ଶୀର୍ଷକ: ନିସ୍ତବ୍ଧ ରାଜପଥ
ଜଙ୍ଗଲର ବକ୍ଷକୁ ଚିରି
ତିଆରି ହୋଇଥିବା ସେ ରାଜପଥ
ସୂର୍ଯ୍ୟ ପାହାଡ଼ ତଳେ ଲୁଚିଯିବା ପରେ
ନିସ୍ତବ୍ଧ ନିସ୍ତେଜ ନିଷ୍କ୍ରିୟ ହୋଇ
ଅନ୍ଧକାରର ପଣତ କାନି ତଳେ
ସବୁ ଦିନ ପରି ଆଜି ମଧ୍ୟ ଶୋଇ ପଡ଼ିଥିଲା ।।
କିଛି ଅର୍ଥହୀନ ଶବ୍ଦମାନେ
ବୋଧେ ତା’ ପାଇଁ ନାନାବାୟା
ଗୀତ ଗାଉଥିଲେ,
ଆଉ ସେ ଶୋଇ ପଡ଼ୁଥିଲା
ସୁଖ ନିଦ୍ରାରେ,
ଯେମିତି ମା’ କୋଳରେ ଶିଶୁ ଶାବକଟିଏ ।।
ହଠାତ୍ !
ତା’ ନିସ୍ତବ୍ଧ ନୀରବତା
ନିସ୍ତେଜ ନିର୍ଜନତା
ନିଷ୍କ୍ରିୟ ନିଃସଙ୍ଗତା
ଚମକି ଉଠିଲା
ଆଧୁନିକ ଆତତାୟୀମାନଙ୍କ
ଅଚାନକ୍ ଆବିର୍ଭବ ହେତୁ ।।
ଶିରା ପ୍ରଶିରା ତା’ର
ଭୟରେ ଥରିବାକୁ ଲାଗିଲା,
କାଲୁଆ ଶରୀର
ଏବଂ ନିଶ୍ଚଳ ଅଂଗପ୍ରତ୍ୟଙ୍ଗ
ଅନିଚ୍ଛା ସତ୍ୱେ !
କୁହୁଡ଼ିର କାଲୁଆ ଆବରଣକୁ
ଶରୀରରୁ ଅଲଗା କରି
ସେ ଆତତାୟୀ ମାନଙ୍କୁ
ବହୁ ପ୍ରସାରୀ ଆମନ୍ତ୍ରଣ କରି ନେଲା
ନିଜ ଥରିଲା ନିଶ୍ଚଳ ବକ୍ଷରେ ।।
ବାସ୍ ! ତା’ପରେ
ସେମାନଙ୍କର ରାଜୁତି
ଆଉ ଶୋଷଣର ଶିକାର ହୋଇ
ଚୁପ୍ ଚାପ୍ ସହି ଚାଲିଥିଲା
କର୍ମକୁ ଆପଣେଇ –
ଭାଗ୍ୟକୁ ନିନ୍ଦା କରି ।।
କିନ୍ତୁ ସେ ଅର୍ଥହୀନ ଶବ୍ଦ ସମୂହ
ଆଉ କୁହୁଡ଼ିର ଆସ୍ତରଣ
ହାର ମାନି ନ ଥିଲେ
ବେଶ୍ ! ସାମର୍ଥ୍ୟାନୁସାରେ
ବିଦ୍ରୋହ କରି ଚାଲିଥିଲେ,
ଅନେକ ସମୟ ଧରି
ଏକ ଘମାଘୋଟ ଲଢ଼େଇ ଚାଲିଲା
ପ୍ରକୃତି ଏବଂ ଆତତାୟୀ ମାନଙ୍କ ମଧ୍ୟରେ ।।
ନିଃସ୍କର୍ଶ !
ପରିଶେଷରେ ଆତତାୟୀ ସମ୍ମୁଖରେ
ପ୍ରକୃତି ଆତ୍ମସମର୍ପଣ କରି
ପରାଜୟକୁ ଆପଣେଇ
ପୁନଃଶ୍ଚ !
ନିସ୍ତବ୍ଧ ନିସ୍ତେଜ ନିଷ୍କ୍ରିୟ ହୋଇ
ଅନ୍ଧକାରର ପଣତ କାନିକୁ
ଘୋଢ଼େଇ ହୋଇ
ଏକ ଅନିଶ୍ଚିତତା ଭିତରେ ଶୋଇ ପଡ଼ିଲା ।।
କାଳି କୁମାର
ଭୋଗରାଇ, ବାଲେଶ୍ଵର