March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ପଢନ୍ତୁ ସହଦେଵ ବେହେରା ଙ୍କ ଗଳ୍ପ ଭାଗ୍ୟରେ ଥିଲେ ଶ୍ରୀ ଜଗନ୍ନାଥ ଦର୍ଶନ ମିଳେ

🌹 ଭାଗ୍ୟରେ ଥିଲେ ଶ୍ରୀ ଜଗନ୍ନାଥ ଦର୍ଶନ ମିଳେ 🌹

….. . . . . . . . . . . . . . . . . . . . . . . . . . . . . . . …
ଯେ ଭାବକୁ ନିକଟ ଅଭାବକୁ ଦୂର ସେହି ପରମ ଆରାଧ୍ଯ ପୁରୁଷୋତ୍ତମ ଲୀଳାମୟ ଜଗତକର୍ତ୍ତା କଳା ଠାକୁରଙ୍କ ଅବିଶ୍ବସନୀୟ ଚମତ୍କାରିତା ବର୍ଣ୍ଣନା କରିବା ମୋ ପକ୍ଷେ ଏକ ଧୃଷ୍ଟତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ କୃପା ଦୃଷ୍ଟି ଯାହା ଉପରେ ପଡିଛି ସେ ପରମ ସୌଭାଗ୍ଯର ଅଧିକାରୀ ହୋଇପାରିଛି । କେତେବେଳେ ଅମୀର ଫକୀର ତ କେବେ ଗରୀବ ଅସହାୟ ପୁଣି ଅଚଳାଚଳ ଧନଦଉଲତର ମାଲିକ ହୋଇ ଜୀବନ ବିତାଇଛି । ଜ୍ୟୋତିହୀନ ଆଖିର ଲୁହ ଧାର ଶୁଖୁନଥିବା ନେତ୍ରରେ ସୁନ୍ଦର ଦୁନିଆ ଦେଖିବାର ଆଲୋକ ପ୍ରଦାନ କରିଛନ୍ତି ପୁଣି ଅହଙ୍କାର ଚୂର୍ଣ୍ଣ କରି ନିଜର ଶରଣାପନ୍ନ କରିଛନ୍ତି । ସେହି ସର୍ବ ନିୟନ୍ତା ପ୍ରଭୁ ଅନ୍ତର୍ଯ୍ୟାମୀ ସମସ୍ତ ଅନ୍ତରର ଭାବାବେଗକୁ ବୁଝି ପାରନ୍ତି ।
ପଚିଶ ବର୍ଷ ତଳେ ସେଦିନ ସେହି ଦାରୁବ୍ରହ୍ମ ଜଗନ୍ନାଥଙ୍କ ଉପରେ ଭରସା ରଖି ରେଭେନ୍ସା କଲେଜ, କଟକରୁ କେତେଜଣ ସାଙ୍ଗ ସାଥି ହୋଉ ଟ୍ରେନରେ ବସି ଶ୍ରୀକ୍ଷେତ୍ର ପୁରୀ ଯାତ୍ରା କଲୁ । ଶେଷ ବର୍ଷ ପିଜି ପରୀକ୍ଷା ଆଉ ମାତ୍ର ଏକ ମାସ ବାକି ଥାଏ । ସେଦିନ ଏକ ଛୁଟି ଦିନ ଥାଏ, ସକାଳୁ ମୋର ଜଣେ ଅତି ଘନିଷ୍ଠ ବନ୍ଧୁ ହଷ୍ଟେଲ୍ ରୁମକୁ ଆସି ପୁରୀ ଯିବା କଥା କହିଲା । ମୁଁ ଟିକେ ଆର୍ଥିକ ଅନଟନ ହେତୁ ଅପ୍ରସ୍ତୁତ ହୋଇପଡିଲି , କାରଣ ମୋ ପାଖରେ ସେତେବେଳେ ମାତ୍ର ଶହେ ଟଙ୍କା ଥିଲା , ଘରର ପରିସ୍ଥିତିକୁ ନେଇ ଘରୁ ବିଶେଷ ଟଙ୍କା ପଇସା ମାଗିପାରୁନଥାଏ । ଘରୋଇ ଟ୍ୟୁସନ୍ କରି ହଷ୍ଟେଲରେ ରହି ପଢୁଥାଏ । ମନେମନେ ଭାବିଲି , ଯଦି ପୁରୀ ଯିବା ଆସିବାରେ ସେହି ଶହେ ଟଙ୍କା ଖର୍ଚ୍ଚ ହୋଇଯିବ ତେବେ ପରୀକ୍ଷା ସମୟରେ ହୁଏତ ଅନେକ ଅସୁବିଧା ହୋଇପାରେ ।
ମୋ ଆଡକୁ ସାଙ୍ଗ ଅନାଇ କହିଲା -ଟଙ୍କା ପଇସା କଥା ଜମା ଚିନ୍ତା କରନି । ସବୁ ଠିକ୍ ହୋଇଯିବ । ଗଲା ବେଳେ ହଷ୍ଟେଲରୁ ଖାଇକି କଟକ ପୁରୀ ପାସେଞ୍ଜର ଟ୍ରେନ୍ ରେ ଯିବା, ରେଭେନ୍ସା କଲେଜ ପିଲା ତେଣୁ ଟ୍ରେନ୍ ଟିକଟ ଦରକାର ପଡିବନି । ପୁରୀରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ ପରେ ଅବଡା ଖାଇ , ସମୁଦ୍ର କୂଳରେ ଟିକେ ବୁଲି ପୁଣି ଟ୍ରେନରେ କଟକ ଫେରିବା । କଥାଟା ଯେତେ ମନକୁ ସହଜ ଲାଗୁଥାଏ, ସେତିକି ମନରେ ପ୍ରଶ୍ନ ସୃଷ୍ଟି କରୁଥାଏ । ବନ୍ଧୁର କଥା ରକ୍ଷାକରି ମୁଁ ତରତର ହୋଇ ସବୁ କାର୍ଯ୍ୟସାରି ବାହାରି ପଡିଲି ।
ସମସ୍ତ ବନ୍ଧୁମାନଙ୍କ ମନରେ ଅଫୁରନ୍ତ ଆନନ୍ଦର ଲହରୀ । ସାଙ୍ଗ ହୋଇ ଶ୍ରୀକ୍ଷେତ୍ର ଧାମ ପୁରୀ ଯାଉଛୁ ପ୍ରଭୁ ଭକ୍ତବତ୍ସଳ କଳା ଠାକୁରଙ୍କ ଦର୍ଶନ ପାଇଁ । ମନଟା ଭକ୍ତିପୂର୍ଣ୍ଣ ଭାବାବେଗରେ ଆନ୍ଦୋଳିତ ହୋଇଗଲା । ବିନା ଟିକେଟ୍ ରେ ଟ୍ରେନ୍ ରେ ବସି ପାଠପଢିବାକୁ କଲେଜ ଆସିବା ଜାଣି ମଧ୍ଯ ଟି.ଟି.ଆଇ ଆମକୁ ଛାଡି ଦେଉଥିଲେ । କିନ୍ତୁ ବିନା ଟିକେଟ୍ ରେ ପୁରୀ ବୁଲି ଯିବା ଏହା ହୁଏତ ଅସୁବିଧା ପକାଇପାରେ । ମୋ ଛାତି ଧଡପଡ୍ ହେଉଥାଏ ଯାହା ହେଉ କୌଣସି ଅସୁବିଧା ନ ଥାଇ ପୁରୀ ଷ୍ଟେସନ ରେ ଓହ୍ଲାଇ ଶ୍ରୀ ମନ୍ଦିର ଆଡକୁ ତରତର ହୋଇ ଚାଲିବା ଆରମ୍ଭ କଲୁ ।
ବଡଦାଣ୍ଡର ଧୂଳି ମୁଣ୍ଡରେ ଲଗାଇ ଶ୍ରୀମନ୍ଦିରେ ଫରଫର ଉଡୁଥିବା ପତିତପାବନ ବାନାକୁ ଅନାଇ ହାତ ଟେକି ପ୍ରଣାମ କଲି ପ୍ରଭୁ ଜଗାକାଳିଆକୁ । ସମୟ ସେତେବେଳେକୁ ମଧ୍ୟାହ୍ନ ବାରଟା ପ୍ରାୟ । ବଡଦାଣ୍ଡ ପରେ ସିଂହଦ୍ଵାର ପାଖରେ ଯେତେବେଳେ ପହଞ୍ଚିଗଲୁ ମୋ ଦେହରେ ଏକ ଅପୂର୍ବ ଶିହରଣ ଖେଳିଗଲା । ସତେଯେମିତି ବୃନ୍ତଚ୍ୟୁତ ଶିମିଳି ତୂଳା ପବନରେ ଉଡିଲା ପରି ମନଟା ସେହିପରି ପ୍ରଭୁଙ୍କ ଦର୍ଶନ ପାଇଁ ଉଡୁଥାଏ ।
ସିଂହଦ୍ଵାରେ ମୁଣ୍ଡିଆ ମାରି ବାଇଶି ପାହାଚ ପାଖରେ ପାଦ ଥୋଇବା ପୂର୍ବରୁ ମୁଣ୍ଡ ନୁଆଁଇ ପ୍ରଣାମ କରି ଗଢି ଗଲି । ସତରେ ଅମୃତମୟୀ ମା’ର କୋଳରେ ମଥା ରଖିଲା ପରି ମୋତେ ଲାଗିଲା । ଆଖିରୁ କେଇ ଟୋପା ଆନନ୍ଦ ଅଶ୍ରୁ ଝରିପଡିଲା । ସତରେ କ’ଣ ମୁଁ ପ୍ରଭୁଙ୍କୁ ଦର୍ଶନ କରି ପାରିବି ? ମନ୍ଦିର ମଧ୍ୟରେ କୋହ ଚାପି ଆଗକୁ ଠାକୁର ଦର୍ଶନ ପାଇଁ ତରବର ହୋଇ ଠେଲାପେଲା ଭିଡ ଭିତରେ ମାଡ଼ି ଚାଲିଲୁ । ଅରୁଣସ୍ତମ୍ଭ ନିକଟରେ ପହଞ୍ଚି ହାତ ଯୋଡି ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ କଲି । ହେଲେ ସେତେବେଳକୁ ପ୍ରଭୁଙ୍କ ପହଡ ପଡିଯାଇଥିଲା । ପୁଣି ଆଖି ତଳେ ଛଳ ଛଳ ହୋଇ କେଇଟୋପା ଲୁହ ଜକେଇ ଆସିଲା । ହଠାତ୍ କେହି ଜଣେ ସାଙ୍ଗ ପଛପଟୁ ଡାକି କହିଲା ଆସ ଆମେ ବାହାରେ ଟିକେ ବୁଲାବୁଲି କରି ଆସିବା, ସେତେବେଳକୁ ପହଡ ଫିଟି ଥିବ, ଠାକୁର ଦର୍ଶନ କରିବା ।
ସମସ୍ତେ ତା କଥା ମାନି ବୁଲିବାକୁ ଗଲେ ହେଲେ ଆମେ ଦୁଇଜଣ ସାଙ୍ଗ ମନ୍ଦିର ବେଢାରେ ବସି ଥାଇ ପ୍ରଭୁଙ୍କ ଆଡକୁ ଅନାଉଥିଲୁ କେତେବେଳେ ପହଡ ଫିଟିବ । ଏତେ ମନ ନେଇ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି ହେଲେ ଦର୍ଶନ ନ କରି ଫେରି ଗଲେ କଣ ଭଲ ହେବ? ଅନ୍ତର୍ଯ୍ୟାମୀ ପ୍ରଭୁ ଭାବଗ୍ରାହୀ ଭାବର କଥା ହୁଏତ ଜାଣିଲେ । ମାତ୍ର ଦଶ ପନ୍ଦର ମିନିଟ୍ ପରେ ହରି ବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପ୍ରକୋଷ୍ଠ କମ୍ପି ଉଠିଲା । ପ୍ରଭୁଙ୍କର ଏକ ବିଶେଷ ନୀତିକାନ୍ତି ପରେ ପହଡ ଫିଟିଲା । ହାତଯୋଡି ପ୍ରଭୁଙ୍କ ଶରଣାପନ୍ନ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲି । ଭକ୍ତମାନଙ୍କ ଭିଡ ଭିତରେ ଆଗକୁ ଆଗେଇ ଯିବାର ଏକ ଅଲୌକିକ ଶକ୍ତି ଟାଣି ନେଲା ପରି ମୁଁ ଟାଣି ହୋଇଯାଉଥାଏ । ସାହାଣ ମେଲା ପାରି ହୋଇ ରତ୍ନ ସିଂହାସନ ସ୍ପର୍ଶ ପୂର୍ବକ ପ୍ରଭୁଙ୍କ ଚାରି ପଟେ ପରିକ୍ରମା କରି ଭାବବିନୋଦିଆ ମୟୂରଚୁଳିଆ ଚକାଆଖିକୁ କେଇଟା ମୁହୂର୍ତ୍ତ ଅପଲକ ନେତ୍ରରେ ଚାହିଁ ରହିଲି ।
ବାଞ୍ଛାନିଧି କଳ୍ପତରୁ ତଳେ ବସି ସବୁ କାମନା ପୂର୍ଣ୍ଣ ହେଲା ପରି ମୋ ମନସ୍କାମନା ପୂର୍ଣ୍ଣ କରି ଥିବାରୁ ପ୍ରଭୁ କାଳିଆ ଠାକୁରଙ୍କୁ ଶତକୋଟି ପ୍ରଣାମ କଲି । ଭାବ ସମୁଦ୍ରରେ ତରୀଟି ଅଦୃଶ୍ଯ ହେଲା ପରି କେତୋଟି ମୁହୂର୍ତ୍ତରେ ମୁଁ ମଧ୍ଯ ନିଜକୁ ହଜାଇ ଦେଇଥିଲି ସେହି ଭାବଗ୍ରାହୀର ଭାବରେ ।
ମୁଣ୍ଡରେ ଶିଖିଚୁଳ,ହାତରେ ଶଙ୍ଖ ,ଚକ୍ର ,ଗଦା ଓ ପଦ୍ମ ଶୋଭିତ ସୌମ୍ୟକାନ୍ତିଯୁକ୍ତ ସେ ନୟନଠାଣୀ , ମନ୍ଦସ୍ମିତ ହାସ୍ୟ ଅଧରକୁ ଚାହିଁ ଦେଲା ପରେ ତଲୀନ ମନ ମୋର ବିଲୀନ ହୋଇଗଲା ପ୍ରଭୁଙ୍କ ଦର୍ଶନରେ । ଅପୂର୍ବ ଏକ ଭାବାବେଗରେ ମୁଁ କେବଳ ଚାହିଁ ରହିଥାଏ ସେହି ପରମ ପ୍ରେମମୟ କଳା ଠାକୁର ଜଗନ୍ନାଥଙ୍କୁ।
କିଛି ସମୟ ପରେ ପଛପଟୁ ମୋ ହାତକୁ ଧରି ସାଙ୍ଗ ଟାଣିଆଣିଲା । ଚାଲ୍ ବହୁତ ସମୟ ହେଲାଣି ଅନ୍ୟ ସାଙ୍ଗ ମାନେ ଆମକୁ ଖୋଜୁଥିବେ । ପୁଣି ଥରେ ଆଖି ପୁରାଇ ପ୍ରଭୁଙ୍କୁ ଦେଖି ଫେରିଆସିଲୁ ସିଂହଦ୍ଵାର ପାଖକୁ ।
ସେତେବେଳେକୁ ବୁଲାବୁଲି ସାରି ଅନ୍ୟସାଙ୍ଗମାନେ ଖୁବ୍ ବ୍ୟସ୍ତ ହେଉଥାନ୍ତି ଷ୍ଟେସନକୁ ଯାଇ ଟ୍ରେନ୍ ଧରିବାକୁ । ଟ୍ରେନ୍ ଛାଡିବାକୁ ମାତ୍ର ଅଧଘଣ୍ଟାଏ ବାକି ଥାଏ । ତଥାପି ମୁଁ ସେମାନଙ୍କୁ କହିଲି ପୁରୀ ଆସିଲ ହେଲେ, ଜଗନ୍ନାଥଙ୍କୁ ଦର୍ଶନ କରି ଯାଅ । ମୋ କଥାଶୁଣି ସାଙ୍ଗମାନେ କହିଲେ -ଜଗନ୍ନାଥ ଦର୍ଶନ ଆମ ଭାଗ୍ୟରେ ନାହିଁ । ତୁ ଦର୍ଶନ କଲୁ ତୋର ବଡ ଭାଗ୍ଯ । ଆଉ ବେଶି ଡେରି କରନି, ଟ୍ରେନ୍ ଛାଡି ଦେଲେ ଆମେ ସବୁ ହଇରାଣ ହୋଇଯିବା ।
ସତକୁ ସତ ପୁରୀ ଷ୍ଟେସନ ରେ ଟ୍ରେନ୍ ରେ ବସିବାର ମାତ୍ର କେଇ ମିନିନଟ୍ ପରେ ଟ୍ରେନ୍ ଛାଡିଲା କଟକ ଅଭିମୁଖେ । ଆମେ ସମସ୍ତେ ପୁଣି ଥରେ ହାତଯୋଡି ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ଖୁବ୍ ଜୋର୍ ରେ ଜୟଜଗନ୍ନାଥ କହିଲୁ l

ସହଦେବ ବେହେରା, (ଶିକ୍ଷକ )
ମଙ୍ଗରାଜପୁର, ଆନନ୍ଦପୁର, କେନ୍ଦୁଝର
 

Loading

One thought on “ପଢନ୍ତୁ ସହଦେଵ ବେହେରା ଙ୍କ ଗଳ୍ପ ଭାଗ୍ୟରେ ଥିଲେ ଶ୍ରୀ ଜଗନ୍ନାଥ ଦର୍ଶନ ମିଳେ

  1. Thank you very much, the founder cum secretary, SURYODAYA LITERARY FOUNDATION for posting of my story. Jay JAGANNATH

Leave a Reply

Your email address will not be published. Required fields are marked *