*** *ଟିପେ ପୃଥିବୀର ମୋହ* ***
ସୀମାଞ୍ଚଳ ପଣ୍ଡା
***********
ଟିପେ ପୃଥିବୀର ମୋହର ବିକାର
ମାନବିକ ପଣ କରେ ହରଣ,
ଅମଣିଷ ପଣ ହିଂସ୍ର ଆଚରଣ
ଯେତେ ଅଘଟଣ ତା’ର କାରଣ।
ସୂଚ୍ୟଗ୍ର ମେଦିନୀ କଦାପି ଦେବନି
ବୋଲି ଦୁର୍ଯ୍ୟୋଧନ କଲାବାରଣ,
ହେଲା ମହାରଣ ତାହାର କାରଣ
କୁଳୁକୁଳ ଦର୍ପ ହେଲା ଦଳନ,
ଟିପେ ଭୂମି ପାଇଁ ପଛେ ଘୁଞ୍ଚେ ନାହିଁ
ରାଷ୍ଟ୍ର, ରଣ ପଥେ କରେ ଧାବନ,
ଟିପେ ପୃଥିବୀର ମୋହର ବିକାର
ମାନବିକ ପଣ କରେ ହରଣ।
ଭାଇ ଭାଇ ଭାଗ ଶତ୍ରୁ ମନୋଭାବ
ଟିପେ ଜମି ଲାଗି ଲାଗଇ କଳି,
ପଡୋଶୀଙ୍କ କଳି ରଣ ଠାରୁ ବଳି
ସଂସାରେ ଜୀବନ ନପାରେ ଚଳି।
କୋଠା ଜମି ବାଡ଼ି ଧନ ପଛେ ପଡ଼ି
ଗାଦିରେ ପଦରେ ବଢ଼ଇ ମୋହ,
କାମିନୀ କାଞ୍ଚନ କରେ ସମ୍ମୋହନ
ଅଳପ କଥାରେ ବଢ଼େ ବିଦ୍ରୋହ,
ମୋହ ବଶେ ନର ,ସାଜେ ଭସ୍ମାସୁର
ଅକାଳେ ମରଣ କରେ ବରଣ,
ଅମଣିଷ ପଣ ହିଂସ୍ର ଆଚରଣ
ଯେତେ ଅଘଟଣ ତା’ର କାରଣ।
ଟିକେ ଧରା ପାଇଁ ଥରି ଯାଏ ମହୀ
ରଣରେ ପଣରେ ଉଗ୍ର ମାନବ,
ସୁନ୍ଦର ସଂସାର କରେ ନାରଖାର
ଅନ୍ଧ ମଣିଷର ମନ୍ଦ ସ୍ୱଭାବ।
********************
511 total views, 1 views today