* *ସ୍ୱଚ୍ଛ ହେଉ ଆମ ମନ ଅଗଣା* **
***********************
ସୀମାଞ୍ଚଳ ପଣ୍ଡା
***********
ମନର ଅଗଣା ସ୍ୱଚ୍ଛ ହେଲେ ସିନା
ନିର୍ମଳ ଭାବର ହୁଏ ଉଦୟ,
କବି ଭାବନାର କାବ୍ୟ କଳେବର
ଶାଶ୍ୱତପ୍ରେମରେ ରଖିବ ଲୟ।
ଅସନାରେ ଭରା ଅନ୍ତରଟା ପରା
ଆବର୍ଜନାମୟ ମୂଳରୁ ଚୂଳ,
ଅସ୍ୱଚ୍ଛ ଭାବରେ ମନ୍ଦ ସ୍ୱଭାବରେ
ରଚନା ଛନ୍ଦରେ ମନ୍ଦ ପ୍ରବଳ,
କବିକେବେମନ୍ଦେ ରଚେକି ଆନନ୍ଦେ
ସର୍ବଦା ପୁଣ୍ୟର ଭାବରେ ଲୟ,
ମନର ଭାବନା ସ୍ୱଚ୍ଛ ହେଲେ ସିନା
ନିର୍ମଳ ଭାବର ହୁଏ ଉଦୟ।
ସ୍ୱଚ୍ଛତା ସ୍ୱଭାବେ କବି ଯାହା ଭାବେ
ସ୍ୱଚ୍ଛ ହୁଏ ତା’ର ଭାବ ବଚନ,
ସଂସାରଟା ତା’ର ଭାବରେ ଅଧୀର
ହୁଅନ୍ତି ସରାଗେ କରି ଗ୍ରହଣ।
ସରଗ ପ୍ରେମରେ ଏ ଧରା ଧାମରେ
ଆପଣାର ମଣେ ସକଳ କବି,
ସ୍ୱଚ୍ଛ ହେଲେ ମନ ଆପଣାର ଧ୍ୟାନ
ରଖଇ କାବ୍ୟରେ ଆଙ୍କଇ ଛବି,
କବିର ଜୀବନ ତପସ୍ୱୀର ମନ
ସଂସାର ନିମନ୍ତେ ସଦା ସଦୟ,
କବି ଭାବନାର କାବ୍ୟ କଳେବର
ଶାଶ୍ୱତ ପ୍ରେମରେ ରଖିବ ଲୟ।
ସ୍ୱଚ୍ଛ ହେଉ ଆମ ମନ ନିକେତନ
ଭରି ହେଉ ବାସ ଗୁଣ ସରସେ,
ସଦ୍ଭାବ ସୌରଭ ସୁଗୁଣ ସ୍ୱଭାବ
ବିଶ୍ଵେ ବିତରିବା ମନ ହରଷେ।
**********
ଶିକ୍ଷକ, ଡେଙ୍ଗାଡି,ଗଞ୍ଜାମ
***************