*ବଝା ମୁଣ୍ଡିଆ*
ସୁଧାଂଶୁ ଦାଶ
*************************
ମୁଣ୍ଡ ରେ ମୁଣ୍ଡେ କାଙ୍କେଡିଆ ଚୁଟି
ଆଖି ତରାଟି ହୋଇ ଯାଇଛନ୍ତି ଆକାଶାୟିତ
ମାଗିବେ ତ ମାଗିବେ ଆକାଶକୁ
ଆଞ୍ଜୁଳା ରେ ଆଞ୍ଜୁଳେ ଅମୃତ
ସିଞ୍ଚିବାକୁ ମାଟିର ଶୁଖିଲା ଛାତିରେ।
ସେ ତ ଭାବେ ବ୍ରହ୍ମାଣ୍ଡ ର କଥା
ବେଳ କାହିଁ ତାର
ଚିହ୍ନି ବାକୁ ତାର ନିଜର ଆୟୁଷ?
ତାର ଝାଳରେ ଝାଳରେ କଅଁଳି ଉଠୁଥିବା ଦାନା
ଠାବ କରୁଥାଏ ନିଜକୁ
ତାର ମୁକୁଳି ଆସିବାର ବେଳ।
ଅନୁଭବିଛ କେବେ
ତାର ଦେହରୁ ବାହାରି ଆସୁଥିବା ଗହଗହ ବାସ୍ନା
କିନ୍ତୁ ଯଦି କହିଦିଅ
ଏ ଇଟା ମଳିମୁଣ୍ଡିଆ ର ଗରିବୀ ଗନ୍ଧ ବୋଲି
ତେବେ ନିଃସନ୍ଦେହ ରେ ଏବେଠୁ ଖୋଜି ନିଅ
ନର୍କ କୁ ତୁମପାଇଁ ପଡ଼ିଥିବା ତୁମ ଭାଗ୍ୟରେଖା
ଆଉ ପଚାର ତୁମ ଚଉଦ ପୁରୁଷ ଙ୍କୁ
କାହା ଅନ୍ନ ବ୍ରହ୍ମ ରେ ଗଡା ହୋଇଛି ତାଙ୍କ ପିଣ୍ଡ ଓ ବ୍ରହ୍ମାଣ୍ଡ।
ହଜାଇ ଦେଇଛି ସେ ତାର ଠିକଣା ବର୍ଣ୍ଣାଳୀ ଭିତରେ
ପ୍ରତିଟି ଜୀବକୋଷ ରେ ତାର ଚିନ୍ତା ଓ ଚେତନା
କେମିତି ପୁରିବ ଏ ବିଶ୍ୱ ର ପେଟ ଚାଖଣ୍ଡକ।
ସେ ତପସ୍ବୀ ର ଅନ୍ଧାରୀ ଦେହରେ
ହେଉଥାଏ ସବୁବେଳେ ଅଭିଷେକ ଅଙ୍କୁରୋଗ୍ଦମ ର
ଚେରେଇ ଫଳେଇ ହୋଇ ଯାଉଥାନ୍ତି
ରଜ ବୀର୍ଯ୍ୟ ର ଗୁଢତମ ସତ୍ୟ
ମାଟିର ଛାତିରେ
ସେ ଅହରହ ଘୋଷଣା କରୁଥାଏ ପ୍ରେମ ଯୁଦ୍ଧ
ଡହଳ ବିକଳ ହେଉଥାଏ ସେ
ଠାବ କରିବାକୁ
ଓଦା ଓଦା ଅନୁଭବ ର ତୃପ୍ତ ଅନୁରାଗ
ତୁମକୁ ସବୁ ଦେଇଦେବାର ବିଭୋର ପଣିଆରେ।
ତାର ଚିରାଫଟା କୋତରା ଗାମୁଛାରେ
ପୋଛି ଦେଉଥାଏ
ପରାହତ ମଣିଷର ଆଦିମ ବିଷାଦ
ବିସ୍ମିତ ରହସ୍ୟ ର ପ୍ରତିବିମ୍ବ ରେ
ସମାହିତ କରି ଦେଉଥାଏ
ଜୀବନ ର ଅକ୍ଷତ ଲଳିତ ଲୀଳା କୁ
ମହା ଜାଗତିକ ସ୍ଥିର ଐଶ୍ୱର୍ଯ୍ୟ ରେ।
ବାଣ୍ଟୁଥାଏ ସକଳ ପାର୍ଥିବତା ର ଚରମ ସୃଷ୍ଟି କୁ
ଭାତ ମୁଠାକରେ।
*********************
ସୁଧାଂଶୁ ଦାଶ
*********
(ଆଜିର ଅନ୍ନପର୍ବ ନୂଆଖାଇ ରେ ମୋର ପ୍ରିୟ ମାଟି ପଶ୍ଚିମ ଓଡ଼ିଶା ରୁ କେଉଁ ସମୟରେ ଛିଟିକି ପଡ଼ିଥିବା ମଣିଷ ଟିର ସେଇ ଭୁମିପୁତ୍ର ଙ୍କ ଉଦ୍ଦେଶ୍ୟରେ ସଭକ୍ତି ଏଇ ନିବେଦନ ସହ ଆଭୁମ ପ୍ରଣାମ।)
135 total views, 1 views today