ମାଟିଘର 🏠
ନରୋତ୍ତମ ପରିଡ଼ା
***************
ମାଟି ଘର ମୋ ଆଶାର ଆସିଆନା
ମମତାର ବାସ୍ନା ଚିନ୍ହା, ଅଚିନ୍ହା
ଅଦୃଶ୍ୟ ହାତରେ ଗଢ଼ା ପୁରୁଷ, ପୁରୁଷର.
ମୋ ମାଟିଘର, ପିଢ଼ି ପିଢ଼ିର ଅତ୍ମୀୟତା
ଶୁଣିଛି ସେ ମାଟିର ସ୍ୱର, କାନ ଡେରି ଭୂଇଁରେ
ନିସ୍ତବ୍ଦ ଦ୍ବିପହରେ ପୁଣି ଅର୍ଦ୍ଧରାତ୍ରୀ ନିଶାଚରେ
ଅଶୁଣା ସ୍ୱର ମୋ ଆତ୍ମୀୟ ସ୍ୱଜନଙ୍କ
ମୋ ଘର, ମୋ ସର୍ଜନା ମନ୍ଦିର
ଚାପା କଣ୍ଠ, ଶିଶୁ କଳରବ କେବେ ହର୍ଷଉଲ୍ଲାସ
ପୁଣି କେତେ ମିଳନ ବିଛେଦ କ୍ରନ୍ଦନ
ଜଳିଛି ଲିଭିଛି କେତେ ଆଶା ନିରାଶାର ପ୍ରଦୀପ
ପୁଣି କେତେ ଶେଷ ନିଶ୍ୱାସର ଇତି ଧ୍ଵନି…
ଶୁଣିଛି ପଦଧ୍ଵନି ଅଦେଖା ଆତ୍ମୀୟଙ୍କ…
ଡେଇଁବାକୁ ଏରୁଣ୍ଡି ବନ୍ଧଟା ଅପେକ୍ଷାରେ
କେତେ କୁଳବଧୁ ସେ ଘରକୁ ମନ୍ଦିର ମନାସି
ସେ ଘରକୁ ମୋର କରି ଝୋଟି ଚିତାରେ.
ପୁଣି ହାଣ୍ଡିସାଳେ ପିଣ୍ଡ ବାଢି ପିତୃ ପୁରୁଷଙ୍କୁ
ଅନୁମତି ଭିକ୍ଷା ମାଗି କୁଳବଧୁ ପାଇଁ..
ଶେଷେ କୋକେଇ ରେ ଡେଇଁ ସେ ଏରୁଣ୍ଡି
କରିଥିବେ ଶେଷଯାତ୍ରା ମିଶିବାକୁ ଅଦୃଶ୍ୟ ସ୍ଵଜନେ.
ଅବ୍ୟକ୍ତ ସେ ସ୍ମୃତି ଅନୁଭବ, ଝୁରେ
ଅତୀତର ସାଗରରୁ ଶିଶିର ବିନ୍ଦୁଟି ପାଇଁ..
ପେଷିତ କାଳଚକ୍ରରେ ଜନ୍ମ, ଜନ୍ମାନ୍ତର ସ୍ମୃତି
ଆଦି ଅନ୍ତର ଇତିହାସ
ଅବ୍ୟକ୍ତ ଇତି ସମାଧୀରେ ଲୀନ
ଗଢିବାକୁ ନୂଆ ଇତିହାସ
ଅପେକ୍ଷାରେ ମୁକସାକ୍ଷୀ ମୋ ମାଟିଘର…..
ଖୋଜୁଛି ଅସ୍ତିତ୍ୱ ନିଜ ଭଗ୍ନ ଅନାଦର ବୁକୁ ନେଇ
ଆଜି ଏ କଂକ୍ରିଟ ଜଙ୍ଗଲରେ…
******************
ନରୋତ୍ତମ ପରିଡା.