*ଜୀବନ ର ଅନ୍ୟନାମ ଯନ୍ତ୍ରଣା*
ଯନ୍ତ୍ରଣା ………
ଦିଗନ୍ତ ବିସ୍ତାରୀ
ଅଲୋଡା ପଣକୁ
ଆବୋରି ବସିଥିବା
ଯନ୍ତ୍ରଣା ର କୁଣ୍ଡଳିନୀ
ଏବେ ସହସ୍ରାର ରେ
ଅଭିସାର ରତ……. !
ଟୋପା ଟୋପା ସ୍ୱେଦ ପରି
ଝରେ ରକ୍ତ ……
ରକ୍ତ ଝରେ ଶବ୍ଦ ପରି ,
ମୋ ନିଶବ୍ଦ ଇଲାକାକୁ ଆବୋରି….
ଜୀବନର ରଣକ୍ଷେତ୍ରରେ
ଏହି ଯନ୍ତ୍ରଣା ହିଁ ଗଡିଥାଏ
ରକ୍ତ ହୋଇ ,,,,,
ମୋ ହୃଦୟର ପ୍ରତିଟି ଅଂଶ ରେ
ଜୁଝୁ ଥାନ୍ତି ,
ଝୁଣୁ ଥାନ୍ତି ଆଲୋକଭରା
ସ୍ୱପ୍ନିଳ ନିଷ୍ପାପ ହୃଦୟକୁ… !
ମୁଁ ,,,, ହଁ ମୁଁ ଜୁଝୁଥାଏ
କେବଳ ମୋ ନିଜ ସହିତ… ।
ତାର ରେ .. ରେ କାର ଶବ୍ଦ ରେ
ପ୍ରକମ୍ପିତ ମୋର ଏ
ନିରୀହ ଜୀବନ,,,,
ଅସୁମାରୀ ଶବ୍ଦ- ଫୁଲ ଫୁଟେ
ଶବ୍ଦାୟନର ନିଶବ୍ଦ ଇଲାକାରେ ..
ଓଦା ହେଉଥାଏ
ନିରିମାଖୀ ଆଖିର ଲୁହରେ… !
ବାକିଥିବା ଜୀବନ ,
ଖାଲି ପକେଟରେ ହାତ ଭରି
ଖୋଜୁଥିବା ଚିଜ ଟି
ହଜି ଯାଇଛି ଏ ଭିଡ ଭିତରେ…. !
ଯନ୍ତ୍ରଣା ଜର୍ଜରିତ ଏ ହୃଦୟର ,
ତଥାପି ସରେନି ତର୍ପଣ, ସମର୍ପଣ ।
ଅପେକ୍ଷା କରେ
ନିଖୋଜ ଈଶ୍ବରଙ୍କୁ…
ଅଧା ସ୍ୱପ୍ନ ଅଧା ମରିଚିକା ମଧ୍ୟେ
ଜହ୍ନ କୁ ପଚାରେ ,
ଯନ୍ତ୍ରଣା ର ସଂଜ୍ଞା,,,,, ??
ଲୁହ ର ସ୍ୱାଦ,,,,??
ରକ୍ତ ର ମୂଲ୍ୟ ….??
ହୋଇପାରିବ କି
ସେଥିରେ ନଈଟିଏ ??
ଯନ୍ତ୍ରଣା ……..
ସେତ ହଜି ଯାଇଥିବା ହୃଦୟର ପରିଭାଷା,,,,
ଜୀବନ ର ଅଝଟପଣକୁ
ପ୍ରଶ୍ନ କରେ—- ,
ଏଇ ହାରିବା ଜିତିବାର
ମାନେ କ’ଣ…. ?
ମାନେ କଣ ଲୁହକୁ
ଏଇମିତି ସାଥି କରି
ବାରମ୍ବାର ନତ ମସସ୍ତକ ହେବା ?
ସବୁ ବ୍ୟଗ୍ରତା,ସମର୍ପଣ ର
କାରୁଣ୍ୟ ଭିତରେ
ତଥାପି ପାଦମାନେ ଟଳମଳ…
ସବୁ ପ୍ରଶ୍ନ ଓ ଉତ୍ତର ବିବର୍ଜିତ
ଏ ଜୀବନ ଦେହାଳୀରେ
ଧୀରେ ଧୀରେ
ସରି ଆସେ ଆୟୁଷ ,,, !
ସରିଯାଇଥିବା କାରୁଣ୍ୟରେ ଏବେ ମୁଖରିତ ସମୟ
ଆଉ ଏକ ପୁନର୍ଜନ୍ମ ପାଇଁ ,,,, ।
ଅହଂକାର ତଳେ,
ଅଙ୍କୁରୋଦ୍ଗମ ର
ଛୋଟ ଏକ ଆଶା ,
“ଯନ୍ତ୍ରଣା ବିହୀନ ଜୀବନ”
ଯାହା ଦେଇପାରେ
ଅଦୃଶ୍ୟ ସୁରଭିତ ପୁଷ୍ପ
ଏ ମାଟିଠୁଁ ଅଧିକ ବାସ୍ନା ……
ଭୁଲି ଜୀବନ ଯନ୍ତ୍ରଣା ….. !!
*ସାଧନା ପଣ୍ଡା, ଭୁବନେଶ୍ବର*
One thought on “*😇😇ଜୀବନ ର ଅନ୍ୟନାମ ଯନ୍ତ୍ରଣା😇😇*”