*ଭାଙ୍ଗି ଦିଅନା ମୋ ହୃଦୟ*
ଭାସ୍କର ରାଉତ
**********************
କେତେ ଭଲ ପାଏ ତୁମକୁ ମୁଁ ସତେ
ମୁହଁ ଖୋଲି କହି ପାରେନା
ତୁମ ଛବି ଦେଖି ରହିଯାଏ ଆଖି
ମନରେ ଆସେ ଭାବନା।
ପାଶେ ଆସନ୍ତକି ବେଳକାଳ ଦେଖି
ମଣନ୍ତି ମୁଁ ଭାଗ୍ୟବତୀ
ଆସନ ପାତିଣ ଧୁଅନ୍ତି ଚରଣ
ନୟନ ନୀରରେ ନିତି।
ମୋ ହାତେ ପରଷି ହେଉଥାନ୍ତି ଖୁସି
ଆନନ୍ଦରେ ଭୁଞ୍ଜୁଥାନ୍ତ
ଦୁଃଖ ଯେତେ ମୋର ହୋଇଥାନ୍ତା ଦୂର
ଆହେ ମୋର ପ୍ରାଣ ନାଥ।
କେତେ ଆଶାନେଇ ବଞ୍ଚିଅଛି ମୁହିଁ
ସେ କଥା କିବା ନଜାଣ
ରହୁଛ ଦୂରେଇ କେଉଁଭାବ ବହି
ଆହେ ମୋର ଜୀବଧନ।
ଝୁରୁଛି ଏ ମନ ସଦା ରାତ୍ର ଦିନ
ଆସହେ ପ୍ରାଣ ବଲ୍ଲଭ
ହୀନ ବୁଦ୍ଧି ମୋର ନକର ଅନ୍ତର
ନଜାଣେ ମିଳନ ଭାବ।
ଦୋଷ କ୍ଷମାକରି ନିଅ କୋଳେ ଧରି
ବାଞ୍ଛା ପୂର୍ଣ୍ଣକର ମୋର
ତୁମେ ନଚାହିଁଲେ କାହାକୁବା ଭଲେ
କରିବି ମୁହିଁ ନିଜର।
ଭାଙ୍ଗି ଦିଅନାହିଁ ହୃଦୟକୁ ମୋର
ମୁହିଁ ତବ କିଣାଦାସୀ
ହେ କଳା ନାଗର ଧରୁଛି ପୟର
କୋଳେ ନିଅ ହସିହସି।
************
ଭାସ୍କର ରାଉତ