୧–ଝିଅ ତ ବାପାର
:::::::::::::::::::::::
ହଠାତ ପୋଲିସ ବାବୁଙ୍କ ଫୋନ ପାଇ ଦିନା ମଉସା ଧାଇଁ ଆସିଲେ ସରକାରୀ ଡାକ୍ତରଖାନା l ଝିଅ ମିନୁ ସେମିତି ଶୋଇ ରହିଥାଏ ଖଟିଆ ଉପରେ, ଦେହ ଗୋଟାକ ସାରା ଜ୍ବଳନର ଅସହ୍ୟ ବେଦନା ଫାଟକ ପର୍ଯ୍ୟନ୍ତ ଶୁଭୁ ଥାଏ l ଆଖି ଦୁଇଟା ଯାହା ଦେଖାଯାଉଥାଏ , ଦିନା ମଉସା ଆଖି ବଡ଼ ବଡ଼ କରି ପୋଲିସ ବାବୁଙ୍କୁ ଚାହିଁବାରୁ ସେ କହିଲେ ଯୌତୁକ ଲୋଭର ଏ ପରିଣାମ, ଶେଷ ଥର ଦେଖିନିଅ ମଉସା ଆଉ ଅଳ୍ପ ସମୟ l ଦିନା ମଉସାଙ୍କ ଆଖି ଯୋଡିକ ଅମାନିଆ ଲୁହ ଗୁଡାକ କଥା ଜମାରୁ ମାନିଲେନି, ଭୋ ଭୋ ରଡି କରି କାନ୍ଦି ଉଠିଲେ ମିନୁକୁ ଚାହିଁ l ଶେଷ ନିଶ୍ୱାସ ପାଖେଇ ଆସୁଥାଏ ହାତ ଠାରି ମିନୁ ମଉସାଙ୍କୁ ଡାକି ତାର ଛଅ ମାସର ଝିଅ ଆଡକୁ ଆଙ୍ଗୁଠି ଦେଖାଇ ସବୁ ମନ କଥା କହିଦେଲା ବିନା ଶବ୍ଦରେ, କୋରଡ଼ିଆ ଆଖି ଯୋଡିକ ଏବଂ ମୁହଁର ଧଳା ଦାଢ଼ି, ଲୋଚାକୁଚା ଚର୍ମ ଗୁଡିକ ସ୍ପଷ୍ଟ ରୂପେ କହୁଥାନ୍ତି ବୟସ ଢଳି ପଡିଲାଣି ମୁଁ ଅସମର୍ଥ ମା କିନ୍ତୁ ମୁତ୍ୟୁ ପରେ ମଧ୍ୟ୍ୟ ମିନୁର ଆଖି ଯୋଡିକ କହୁଥାଏ ଆଉ କିଛି ବର୍ଷ ବଞ୍ଚିବାକୁ ହେବ ଏ ବୁଢା ବରଗଛକୁ…… କାହିଁକି ନା….”ଝିଅ ପରା ବାପାର ” l
୨- #ଘରର ଲଷ୍ମୀ
::::::::::::::::::::
ଆଜିକୁ ବର୍ଷକ ଉପରେ ହୋଇ ଗଲାଣି ରାଧାକୁ ମହାପାତ୍ର ଘରେ ବୋହୂ ହୋଇ ଆସିବାରେ l କେବେ କାହା ମନରେ କଷ୍ଟ ଦେବାର କି ପ୍ରତିଉତ୍ତର ଦେବାର କେହି ଦେଖିନାହାନ୍ତି l ଆଦର୍ଶ ବୋହୂ ହିସାବରେ ବଢ଼ି ଭୋରୁ ଖଟୁ ଖଟୁ ରାତି ଅଧ, କେହି କେବେ ଦେହ ପା, ଭଲମନ୍ଦ, ଖାଇଲାଣି କି ନାହିଁ, ବିଷୟରେ ବୁଲିକି ଅନାନ୍ତିନି କି ବାସୀ ମୁହଁରେ ପଚାରନ୍ତି ନାହିଁ ତଥାପି ଘରର ପ୍ରତ୍ୟେକ ସଦସ୍ୟର କାମ ସେ କରେ l କିଛିଦିନ ହେବ ସାନ ନଣନ୍ଦ ରାନୁ ଘରେ ଡେରା ବାନ୍ଧିଛି , ପ୍ରତିଟି କଥାରେ ରାଧା ଉପରେ ତାର ତୀକ୍ଷ୍ଣ ଶବ୍ଦ ବାଣ କିନ୍ତୁ ରାଧା ସବୁ ସହିଯାଏ, କଣ ଅବା କରିବ,ଘରର ପ୍ରତ୍ୟେକ ବ୍ୟକ୍ତିତ୍ୱ ସବୁ ଦେଖି ଅନ୍ଧ,ମୂକ, ବଧିର l ସେଦିନ ମାଣବସା ଗୁରୁବାର ଭୋଗ ଶାଶୁ ସଭିଙ୍କୁ ଦେଲେ ଏବଂ ରାଧାକୁ ମଧ୍ୟ୍ୟ, କିନ୍ତୁ ଝିଅ ରାନୁକୁ ନୁହେଁ l ରାନୁ ରାଗିକରି ମା କୁ ଏହାର କାରଣ ପଚାରିଲା କଣ ରାଧା ମୋ ଠାରୁ ତୁମର ଅଧିକ ପ୍ରିୟ??
ଶାଶୁ କହିଲେ ରାଧା ଘରର ବୋହୂ, ଘରର ଲଷ୍ମୀ, ତାରି ପୁର୍ଣ୍ୟ ବଳରେ ଏ ଘରର ଶୁଭ ମଙ୍ଗଳ, ସେଥିପାଇଁ ଘରର ଲଷ୍ମୀ ହିଁ ଗୁରୁବାର ମାଣ ଭୋଗର ଅଧିକାରିଣୀ l ତୁ ବିଭାଘର ପରେ ପର ଗୋତ୍ରୀ ସେଥିପାଇଁ ତୋର ଆଉ ଏ ଘର ଉପରେ କୌଣସି ଅଧିକାର ନାହିଁ l ଏହା ଶୁଣି ରାନୁ ରାଗିକରି ନିଜ ଶାଶୁ ଘରକୁ ଯିବାକୁ ବାହାରିଲା, ତା ମା ଏବଂ ପରିବାରର କୌଣସି ବ୍ୟକ୍ତି ମଧ୍ୟ୍ୟ ତାକୁ ଅଟକାଇଲେ ନାହିଁ କିନ୍ତୁ ଏହା ଭିତରେ ରାଧା ମନ ଭିତରେ ଦବି ରହିଥିବା ଅସଂଖ୍ୟ ଦୁଃଖ,କୋହ ପରିଷ୍କାର ଭାବେ ଧୋଇ ହୋଇଯାଇଥିଲା l ସେ ପୁନର୍ବାର ଏକ ସ୍ୱଚ୍ଛ ମନରେ ତା ଘର ପରିବାର ସଜାଡିବାରେ ଲାଗି ଯାଇଥିଲା l
୩-କଳଙ୍କ
::::::::::::::
ମଦୁଆ ସ୍ୱାମୀର ଉପଦ୍ରଵ ସହ ତିନୋଟି ପିଲାଙ୍କ ଦାୟିତ୍ୱ ଖାଇ ସାରିଥିଲା ଉର୍ମିକୁ l ରାତିପାହିଲେ ଭୋକ ଏବଂ ଅଭାବ ତା କବାଟ ବାଡେଇବା ଆରମ୍ଭ କରିଦିଏ, କେତେ ଲଢ଼ିବ l ଯାହାକିଛି ପର ଘରେ ମୁଲ,ପାଇଟି କରି ରୋଜଗାର କରୁଥଲା ଲକଡାଉନରେ ସବୁ ବନ୍ଦ l ସରକାରୀ ସୁବିଧା ଖାଲି ଫୋଟୋ ଉଠାଇବା ପର୍ଯ୍ୟନ୍ତ ସୀମିତ ଥିଲା, ତା ଉପରେ ସରକାରଙ୍କ ମଦ ଉପରେ କଟକଣା ଉଠିଯିବାକୁ ସ୍ୱାମୀ ଫେଲୁର ମଦ ପାଇଁ ନିଶା ବିକଳ ହାତର ମାଡ଼ ଶାରୀରିକ ଏବଂ ମାନସିକ ରୂପେ ଦୁର୍ବଳ କରି ସାରିଥିଲା ଉର୍ମିକୁ l ପିଲାଙ୍କ ପେଟ ପୋଡି ଯାଉଥିବାର ଦେଖି ସେ ମଧ୍ୟ୍ୟ କିଛିଦିନ ଖଣ୍ଡଗିରି ରାସ୍ତା କଡ଼ରେ ଛିଡା ହେବାକୁ ଉଚିତ ମଣିନେଲା l ପ୍ରତିଦିନ ପୋଲିସ ପେଟ୍ରୋଲିଙ୍ଗ ଜିପ ଠୁ ଆରମ୍ଭ କରି କୁଜି ନେତାଙ୍କ ପାଖରୁ ଏବେ ସେ ବେଶ ରୋଜଗାର କରିନେଉଥିଲା l ସ୍ୱାମୀ ଫେଲୁ ଆଜିକାଲି ଭାରୀ ଖୁସି, ସମୟ ଅନୁସାରେ ମଦ ପି ବାକୁ ପଇସା ମିଳି ଯାଉଥିଲା ଏବଂ ପିଲା ଦୁଇ ଗୁଣ୍ଡା ଭଲ ଖାଇବାକୁ ପାଇ ଯାଉଥିଲେ ଏବଂ ଉର୍ମିକୁ କହୁଥିଲେ ମା ତୁ ଏମିତି ପ୍ରତିଦିନ ରାତି କାମକୁ ଗଲେ ଆମେ ସମସ୍ତେ ଭଲରେ ଗଣ୍ଡେ ଖାଇ ରହିପାରୁଛୁ, ସବୁଶୁଣି ଉର୍ମି ଖାଲି ହସିଦିଏ ଏବଂ ଆଇନା ଆଗରେ ନିଜ ଶରୀରଟା ଦେଖିଲେ ଖାଲି ତାକୁ ଘୃଣା ଲାଗେ ନିଜ ଉପରେ , ସେ ଗାଧୁଆ ଘରେ ପଶିଯାଇ ଜୋରେ ଜୋରେ କାନ୍ଦେ,ଧୋଇ ହୁଏ, ଖୁବ ଧୁଏ ତା ଘୃଣ୍ୟ ଶରୀରକୁ କିନ୍ତୁ ପିଲାଙ୍କ ଭୋକ ଭରା କଷ୍ଟ ତାକୁ ପୁନର୍ବାର ଅସହାୟ କରିଦିଏ ରାତିର କଳଙ୍କ ପାଇଁ l
୪-ଭୋକ
::::::::::::
ଲକଡାଉନ ସମୟ ନଈ ପଠାରେ,ଗାଁ ମହାବିଦ୍ୟାଳୟର ଅଧକ୍ଷ ଚୋୖଧରୀ ବାବୁଙ୍କ ପୁଅ ରାହୁଲ, ଗ୍ରାମ ବିଦ୍ୟାଳୟର ଶିକ୍ଷକ ବିମ୍ବାଧର ବାବୁଙ୍କ ପୁଅ ବିରଞ୍ଚି ଏବଂ ରିକ୍ସାବାଲା ଖତୁଆର ପୁଅ ଲିଟୁ ବସି ନିତି ଦୁଃଖସୁଖ ହୁଅନ୍ତି ଏବଂ ପାଖ ମନ୍ଦିର ପ୍ରାଙ୍ଗଣରେ ଖେଳନ୍ତି l ସେଦିନ ରାହୁଲ କହିଲା ସାଙ୍ଗ ମାନେ ଜାଣିଛ ମୁଁ ଗୋଟେ ସୁନ୍ଦର ସ୍ବପ୍ନ କାଲି ଦେଖିଲି, ଉଭୟ ସାଙ୍ଗ ପଚାରିଲେ କଣ? ସେ କହିଲା ମୁଁ ଉଡ଼ାଜାହାଜରେ ବସି ବୁଲୁଛି, ଅନେକ ପାହାଡ଼, ଜଙ୍ଗଲ, ନଦୀ, ସମୁଦ୍ର l ଏହା ଶୁଣି ତୁରନ୍ତ ବିରଞ୍ଚି କହିଲା ଏହି କଥା ମୁଁ ମଧ୍ୟ୍ୟ କାଲି ଗୋଟେ ସୁନ୍ଦର ସ୍ବପ୍ନ ଦେଖିଲି, ପୁଣି ଉଭୟ ସାଙ୍ଗ ପଚାରିଲେ କଣ? ସେ କହିଲା ମୁଁ ନୂଆ ସ୍କୁଲ ଯାଇଛି, କେତେ ନୂଆ ନୂଆ ବହି, ଖାତା, କଲମ, ନୂଆ ଜାମା ଏହା ଶୁଣି ତୁରନ୍ତ ଲିଟୁ କହିଲା ଧେତ ତମ ମାନଙ୍କ ଠାରୁ ମୁଁ ଆହୁରି ସୁନ୍ଦର ସ୍ବପ୍ନ ଦେଖିଛି କାଲି, ପୁଣି ଉଭୟ ସାଙ୍ଗ ପଚାରିଲେ ଆରେ କଣ ଦେଖିଲୁ? ସେ କହିଲା ବାପା ଚାଉଳ ଆଣିଛନ୍ତି, ବୋଉ ଭାତ ରାନ୍ଧିଛି, ତା ସାଙ୍ଗରେ ଆଳୁ, ବାଇଗଣ ପୋଡା, ବଢ଼ି, ଲୁଣ,ପିଆଜ,ଲେମ୍ବୁ ଝୋଳ ବାସ୍ନାରେ ରୋଷଇ ଘର ଏବଂ ପଖାଳ କଂସା ମହକି ଉଠୁଛି, ଆମେ ସମସ୍ତେ ଖୁବ ପେଟ ପୁରାଇ ଖାଇଛୁ…… ” କିନ୍ତୁ ଏତେ ଖାଇକି ମଧ୍ୟ୍ୟ ମୋତେ ଭୋକ ଲାଗୁଛି, ମୋ ପେଟ କାହିଁକି ପୋଡି ଯାଉଛି ” କହି ସେ ଭୋ ଭୋ କରି କାନ୍ଦି ଉଠିଲା l
୫–ବାପା
:::::::::::::
ସବୁଦିନ ରମା ଆଉ ମୋର ଶୀତଳ ଯୁଦ୍ଧ, ଏଇ ବାପାଙ୍କ ଵୃଦ୍ଧାଶ୍ରମ ଯିବାକୁ ନେଇ l ସବୁବେଳେ ତାର ଗୋଟେ ଜିଦ ବାପାଙ୍କୁ ଵୃଦ୍ଧାଶ୍ରମରେ ଛାଡିଦିଅ, ଏ ଘରେ ଏତେ ଲୋକ ଜାଗା ହେଉନାହାନ୍ତି ସେଥିପାଇଁ କୌଣସି ସାଙ୍ଗସାଥୀ କିମ୍ୱା ବନ୍ଧୁ ବାନ୍ଧବ ମଧ୍ୟ୍ୟ ଆସି ପାରୁନାହାନ୍ତି, ତାଉପରେ ବାପାଙ୍କ ରାତି ସାରା କାଶ l ସେଥିପାଇଁ କେହି ଶାନ୍ତିରେ ଟିକେ ଶୋଇ ପାରୁନାହାନ୍ତିl
ସେଦିନ ଅଫିସରୁ ଆସିଲା ବେଳେ ଵୃଦ୍ଧାଶ୍ରମ ଫର୍ମ ଟି ଆଣି ପୁରା କଲି l ସେମାନଙ୍କୁ କହି ଆସିଲି ଦୁଇ ଦିନ ପରେ ବାପାଙ୍କୁ ଆଣି ଛାଡି ଦେବି, ଘରେ ମଧ୍ୟ୍ୟ ରମା ଶୁଣି ବହୁତ ଖୁସି ହୋଇଗଲା l ଆର ଦିନ ଡାକ୍ତର ପାଖକୁ କାଶ ଔଷଧ ପାଇଁ ବାପାଙ୍କୁ ନେଇଗଲି ସେ ଦେଖି ଔଷଧ ଲେଖିଦେଲେ ଏବଂ ଆଉ କିଛି ଟେଷ୍ଟ ପାଇଁ ଆଉଥରେ ଆଣିବାକୁ କହିଲେ l ଫର୍ମଟି ସାଙ୍ଗରେ ନେଇ ଯାଇଥାଏ ସୁବିଧା ଦେଖି ଫେରିଲାବେଳେ ବାପାଙ୍କୁ ସବୁ ଖୋଲିକି କହିଦେବି l ଆବଶ୍ୟ ସାହସ ପାଉନଥାଏ କିନ୍ତୁ ଆତ୍ମ କହୁଥାଏ ସେ ଆମ ସୁବିଧା ପାଇଁ ହଁ କରିଦେବେ. ମୁଁ ବାପାଙ୍କୁ ଗାଡି ପାଖକୁ ଯିବାକୁ କହି ପଛରେ କିଛି ଔଷଧ ନେଇ ଆସୁଥାଏ ହଠାତ ଦେଖିଲି ବାପା ଝୁଣ୍ଟିକି ଟିକେ ଢଳି ପଡିଲେ, ତୁରନ୍ତ ପାଖରେ ଖେଳୁଥିବା ଏଗାର / ବାର ବର୍ଷ ପିଲାଟି ବାପାଙ୍କ ହାତ ଧରି ପକାଇଲା କିନ୍ତୁ ବାପା ତା ହାତ ଧରିଲେନି ଏବଂ ତାକୁ ଆଉଁସି ଦେଇ କହିଲେ “ମୋ ପୁଅ ପଛରେ ଆସୁଛି ” ହଠାତ ଏ ବାକ୍ୟଟି ମୋ ଅନ୍ତର ଆତ୍ମାର ଅସ୍ତିତ୍ବକୁ ଦୋହଲାଇ ଦେଲା, ଏକ ଭିନ୍ନ ଶିହିରଣ ଖେଳିଗଲା,ମନେ ପଡିଗଲା ବାପା କିପରି ଛୋଟ ବେଳେ ଚାଲିବା ଠାରୁ ଆରମ୍ଭ କରି ସାଇକେଲ ଚଢିବା , ଶିକ୍ଷା, ବୃତ୍ତି ପର୍ଯ୍ୟନ୍ତ ମୋ ହାତ ଧରି ଚାଲିବା ଶିଖାଇଥିଲେ l ମୁଁ ତୁରନ୍ତ ଯାଇ ବାପାଙ୍କ ପାଖରେ ଛିଡା ହୋଇଗଲି, ସେ ପଚାରିଲେ ସବୁ ଠିକ ତ? ମୁଁ କହିଲି ହଁ…. ତେବେ ତୋ ମୁହଁ କାହିଁକି ଶୁଖିଛି?କହି ମୋ କାନ୍ଧରେ ହାତ ପକାଇ ଦେଲେ, ମୁଁ କହିଲି ନାହିଁ ବାପା ସେମିତି କିଛି ନାହିଁ ଆପଣଙ୍କ ଦେହ ପାଇଁ ଚିନ୍ତା ହେଉଥିଲା,ସେ ହାହାହା କରି ହସିଲେ ଏବଂ ମୋ ହାତ ଧରି ଗାଡି ପର୍ଯ୍ୟନ୍ତ ଚାଲୁ ଥିଲେ ମୁଁ ମନେ ମନେ ବାପାଙ୍କୁ ଧନ୍ୟବାଦ ଦେଉଥିଲି କି….. ବାପା ଆଜି ମୋତେ ପୁନର୍ବାର ତଳେ ପଡ଼ୁ ପଡ଼ୁ ବଞ୍ଚାଇ ଦେଇଥିଲେ l ଵୃଦ୍ଧାଶ୍ରମ ଫର୍ମଟି ମୁଁ ଚିରି ଟୁକୁଡା ଟୁକୁଡା କରି ଫୋପାଡ଼ି ସାରିଥିଲି l
ବନସ୍ମିତା ପଣ୍ଡା
କୁନ୍ଦଳ, ଯାଜପୁର
ବହୁତ ଭଲ ଲାଗିଲା । ଜୀବନର ସତ୍ୟ