“ଏକ କପ କଫି”
(ରାଗ :- ଚୋଖି)
ପାହିଲା ରଜନୀ ଦେଖ ଡାକଦେଲେ କାକ ପିକ
ଆଖି ମଳି ମଳି ସର୍ବେ ଉଠିଲେ ଚେଇଁ ,
ମାନ୍ଦା ଲାଗଇ ଶରୀର ହାଇ ଆସେ ବାରମ୍ବାର
ମନ ହୁଏନାହିଁ ଶଯ୍ୟା ଛାଡିବା ପାଇଁ ।
ଡାକଦେଲେ ସଂସ୍କାରି ବହୁ…… ,
କଅପେ କଫିରୁ ଦିନ ଆରମ୍ଭ ହେଉ…।।୧।।
“ଏକ କପ କଫି” ପିଇ ଆଳସ୍ୟକୁ ଫିଙ୍ଗି ଦେଇ
ପ୍ରଭାତ କର୍ମ ସାରିଲେ ହୋଇଣ ଖୁସି ,
ସର୍ବେ ନିଜ କର୍ମ ପଥେ ଚାଲିଗଲେ ଯେ ଯେମନ୍ତେ
ବନ୍ଧୁ ପ୍ରିୟଜନଙ୍କୁ ସେ କହଇ ହସି ।
“ଏକ କପ କଫି” ଆମର……
ଅତୁଟ ରଖିଛି ଆମ ସମ୍ପର୍କ ଡୋର ।।୨।।
କଫିର ଏ କରାମତି ମନେ ସଦା ଆଣେ ସ୍ଫ୍ରୁତି
ସୁସ୍ଥ ରଖିଥାଏ ଆମ ଦେହ ଓ ମନ ,
ଭାରି ଉପକାରୀ ସିଏ ଶରୀରେ ଶକ୍ତି ଯୋଗାଏ
ସୁପ୍ତ ଶରୀରରେ ଜାଗି ଉଠଇ ପ୍ରାଣ ।
ଷଡ ଋତୁ ବାର ମାସରେ……
ବେଶୀ ଆଦରଟି ପାଏ ଶୀତ ଋତୁରେ ।।୩।।
ଭିଜି ଭିଜି ବରଷାରେ ପହଞ୍ଚିଲେ ଯାଇ ଘରେ
ମନବଳେ କଫି କପେ ପିଇବା ପାଇଁ ,
ମାଆ ବା ଘରଣୀ ରାଣୀ ଝିଅ ହେଉ ବା ଭଉଣୀ
ସୁଖା ବସ୍ତ୍ର ନେଇ ପାଶେ ଆସନ୍ତି ଧାଇଁ ।
ପରେ ପରେ କଅପେ କଫି……
ପିଇ ପିଇ ବସି ଭାବେ ଆହା କି ସୁଖୀ ।।୪।।
ବଜାର ଘାଟରେ ମିଳେ ଧନୀ ଗରିବ ସକଳେ
ଜାତି ଧର୍ମ ବର୍ଣ୍ଣ ତାର ସବୁ ସମାନ ,
ସାଙ୍ଗସାଥି ହୋଇ ଖୁସି କଫି ପିଇଥାନ୍ତି ବସି
ଭୁଲି ରାଗ ହିଂସା ସର୍ବେ ମିଶାଇ ମନ ।
ସ୍ନେହ ପ୍ରେମ ଅତୁଟ ରହେ……
“ଏକ କପ କଫି” ସାରା ଜଗତ ମୋହେ ।।୫।।
~~~~~~~~~||||||~~~~~~~~~
ନାମ :- ଶାରଙ୍ଗ ଧର ସାହୁ
ଗ୍ରାମ :- ବାର୍ଷିଙ୍ଗା ହିନ୍ଦୋଳ
ଜିଲ୍ଲା :- ଢେଙ୍କାନାଳ
ଭ୍ରାମ୍ୟଭାଷା:-୯୯୩୭୦୬୫୫୧୯