★ଓଡ଼ିଆ ଲୋକଗୀତ ରେ ଓଡ଼ିଆଣି ର ଜୀବନ ଚରିତ★


ଲୋକଗୀତ ଲୋକ ଜୀବନର ଅବିକଳ ପରିପ୍ରକାଶ । ଭାବ ଅତି ସରଳ ଅଥଚ ଭାବ ଗମ୍ଭୀର।ଶୈଳୀ ଆଡ଼ମ୍ବର ହୀନ, ମାତ୍ର ଚିନ୍ତା ଓ ଚେତନା ସୁଦୂର ପ୍ରସାରି । ଆଦି ମଣିଷ ଯେତେବେଳେ ବଣଜଙ୍ଗଲ,ପାହାଡ଼ ମଧ୍ୟରେ ବାସକରୁଥିଲା ,ଗଛ ର ଫଳମୂଳ ଥିଲା ତାର ଆହାର ,ବୃକ୍ଷର ବଳ୍କଳ ଥିଲା ତାର ପରିଧାନ, ସେତେବେଳେ ସଭ୍ୟତା ଓ ସଂସ୍କୃତି ସମ୍ପର୍କରେ ତାର ଜ୍ଞାନ ଥିଲା ନିତାନ୍ତ ସୀମିତ । ମାତ୍ର ସେହି ଆରଣ୍ୟକ ପରିବେଶ, ତାର ପ୍ରାକୃତିକ ସୁଷମା ,ଆକାଶର ନୀଳିମା ,ପୁଷ୍ପ ର ସୁରଭି ,ନିର୍ଝରିଣୀ ର କାଳକଲ ନାଦ ,ବିହଙ୍ଗାର କୁଜନ ,ବର୍ଷା ର ରିମ୍ଝିମ୍ ଶବ୍ଦ ,ପତ୍ର ର ମର୍ମର, ଦିଗନ୍ତ-ବିସ୍ତାରିତ ସୁବୁଜ ଅରଣ୍ୟ ର ଶୋଭାରାଶି ତାର ପ୍ରଣ କୁ ଯେ କେବଳ ପୁଲକିତ କରିଥିଲା ତାହାନୁହେଁ ,ବରଂ ତାର ହୃଦୟ କୁ ଆନ୍ଦୋଳିତ ଓ ମଥିତ କରିଥିଲା । ସେଥିପାଇଁ ମାନବର କଣ୍ଠ ରୁ ପ୍ରଥମେ ଝରିଯାଉଥିଲା କବିତାର ନିର୍ଝରା କେବଳ ଓଡ଼ିଆ ଭାଷା କାହିଁକି, ବିଶ୍ୱର ଯେକୌଣସି ଭାଷାରେ ମାନବର ପ୍ରଥମ ଭାବପ୍ରବଣର ମାଧ୍ୟମ ହୋଇଥିଲା ବବିତା ।ଲୋକସହିତ୍ୟ ର ସବୁଠାରୁ ଲୋକପ୍ରିୟ ଓ ବୃହଦାୟତନ ବିଭାଗ ହେଉଛି ଲୋକଗୀତ ଅଧିକାଂଶ ଲୋକଗୀତ ଗୃହିଣୀ ବା ମହିଳା ମାନଙ୍କ ଠାରୁ ଉତ୍ପତ୍ତି ହୋଇଛି । ତେଣୁ ଏହି ଲୋକଗୀତ ର ସ୍ରଷ୍ଟା ନାରୀ ମାନେ ଓ ଏହି ଗୀତ ଗୁଡିକୁ ନାରୀଗୀତ କୁହାଯାଏ। ଏହି ଗୀତ ମାନଙ୍କରେ ତାର ସୁଖ, ଦୁଃଖ ସବୁକୁ ଗୀତ ମାଧ୍ୟମରେ ପ୍ରକାଶ କରିଥାଏ। 
ଲୋକ ଗୀତ ଆବୃତି ଦୃଷ୍ଟିରୁ ଚାରି ପ୍ରକାର –

୧-ନାରୀ ଗୀତ
୨-ପୁରୁଷ ଗୀତ
୩-ନାରୀ-ପୁରୁଷ ଗୀତ
୪-ଶିଶୁ ଗୀତ

★ନାରୀଗୀତ★

କାନ୍ଦଣା ଗୀତ,ଘାଗଡ଼ମାଳି,ନାନାବାୟା ଗୀତ, କୁଆଁରୀ ପୁନେଇ ଗୀତ,ପୁଚିଗୀତ, ଚିତାକୁଟା ଗୀତ, ଓଷାପୂଜା ଗୀତ,ବାରମାସୀ ଗୀତ ,ଡାଲଖାଇ ଗୀତ ଇତ୍ୟାଦି ନାରୀ ଓ ବାଳିକା ମାନେ ଗାଉଥିବାରୁ ଏଗୁଡ଼ିକୁ ନାରୀଗୀତ ଭାବରେ ଗ୍ରହଣ କରାଯାଏ ।
ବୋଧହୁଏ କରୁଣ ରସର ପ୍ରଥମ ସାର୍ଥକ ପ୍ରୟୋଗ ଲୋକସହିତ୍ୟରେ ହିଁ ଦେଖିବାକୁ ମିଳିଥାଏ। ଗୋଟିଏ ଘର, ଗୋଟିଏ ଗାଁରେ ବାଲ୍ୟ, ପୌଚାଣ୍ଡା ଅତିକ୍ରମ କରି ଯୌବନ ରେ ପଦାର୍ପଣ କରିବାମାତ୍ରେ କନ୍ୟାର ପିତାମାତା ତାର ବିବାହ ପାଇଁ ବ୍ୟସ୍ତ ହୋଇଉଠନ୍ତି । କନ୍ୟା ଜାଣେ ସେ ଯେଉଁଠାରେ ଅଛି, ଯେଉପରିବେଶ ରେ ବଢିଛି, ତାହା ତା’ ପାଇଁ ବେଶ୍ ସୁଖଦାୟକ । ମାତ୍ର ସେ ନିଜର ପିତାମାତା ,ସାଙ୍ଗ-ସାଥି, ଗାଁ ଛାଡି ଯେଉଁ ଅପରିଚିତ ସ୍ଥାନକୁ ଯିବ, କିଏ ଜାଣେ ସେଠାରେ ତା’ପାଇଁ କେଉଁ ମୁହୂର୍ତ୍ତମାନ ଅପେକ୍ଷା କରିଛନ୍ତି ?
ସେଠାରେ ସେ ସମସ୍ତଙ୍କର ଅପରିଚିତା ,ତା’ପାଇଁ ମଧ୍ୟ ସମସ୍ତେ ଅପରିଚିତ। ଏହି ଅପରିଚିତ ମାନଙ୍କ ସହିତ କିପରି ସେ ଏତେବଡ଼ ଜୀବନ ଅତିବାହିତ କରିବ, ଏହି ଚିନ୍ତା ଓ ଦୁଃଖ ରେ ସେ କାନ୍ଦେ। ପିତାମାତାଙ୍କର ସ୍ନେହ, ସାଙ୍ଗସାଥି ଙ୍କର ଆଦର ,ଭାଇଭାଉଜଙ୍କ ମମତା-ସବୁକୁ ମନେ ପକାଇ ଭବିଷ୍ୟତର ଏକ ଅଜଣା ଆଶଙ୍କାରେ ସେ କାନ୍ଦିଉଠେ । ‘ଗୋଟିଏ ଝିଅର ପରିବେଶ ଅନ୍ୟ ଝିଅର ପରିବେଶ ଠାରୁ ,ଉନ୍ନତତର ହୋଇପାରେ; କିନ୍ତୁ ଗତାନୁଗତିକ ରୀତିରେ ଗୋଟିଏ ଝିଅ ଯାହା ଗାଇଥାଏ, ତା’ଠାରୁ ଅନ୍ୟ ଝିଅଟି ଶିଖି ସେଇଆ ଗାଏ । ହୁଏତ ପରବର୍ତ୍ତୀଝିଅର ସାମାଜିକ ସ୍ଥିତି ,ସଙ୍ଗେତି ,ଶାଶୁ,ନଣନ୍ଦ, ଦେଢଶୁର ,ସ୍ୱାମୀଙ୍କର ଚରିତ୍ର, ଚଳଣି ଓ ବ୍ୟବହାର ପୃଥକ୍ ହୋଇପାରେ । ପୁରୁଣା ଅନୁଭୂତିରେ କିଛି ନୂଆ ଅନୁଭୂତି ର ଯୋଗ ହୋଇପାରେ ।ପଦ ସଂଖ୍ୟା ବଢ଼ିପାରେ । କିନ୍ତୁ କାନ୍ଦଣାରେ ଚିତ୍ରିତ ସବୁ ଚରିତ୍ର ପ୍ରାୟ ଗତାନୁଗତିକ । ଶାଶୁ, ନଣନ୍ଦ ଅତ୍ୟାଚାରିଣୀ; ଶ୍ୱଶୁର,ଦେଢଶୁର ଉଦାସୀନ, ଗୃହରେ ସ୍ୱାମୀ କର୍ତ୍ତୃତ୍ୱହୀନ ,ନିଜ ସ୍ତ୍ରୀ କୁ ନିପୀଡନରୁ ରକ୍ଷା କରିବାକୁ ଅସମର୍ଥ । ଆର୍ଥିକ ଦୁରବସ୍ଥା ,ପାରମ୍ପରିକ ସାମାଜିକ ପ୍ରଥା ଓ କୁସଂସ୍କାର କୁ ସମସ୍ତେ ଯେପରିକି ମୁଣ୍ଡପାତି ମାନି ନେଇଛନ୍ତି ।ଯେଉଁ ସମୟରେ ଗୋଟିଏ କନ୍ୟା ର ବିବାହ ପାଇଁ ବର ଚୟନ କରାଯାଉଥାଏ ସେହିସମୟରେ ସେହି କନ୍ୟା ଯେଉଁ ପରି ବର ର କଳ୍ପନା ଛବି ତାର ମନରେ ଆଙ୍କିଥାଏ ,ପ୍ରସ୍ତାବିତ ବରଟି ସେହି ଧରଣର ନ ହୋଇଥିଲେ ସେ ନିଜର ବାପା ମା’ଙ୍କ ନିକଟରେ ଅଭିଯୋଗ କରି କାନ୍ଦେ । କାରଣ ପିତାମାତା ଭାବରେ କନ୍ୟାର ମତାନୁଯାୟୀ କାର୍ତ୍ୟବ୍ୟ କରିବା ସେମାନଙ୍କର ଉଚିତ । ସେଥିପାଇଁ କ୍ଷେଭପ୍ରକାଶ କରି କହେ-

କଳାମେଘ ବୋଲି ମୁଁ ଚାହେଁ ନଇଁ    ଲୋ ବୋଉ

କଳାହାଣ୍ଡି ବୋଲି ମୁଁ ଧୁଏ ନଇଁ        ଲୋ ବୋଉ

ପେଟ ଦରଜ କି ପିଠି ଜାଣିବ         ଲୋ ବୋଉ

ମୋର ଦରଜ କି ପର ଜାଣିବ         ଲୋ ବୋଉ

ସକାଳର ଖିଆ ସଞ୍ଜ ହୋଇବ         ଲୋ ବୋଉ

ତୋଟିରେ ଲାଗିଲେ ମନ କରିବ      ଲୋ ବୋଉ

ଯେଉ ଦେଶ ଜଳ ଯାଚି ନ ଖାଆନ୍ତି   ହେ ବାପା

ସେହି ଦେଶେ ଜଳ ମାଗି ପିଇଲ       ହେ ବାପା

ପିତାଫଳ ବୋଲି ଗୁଞ୍ଜିଣ ଦେଲ        ହେ ବାପା

ପଚା ମାଛ ବୋଲି ଯାଚି ବୁଲିଲ        ହେ ବାପା

ବାପାଘରେ ଥିଲାବେଳେ କନ୍ୟା ଗେଲ୍ହାବସରରେ ବଢିଥାଏ ।ତା’ର ସବୁ ଅଳି- ଅଦ୍ଦଳି ବିନା ପ୍ରତିବାଦରେ ପିତା ମାତା ସବୁକରିଯାଇଥାନ୍ତି । ଘରର ସମସ୍ତ କାର୍ଯ୍ୟ ନିଜେ କରି କନ୍ୟା କୁ ଖୁସିଖେଳରେ ସମୟ ବିତାଇବାକୁ ଛାଡିଦିଅନ୍ତି । ଏହି କଥା ଭାବି ସେ କାନ୍ଦେ ଓ ଅନ୍ୟ କୁ କନ୍ଦାଏ । ପୁଣି ସାମାଜିକ କୁସଂସ୍କାର ଏବଂ ବିଶ୍ୱାସବୋଧ ମଧ୍ୟ ଏଥିରେ ପରିସ୍ପୁଟ ହୋଇଥାଏ।

ବର ଆସିବାର ଅବ୍ୟବହିତ ପୂର୍ବରୁ ଓ ପରେ ଏବଂ ବରର ଆଗମନ ସମୟରେ କନ୍ୟା ବିଭିନ୍ନ ପରିବେଶରେ ଭିନ୍ନଭିନ୍ନ କାନ୍ଦଣା ଗୀତ ଗାଇଥାଏ । ଏହା ପରମ୍ପରା ପ୍ରସୂତା ବଡୁଆପାଣିରେ ଗାଧୋଇବା ସମୟରେ କନ୍ୟା ର କାନ୍ଦଣା-

ଛାଡ ଛାଡ଼ ମୋର ମୁଣ୍ଡର କେଶ      ମୋ ମାଆମନେ

ସଖୀ ଡାକୁଛନ୍ତି ଖେଲିଯିବାକୁ         ମୋ ମଆମାନେ

ଖେଲିଯିବା ମୋର ହେଲା ଉଛୁର    ମୋ ମଆମାନେ

ତଇଳ ମର୍ଦନ କାହିଁକି କର            ମୋ ମଆମାନେ

ରଜ ହୋଇଛି କି ସଜ କରୁଛ         ମୋ ମଆମାନେ

ରୁଷି ବସିଛି କି ବୋଧ କରୁଛ         ମୋ ମଆମାନେ

କାନି ପଣତରେ ବାନ୍ଧି ରଖିଲ         ମୋ ମଆମାନେ

ଏବେ ସବୁ ସ୍ନେହ ପାସୋରିଦେଲ    ମୋ ମାଆମାନେ

କାନି ପଣତରୁ ଫିଟାଇ ଦେଲ         ମୋ ମଆମାନେ

ଜ୍ୱାଇଁ ରୋଶନି କରି ଶାଶୂରଘର ପାଖରେ ପହଞ୍ଚିଯିବା ମାତ୍ରେ ଝିଅକୁ ଆଉ ସମ୍ଭାଳେ କିଏ ? ପୁରାଣ ରୁ ସେ ଶୁଣିଥିଲା ଅତ୍ୟାଚାରି କଂସର କଥା । ବାସ୍ତବ ଜୀବନରେ ସେ ତାହା ପ୍ରତ୍ୟକ୍ଷ କରି ସଙ୍କାକୁଳ ହୋଇଉଠେ । ତେଣୁ ପାଲିଙ୍କି ଚଢି ଆସିଥିବା ବାରକୁ କଂସ ସହିତ ତୁଳନା କରି କହେ –
ମଥୁରା ଦେଶରୁ ଆଣିଲ ଡାକି   ମୋ ବାପା
ସାଜି ଆସିଛନ୍ତି ରତ୍ନ ପାଲିଙ୍କି     ମୋ ବାପା
ରତ୍ନ ପାଲିଙ୍କିରେ କଂସ ଅସୁର    ମୋ ବାପା
ଆସି ଜୁରକଲା ମଥୁରା ପୁର      ମୋ ବାପା

ଏହିପରି ଏକ କନ୍ୟା ବିବାହ ପରେ ତାର ଦୁଃଖ ସୁଖ କୁ ଗୀତ ମାଧ୍ୟମରେ ପ୍ରକାଶ କରି କାନ୍ଦିଥାଏ ବା ହସିଥାଏ । ନାରୀ ହେଉଛି ଦୁହିତା ସେ ଦୁଇକୁଳ ହିତା ତେଣୁ ଦୁଇକୁଳକୁ ରେ ନୌକା ପରି ନାରୀଟିଏ ସବୁକଷ୍ଟ ସହି ଯୋଡି ଥାଏ। ଏହିପରି ବିବାହ ପୂର୍ବରୁ ନାରୀଟିଏ ଯେଉଁ ଆନନ୍ଦ ମୁହୂର୍ତ୍ତ କଟାଇଥାଏ ତାର ବନ୍ଧୁବାନ୍ଧବୀ ଙ୍କ ସହିତ ସେହି ସମୟରେ ମଧ୍ୟ ସେ ଗୀତଗାଇ ଆନନ୍ଦ ଅନୁଭବ କରିଥାଏ । ଯେଉଁ ସମୟରେ ଝିଅ ମାନେ ପୁଚି ହେଲ ଖେଳିଥାନ୍ତି ଓ ବାଳିକା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ । ଜଣେ ଅନ୍ୟ ଜଣକୁ ହରାଇବା ପାଇଁ ଚେଷ୍ଟା କରି ତା ଆଡ଼କୁ ମାଡିଯାଏ । ତା ପାଟିରୁ ବାହାରୁଥାଏ-

“ପୁଚି ଲୋ ଯା ଯା ଯା ଘୁଞ୍ଚିଲୋ
ଗହୀର ବିଲରେ ମଇଁଷି
ଧନ କେଣ୍ଡା କେଣ୍ଡା ଖାଉଛି
ଆଡେଇ ଦେଲେ ଗଉଡ଼ ଭାଇ
ବୋହୁ ବାପଘର ଯାଉଛି ।”

ଶେଷରେ ବିଜୟିନୀ ବାଳିକା ପରାଜିତା ବାଳିକା ଉଦ୍ଦେଶ୍ୟ ରେ ବିଦ୍ରୁପରେ ବାଣୀ ଶୁଣାଏ-

“ହଟାଇଲିରେ ହଟାଇଲି 
ଚୁଡା ଦୁଇମାଣ କୁଟାଇଲି
ଅଇଁଠା ପତର ଚଟାଇଲି ।”

ଏହି ପରି ଗୀତ ଗାଇ ଆନନ୍ଦ ଉଲ୍ଲାସ ରେ ତାଙ୍କ ବାଲ୍ୟଜୀବନ କୁ ଅତିବାହିତ କରିଥାନ୍ତି ।ଓ ଏହି ବାଲ୍ୟ ଜୀବନ ରେ ଯେବେ ରାଜ ପର୍ବ ଆସିଥାଏ ସେହିସମୟ ରେ ସେ ମନେ ଗାଇଉଠନ୍ତି –

“ରଜଦୋଳି କଟମଟ ,ମୋ ଭାଇ ମୁଣ୍ଡରେ ସୁନା ମୁକୁଟସୁନା ମୁକୁଟ ଲୋ ,ଦିଶୁଥାଏ ଝଟଝଟ ।”

ଏହିପରି ଭାବରେ ଓଡ଼ିଆଣି ମାନେ ନିଜ ଜୀବନ ରେ ସୁଖ ଦୁଃଖ ସମୟରେ ଗୀତ ଗାଇ ନିଜ ଜୀବନକୁ ଅତିବାହିତ କରିଥାଆନ୍ତି।

ନାମ-ଆଶିଷ ବେହେରା
କୁମ୍ଭାରୀ, ସାଇଁନ୍ତଲା, ବଲାଙ୍ଗୀର
ଯୋଗାଯୋଗ-7327028467

Leave a Reply

Your email address will not be published. Required fields are marked *