*ମୁଁ ନିମିତ୍ତ ମାତ୍ର*
••••••••••••••
ଡ. ପ୍ରିୟମ୍ୱଦା ସାମଲ
**********
ବିଶ୍ବ ବ୍ରହ୍ମାଣ୍ତର ରଚୟିତା ତୁମେ
ମୁଁ ଅଟେ ମାନବ ଛାର
ନାହିଁ ବିଦ୍ଯା ବୁଦ୍ଧି କର ଆତ୍ମା ଶୁଦ୍ଧି
ମୁଁ ତ ନିମିତ୍ତ ମାତର।
ଗଢିଛ ଅମ୍ବର ଖଂଜିଛ ଭାସ୍କର
ତାରାଗଣେ ସୁଶୋଭିତ
ଚାନ୍ଦକୁ ଦେଇଛ ଶୀତଳ ଆଲୋକ
ଦର୍ଶନେ ମନ ଲୋଭିତ।
ଧରାକୁ ସଜ୍ଜିତ କରିଛ ପ୍ରଭୁହେ
ନାନା ବର୍ଣ୍ଣାଳୀ ଗଛିତ
ସବୁଜ ରଂଗରେ ଗଛପତ୍ର ଶୋଭେ
ଦେଖି ମନ ପୁଲକିତ।
ଫୁଲରେ ଦେଇଛ ଜାତି ଜାତି ରଂଗ
ନାନା ସୁଗନ୍ଧିରେ ଭରା
ପକ୍ଷୀର କଣ୍ଠରେ ଭରିଛ ବିତାନ
କି ସୁନ୍ଦର ସତେ ଧରା।
ସାଗରେ ଦେଇଛ ନୀଳରଙ୍ଗ ଭରି
ଲହଡି ଗାଉଛି ଗୀତ
ପଶୁ ପକ୍ଷୀ ଦେହେ ନାନା ଜାତି ରଙ୍ଗ
କରେ ପରା ବିମୋହିତ।
ସଂସାରେ ଭରିଛ ସ୍ନେହ ପ୍ରେମ ଦୟା
ମାନବିକତାର ସ୍ବର
ଏତେ ଦୁଃଖ, ଦହଗଞ୍ଜ ପରେ ମଧ୍ଯ
ସଂସାର ଲାଗେ ମଧୁର।
ଜାଣିନାହଁ ଭକ୍ତି ପୂଜା ଅରଚନା
ଜାଣିନି ମୁଁ ମନ୍ତ୍ରପାଠ
ତୁମରି ନିର୍ଦ୍ଦେଶ ଚାଲଇ ଜଗତ
ହୁଅନି ନିଷ୍ଠୁର କାଠ।
ସଂସାର ନାଆରେ ତୁମେ ତ ସାରଥି
ମୁଁ ଅଟଇ ଯାତ୍ରୀ ଛାର
ତୁମରି ଦୟାର ପଟାନ୍ତର ନାହିଁ
ମୁଁ ତ ନିମିତ୍ତ ମାତର।
•••••••••••••
ପ୍ରିୟମ୍ବଦା ସାମଲ