*ତୁମେ ଗଢ଼ିଛ ଏ ସୁନାର ସଂସାର*
**********************
ସୀମାଞ୍ଚଳ ପଣ୍ଡା
***********
ସୁନାର ସଂସାର ଭୁବନରେ ସାର
ଗଢ଼ି ଦେଇଛ ହେ ବିଶ୍ୱ ବିନ୍ଧାଣି,
ଜୀବ ଜଡ଼ ଯେତେ ରଚି ଏ ମରତେ
ସବୁ ଯୋଗାଇଛ ମନକୁ ଜାଣି।
ତୁମ ଇଚ୍ଛା ଜାଣି ଆସେ ଦିନ ମଣି
ହୁଏ ଦିନ ରାତି ବଦଳେ ଋତୁ,
ଘନ ପ୍ରଭଞ୍ଜନ କରେ ଜୀବ ଦାନ
ଜ୍ୟୋତିଷ ପ୍ରକାଶ ଗଗନ ପ୍ରାନ୍ତୁ,
ଉଦ୍ଭିଦଙ୍କ ଦାନ ଅନ୍ନ ସଞ୍ଜୀବନ
ଦରକାର ଚିଜ କର ଭରଣି,
ସୁନାର ସଂସାର ଭୁବନରେ ସାର
ଗଢ଼ି ଦେଇଛ ହେ ବିଶ୍ୱ ବିନ୍ଧାଣି।
ଲଗାଇଛ ନାଟ ବତାଉଛ ବାଟ
ଜୀବନ ପଥରେ ହେଉଛ ସାହା,
ଅମାନିଆ ହୋଇ ଅବାଟରେ ଯାଇ
ବଣାହୁଏ ଯିଏ ଖୋଜଇ ରାହା।
ମଣିଷର ବୁଦ୍ଧି ହୁଅଇ ଅଶୁଦ୍ଧି
ପାପାଚାରେ ଧରା ଭରଇ ବିଷ,
ଭାତ୍ରୁ ଭାବ ହାରି ଶତ୍ରୁ ଭାବ ଧରି
ରଣେ ଅକାରଣେ ଲୋଡ଼େ ବିନାଶ,
ପ୍ରକୃତି ବିକୃତି ରୋଗର ବିପତ୍ତି
ଅଶାନ୍ତି ପ୍ରକୋପେ କମ୍ପେ ଧରଣୀ,
ଜୀବ ଜଡ଼ ଯେତେ ରଚି ଏ ମରତେ
ସବୁ ଯୋଗାଇଛ ମନକୁ ଜାଣି।
ସୁନାର ଧରଣୀ ଚୂନା ହୁଏ ପୁଣି
ସାର ଜୀବ ନର ହୁଏ ଅସାର,
ଦେଇ ସଦବୁଦ୍ଧି ରଖ ଦୟାନିଧି
ଭବେ ଜୀବ ନାବ ହୁଏ ଅଧୀର।
****************
ଖୁବ ସୁନ୍ଦର ବର୍ଣ୍ଣନା