ଉଜୁଡା ବସନ୍ତ
*********
ଉଜୁଡା ବସନ୍ତ ଉଜାଡି ଦେଇଛି
କଦମ୍ବର କୁଞ୍ଜବନ
ମଥୁରାକୁ ଗଲେ କ୍ରୁର ସାଥିରେ
କଳାକାହ୍ନୁ ଯେଉଁ ଦିନ।।
କୁଞ୍ଜବନ ପତ୍ରଝଡି ପଡିଲାଣି
ଶୁଭୁନି କୋଇଲି ସ୍ବନ
ଲତାକୁଞ୍ଜ ସବୁ ଶ୍ରୀହୀନ ହୋଇଛି
ଝୁରେ ରାଧାରାଣୀ ମନ।।
ଗୋପାଙ୍ଗନାମାନେ ବିରଷ ମନରେ
ଭାଳନ୍ତି କହ୍ନାଇ କଥା
କାହ୍ନୁ ବିନା ସବୁ ଉଜୁଡି ଯାଇଛି
ମନରେ ଭରଇ ବ୍ୟଥା।।
ଉଜୁଡା ବସନ୍ତ ଉଜାଡି ଦେଇଛି
ରାଧାର ସବୁ ସପନ
ତନୁ କ୍ଷୀଣ ହୁଏ କୃଷ୍ଣ କଥାଭାଳି
କଟେ ରାତି ଆଉ ଦିନ।।
କଥା ଦେଇଛି ଫେରିବ ସେ କାହ୍ନୁ
ସତେକି ଫେରିବ ଆଉ
ଉଜୁଡା ବସନ୍ତ ସଜା ହୋଇବ
କୋଇଲି ଗାଇବ କହୁ।।
***********
ବନଲକ୍ଷ୍ମୀ ମହାନ୍ତି