“ଅନୁଭୁତିରେ ପ୍ରଭୁ ଶ୍ରୀ ଜଗନ୍ନାଥ”*
ପ୍ରଭୁ ଶ୍ରୀ ଜଗନ୍ନାଥ ଅପୂର୍ବ ଲୀଳାଧାରୀ।କେତେବେଳେ ସେ କେଉଁ ଲୀଳା ରଚାନ୍ତି ତାହା ସମସ୍ତଙ୍କୁ ଅଗୋଚର।ଏବେବି ମୋର ଅନୁଭୁତିରେ ସେଦିନର ଦୃଶ୍ୟରାଜି ଏଇ ଆଖି ଆଗରେ ଝଲସି ଉଠୁଛି।
ମୁଁ ସେତେବେଳେ ନୂଆ ନୂଆ ଶିକ୍ଷକତା କରୁଥାଏ କୋରାପୁଟ ଜିଲ୍ଲାରେ।ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଆମେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମିଳିମିଶି କରୁ।ଯେତେବେଳେ ଯେଉଁ ଜରୁରୀ କାର୍ଯ୍ୟ ଆସେ ସମସ୍ତେ ପରସ୍ପରକୁ ସାହାଯ୍ୟ କରନ୍ତି।ଏହିପରି ମୋର ଦିନ ଗୁଡିକ ଅତିକ୍ରମ ହେବାରେ ଲାଗିଥାଏ।ମନରେ ଗୋଟିଏ ବହୁତ ଦିନ ର ଅଭିଳାଷ ଟିଏ ଉଙ୍କି ମାରୁଥାଏ କିନ୍ତୁ ସୁଯୋଗ ଅପେକ୍ଷାରେ ରହି ଦିନଗୁଡିକ ଏହିପରି ଗଡି ଚାଲିଥାଏ ସିନା ଅଭିଳାଷ ପୂର୍ଣ୍ଣ ହେବା ନିମନ୍ତେ କୌଣସି ଉପାୟ ମିଳୁନଥିଲା।ମୋ ମନର କେବଳ ଗୋଟିଏ ମାତ୍ର ଇଚ୍ଛା ଥିଲା ନୀଳାଚଳ ଧାମ ଯାଇ ସେ ଚକାଡୋଳାଙ୍କୁ ଥରେ ଦେଖି ଆସିବା।ରତ୍ନ ସିଂହାସନରେ ଥରେ ବିଜେ ହୋଇଥିବା ତିନି ଦିଅଁଙ୍କ ଦର୍ଶନ ଲାଭ କରିବା।ଏଥି ପୂର୍ବରୁ ମୁଁ କେବେ ପୁରୀ ଯାଇ ନ ଥିଲି।ପରୋକ୍ଷରେ ବୋଧେ କାଳିଆର ଅନୁଗ୍ରହ ହୋଇ ନ ଥିଲା।କୁହାଯାଏ ଯେ ‘ତା ଇଚ୍ଛା ବିନା ବୃକ୍ଷର ପତ୍ରଟିଏ ସୁଦ୍ଧା ହଲେନାହିଁ’।ଏଣୁ କାଳିଆର ଇଚ୍ଛା ରେ ନିଜ ଇଚ୍ଛା କୁ ସମର୍ପିଦେଇ ଜୀବନ ଦରିଆରେ ଆହୁଲାଟେ ମାରି ଚାଲୁଥିଲି।ଜାଣିନଥିଲି କିନ୍ତୁ କିଛି ଥଳକୂଳ ପାଇବି ବୋଲି।କିନ୍ତୁ କାଳିଆ ର ଇଚ୍ଛା ବୋଧେ କିଛି ଅଲଗା ଥିଲା।ଇତି ମଧ୍ୟରେ କାର୍ଯ୍ୟ ବ୍ୟସ୍ତ ଭିତରେ ରହି ମୋର ଅଭିଲାଷ ଟିକୁ ମନରେ ଦବେଇ ଦେଇ ମୁଁ ଜୀବନ ପଥରେ ଏହିପରି ଆଗେଇଚାଲିଥିଲି।
ସମୟର ଚକ୍ର ଏହିପରି ଘୁରି ବୁଲୁଥିଲା।ଦିନେ ହଠାତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟାଳୟରୁ ଡାକରା ଆସିଲା।ମୁଁ ସେତେବେଳେ ଶ୍ରେଣୀଗୃହ ରେ ଏକ ବିଷୟ ପଢ଼ାଉ ଥାଏ।ଖବର ମିଳିବା ପରେ ମୁଁ ଶ୍ରେଣୀ ଦାୟିତ୍ୱ ମୋ ଶ୍ରେଣୀ ନିକଟରେ ନେଉଥିବା ଶ୍ରେଣୀ ଶିକ୍ଷକ ଙ୍କୁ କିଛି ସମୟ ପାଇଁ ସମର୍ପି ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିପଡ଼ିଲି।ଉଦେଶ୍ୟ ଥିଲା ମୋ ଅନୁପସ୍ଥିତିରେ ଶ୍ରେଣୀରେ କୌଣସି ବିଶୃଙ୍ଖଳା ନ ହେଉ।ମୁଁ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ମାଗିଲି।ସେ ଆସିବାକୁ ନିର୍ଦେଶ ଦେଲେ ଓ ପାଖରେ ଥିବା ଏକ ଚୌକି ଉପରେ ବସିବା ନିମନ୍ତେ କହିଲେ।ଘଟଣା କଣ ବୁଝିବା ପୂର୍ବରୁ ମୋର ଆଉ ଜଣେ ସହଯୋଗୀ ତଥା ବିଦ୍ୟାଳୟର ଆଉ ଜଣେ ଶିକ୍ଷକ ମଧ୍ୟ ଆସି ସେଠାରେ ଉପସ୍ଥିତ ହେଲେ।ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ମଧ୍ୟ ବସିବା ନିମନ୍ତେ କହି ଟେବୁଲ ଡ୍ରୟର ମଧ୍ୟରୁ ଏକ ଲଫାଫା କାଢି ଆଣି ଆମ ଦୁଇ ଜଣଙ୍କ ସମ୍ମୁଖରେ ପଢି ଶୁଣାଇଲେ।ଆମେ ମନ ଦେଇ ଶୁଣିଲୁ।ଆମର ପ୍ରତିକ୍ରିୟା ଦେବା ପୂର୍ବରୁ ସେ କହିଲେ ଯେ ଆଗାମୀ ତିନିଦିନ ନିମନ୍ତେ ଆମେ ଦୁଇଜଣ ଏକ ତାଲିମ ଶିବିର ରେ ଯୋଗ ଦେବାପାଇଁ ପୁରୀ ଯିବାକୁ ସ୍ଥିର ନିଶ୍ଚିତ ହୋଇଛି ବିଦ୍ୟାଳୟ ପକ୍ଷରୁ।ଏହି ତିନିଦିନ ନିମନ୍ତେ ଯିବା, ଆସିବା ତଥା ଖାଇବା ଓ ରହଣି ର ସବୁ ଭାର ବିଦ୍ୟାଳୟ ବହନ କରିବ।ଆମକୁ ପ୍ରସ୍ତୁତ ହେବାକୁ ନିର୍ଦେଶ ଦେଇ ପ୍ରଧାନ ଶିକ୍ଷୟତ୍ରୀ ଶ୍ରେଣୀ ପରିଦର୍ଶନ ରେ ବାହାରିଗଲେ।ସେତେବେଳ ପର୍ଯ୍ୟନ୍ତ ମୁଁ କେବଳ ଅବାକ ଓ ନିଶ୍ଚଳ ହୋଇ ସବୁ ଗୁଡିକ ଶୁଣିଗଲି।ମୋର ଅଜାଣତରେ କେତେବେଳେ ପ୍ରଧାନ ଶିକ୍ଷୟତ୍ରୀ ମୋହଦୟା ସେଠାରୁ ଉଠି ଚାଲିଗଲେଣି ମୁଁ ଜାଣିପାରି ନଥିଲି।
ବିଶ୍ୱାସ ହେଉ ନଥିଲା ମନରେ ଯେ ମୋତେ ଏହିପରି ଏକ ଅପୂର୍ବ ସୁଯୋଗ ମିଳିବ ପୁରୀ ଯିବା ନିମନ୍ତେ।ବୋଧେ କାଳିଆ ର ଡାକରା ଥିଲା ଏହା।ଯେତେବେଳେ ପ୍ରଧାନ ଶିକ୍ଷୟତ୍ରୀ ଚିଠି ଟି ପଢୁଥିଲେ ମୁଁ କେବଳ ‘ପୁରୀ’ ଶବ୍ଦଟି ଛଡା ଆଉ କିଛି ଶୁଣି ନ ଥିଲି।ପରେ ଯେତେବେଳେ ପ୍ରକୃତିସ୍ଥ ହେଲି ମୋର ଛାତି କୁଣ୍ଢେମୋଟ ହୋଇଗଲା ଏବଂ ମୁଁ ମୋର ସହଯୋଗୀ ଶିକ୍ଷକ ମୋହଦୟଙ୍କୁ ମଧ୍ୟ ବିନୟପୁର୍ବକ ଅନୁରୋଧ କଲି ଶୀଘ୍ର ଯାତ୍ରା ନିମନ୍ତେ ପ୍ରସ୍ତୁତି କରିବାପାଇଁ।ମୋର ଗୋଡ଼ ତଳେ ଲାଗୁ ନ ଥିଲା।
ଶେଷରେ,ଆମେ ଯେତେବେଳେ ତାଲିମ ଶିବିର ରେ ଯୋଗ ଦେବାପାଇଁ ପୁରୀ ବସ ଷ୍ଟାଣ୍ଡ ରେ ଓଲ୍ହାଇଲୁ ମୋର ଆନନ୍ଦର କୌଣସି ସୀମା ନ ଥିଲା।ଆମେ ହୋଟେଲ ଯାଇ ଟିକେ ଫ୍ରେସ ହେଇ ସିଧା ସଳଖ ଶ୍ରୀମନ୍ଦିର ଦର୍ଶନ ଅଭିମୁଖେ ବାହାରିପଡିଲୁ।ମନ୍ଦିର ଗର୍ଭ ଗୃହରେ ଯେତେବେଳେ ମୋର ସେ ଜଗତର ନାଥ ଜଗନ୍ନାଥ ସହ ଭେଟଘାଟ ହେଲା ତାକୁ ଦୁଇହାତ ଟେକି ଧନ୍ୟବାଦର ଅଶ୍ରୁରେ ପୋତିପକାଇଲି।ଏତେଦିନର ଅଭିଳାଷ ଶେଷରେ ତୁ ମୋର ପୂର୍ଣ୍ଣ କଲୁ କହି ସାଷ୍ଟାଙ୍ଗ ଦଣ୍ଡବତ ହେଲି।ବାସ୍ତବରେ ମୋ ଅନୁଭୁତିରେ ମୋ ପ୍ରଭୁ ଜଗନ୍ନାଥ କିଛି ନିଆରା।ସେ ଦୀନ ବାନ୍ଧବ,ଯାହା ଉପରେ ଦୟା କରେ ତା ଜୀବନ ଧନ୍ୟ ହୋଇଯାଏ।
*ଜ୍ୟୋତିଶଙ୍କର ତ୍ରିପାଠୀ*
*ପାରାବେଡା*
*ଜୟପୁର, ଜିଲ୍ଲା-କୋରାପୁଟ*
*୭୬୪୦୦୧*
*ମୋ-୮୯୮୪୮୫୫୯୯୧*
Sir,
I am very thankful and grateful for publishing my story in the website.Looking forward to write more and more on topics and it really encourages a lot.Last but not the least A great deal of THANKS to you and Suryodaya Literary institution/organization.