” #ସନ୍ଧ୍ୟା “
***************
ଗୋଧୂଳି ଅନ୍ଧାରେ ଗୋଧନ ମେଳରେ
ପଲକକୁ ଝାପ୍ସା ଦିଶ ,
ରକ୍ତିମ ତପନ ପଶ୍ଚିମେ ଡୁବିଲେ
ପାଦ ଥାପି ତୁମେ ଆସ…।।
ତୁମେ ପୁଣି ଆସ ଘଣ୍ଟ ଆଳତିରେ
ଠାକୁରଙ୍କ ପୂଜା ଘରେ ,
ଚାଷୀ ଭାଇ ପୁଣି କ୍ଷେତରୁ ବାହୁଡ଼ି
ଥକା ମାରେ ନିଜ ଦ୍ୱାରେ…।।
ତୁମ ଆଗମନେ ତାରାମେଳେ ଶଶୀ
ଗଗନୁ ଆସନ୍ତି ଉଇଁ ,
ଆପଣା ବେଉସା ସାରିକି ସଭିଏଁ
ଆସନ୍ତି ଘଟିକୁ ଧାଇଁ…।।
ଶାବକ ପାଖକୁ ବିହଙ୍ଗ ସାଦରେ
ବସାକୁ ଫେରନ୍ତି ପୁଣି ,
ବନ ଗହନରେ କାକଳି ସଙ୍ଗୀତ
ମଧୁର ଲାଗଇ ଶୁଣି…।।
ଦେବାଳୟୁ ଶୁଭେ ଭଜନ କୀର୍ତ୍ତନ
ଖୋଳ ସଙ୍ଗେ ତାଳ ମେଳେ ,
ଚଉରା ମୂଳରେ ସଞ୍ଜବତୀ ପୁଣି
ନବବଧୂଟିଏ ଜାଳେ…।।ଆଗୋ ସନ୍ଧ୍ୟା ତୁମେ ଆସୁଥାଅ ନିତି
ନୂତନ ରାତ୍ରିକୁ ନେଇ ,
ନରମ ଦେହରେ ସଭିଙ୍କୁ ଆଦରି
ନେଉଥା କୋଳେ କୋଳେଇ…।।
==================
✍️ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର