ଦେବସ୍ନାନ ପୂର୍ଣ୍ଣିମା
–ଜାନକୀ ମହାନ୍ତ
********************************
ଆହେ ଜଗନ୍ନାଥ କାଳିଆ ସାଆନ୍ତ
ଶ୍ରୀମନ୍ଦିରୁ ବାହାରି ଆ’,
ତୁହି ପରଂବ୍ରହ୍ମ ଦାରୁବ୍ରହ୍ମ ରତ୍ନ
ସିଂହାସନୁ ଓହ୍ଲେଇ ଆ’ ।।
ମୋ’ର ବନମାଳୀ ସ୍ନାନ ମଣ୍ଡପରେ
ବିଜେ କର ଧନମାଳୀ,
ଶହେ ଆଠ ସ୍ୱର୍ଣ୍ଣ କଳସୀ ଜଳରେ
ସ୍ନାନ କର ମୋ’ ଶଙ୍ଖାଳୀ ।।
ଭ୍ରାତା ଭଗ୍ନୀ ସାଥେ ସ୍ନାନ କରିବୁରେ
ଭାବଗ୍ରାହୀ ଭଗବାନ,
ବୈଶାଖ ମାସରେ ଏକା ଖେଳିଲୁ ରେ
ଚନ୍ଦନଯାତ୍ରା ମୋହନ ।।
ପଇଁତ୍ରିଶ ଗରା ଜଳେ ଜଗା ଗାଧେ
ତେତିଶ ଗରା ବଳିଆ,
ଅଠର ଗରାରେ ପ୍ରଭୁ ସୁଦର୍ଶନ
ବାଇଶି ସୁଭଦ୍ରା ମାଆ ।।
ଜ୍ୟେଷ୍ଠ ମାସେ ପୁଣି ସ୍ନାନ ପୂର୍ଣ୍ଣିମାରେ
ଆଜି କରିବୁରେ ସ୍ନାନ,
ଗଜରୂପେ ପୁଣି ଚତୁର୍ଦ୍ଧାମୂର୍ତ୍ତିଙ୍କ
ହେବ ଆଜି ଦରଶନ ।।
ଭକ୍ତ ବିନା ତୁହି ଚନ୍ଦନ ଚର୍ଚ୍ଚିତ
ଜଳେ ସ୍ନାନ କର ଧନ,
ମନ ଆଇନାରେ କଳ୍ପନାର ନେତ୍ରେ
ତୋତେ ପୂଜି ହେବି ଧନ୍ୟ ।।
ଜାନକୀ ମହାନ୍ତ