶ୍ରୀକ୍ଷେତ୍ର
ପୂଣ୍ୟ ଜଗନ୍ନାଥ ଧାମ
ମନ୍ଦିର ମାଳିନୀ ପ୍ରକୃତି ରାଗିଣୀ
ସୂକ୍ଷ୍ମ କଳାକୃତି କାମ ।
ଫିରିଙ୍ଗି ହଟାଇ ସ୍ବାଧୀନ ଚେତାଇ
କେତେ ବୀର ପୁତ୍ର ଗଣ
ସ୍ବତନ୍ତ୍ର ପ୍ରଦେଶ ଗଠନ ପାଇଁ କି
ଦୃଢ଼ ବଳେ ଆନ୍ଦୋଳନ ।
ମଧୁବାବୁ ସାଥେ ଗୋପବନ୍ଧୁ ଦାସ
ଫକୀର ମୋହନ ସ୍ମରେ
ନୀଳକଣ୍ଠ ଦାସ ରାଧାନାଥ ରାୟ
ଆନ୍ତରିକ ନେତୃତ୍ବରେ ।
ଗଙ୍ଗାଧର ସହ ବାସୁଦେବ ରାଜ
କୃଷ୍ଣ ଚନ୍ଦ୍ର ଗଜପତି
ଉତ୍କଳ ପ୍ରଦେଶ ନିରିମାଣ ଆଶେ
ଜାଗି ଥିଲା ଦେଶପ୍ରୀତି।
ଏପ୍ରିଲ ପହିଲା ଉନିଶ ଛତିଶ
ସ୍ବତନ୍ତ୍ର ରାଜ୍ୟ ମାନ୍ୟତା
ଉତ୍କଳ ପ୍ରଦେଶ ନାମେ ସୁବିଖ୍ଯାତ
ଓଡ଼ିଶା ହେଲା ବିଦିତା ।
ସ୍ବପ୍ନ ର ଓଡ଼ିଶା ସାକାର ଲଭିଲା
ଓଡ଼ିଆ ଭାଷା ସ୍ବତନ୍ତ୍ର
ଓଡ଼ିଶା ବାସୀଏଁ ଭୁଲି ପାରିବେ ନି
ସେଇ ମହାନ ବ୍ୟକ୍ତିତ୍ବ ।
ଏ ପୂଣ୍ୟ ଦିବସେ ସୁମରିଣ ଆଜ
ଶୂର ପ୍ରସୂ ମହାଯଶ
ଯାହାଙ୍କ ପ୍ରୟାସେ ପୂର୍ଣ୍ଣତା ଆୟାସେ
ସ୍ବତନ୍ତ୍ରତା ଅଭିଳାଷ ।
ଛଅଟି ଜିଲ୍ଲା କୁ ନେଇ ସଂଗଠିତ
ଓଡ଼ିଶା ପ୍ରଦେଶ ଏକ
ସମ୍ବଲପୁର କୋରାପୁଟ ଗଞ୍ଜାମ
ବାଲେଶ୍ଵର ପୁରୀ କଟକ।
ଉତ୍କଳ ଦିବସେ ପବିତ୍ରତା ଆଶେ
ହାର୍ଦ୍ଦିକ ଅଭିବାଦନ
ସ୍ବାଧୀନ ଚିନ୍ତନ ସ୍ବାଧୀନ ମନନ
ସର୍ବ ହୃଦେ ଜାଗରଣ ।
##################