ଅଧିକାର ନାହିଁ
***********
ପ୍ରସନ୍ନ କୁମାର ସାହୁ
••••••••••••••
ଅଧିକାର ନାହିଁ ବଞ୍ଚିବା ଏଇଠି
ସରଳତା ମନ ନେଇ,
ଆଜିର ଦୁନିଆ ବାସ୍ତବ କହିଲେ
ଜଟିଳ ଯାଇଛି ହୋଇ।
କୁଟ ନୀତି ଆଉ ଚକ୍ରାନ୍ତ ରହିଛି
ପ୍ରତି ପାଦେ ପାଦେ ଭାଇ,
ସରଳ ମଣିଷ ନିଷ୍କପଟ ହୃଦେ
ବଞ୍ଚିବା କଷ୍ଟ ହୁଅଇ।
ବିଶ୍ଵାସର ସତେ ସ୍ଥାନ ନାହିଁ ଏଠି
ବିଶ୍ୱାସ ଘାତକ ବହୁ,
ବିଶ୍ୱାସ କରିବା ମଣିଷ ଏଠାରେ
ଦୁଃଖ ଭୋଗ କରେ ବହୁ।
ନିଜର ବୋଲିଣ ବିଶ୍ୱାସ ଯାହାକୁ
ସେହି ଯେ ହୁଏ ଘାତକ,
ସବୁ ବିଶ୍ୱାସ ପୋଡ଼ି ଆଜି ପାଉଁଶ
ଥିଲା ଆଗରୁ ଯେତକ ।
ଶ୍ଵଶୁର ଘେନଇ ବୋହୂର ଉଜ୍ଜତ
ବିଶ୍ୱାସ ଘାତକ ହୋଇ,
ବୋହୂ ଦେଇଥାଏ ଚାହାରେ ବିଷ
ଧନ ଲୋଭାସକ୍ତ ଥାଇ।
ପତ୍ନୀ ନେଇଯାଏ ପତିର ଜୀବନ
ପର କ୍ରିୟା ପ୍ରୀତି କରି,
ପତ୍ନୀ ଛୁଆଙ୍କୁ ଛାଡ଼ି ପତି ଯାଉଛି
ବିବାହିତା ପତ୍ନୀ ହରି।
ଭାଇ ହୁଅଇ ଯେ ଭାଇର ଭଗାରି
ସରଳ ଭାଇଙ୍କୁ ଦେଖି,
ବିଶ୍ୱାସ କାହାକୁ କରିବା କୁହନ୍ତୁ
ଭଲ ଭାବେ ନ ପରଖି।
ବହୁ ସରଳ ନ ହୋଇବା ସଭିଏଁ
ବକ୍ର ଦୃଷ୍ଟିକୁ ରଖିବା,
ବକ୍ର ଦୃଷ୍ଟିରେ ଦୁନିଆ ପରଖି ହେ
ଘାତକ ସବୁ ଚିହ୍ନିବା।
ନ କଲେ ଏତିକି ଦୁନିଆ ମଧ୍ୟରେ
ଚଳି ହୋଇବାର କଷ୍ଟ,
ବିଶ୍ୱାସ ଘାତକ ବିଶ୍ଵାସରେ ଆମ
ଆମକୁ କରିବ ଭ୍ରଷ୍ଟ।
****************
ପ୍ରସନ୍ନ କୁମାର ସାହୁ