✍🏻 *ହସ*✍🏻
*************
ଜୀବ ପାଇଁ ବଡ଼ ଜୀବନ ସ୍ପନ୍ଦନ
ଜୀବନ ପାଇଁ ପ୍ରଶ୍ୱାସ
ଏ ଭଵ ସଂସାରେ ସବୁଠୁ ଦୁର୍ଲଭ
ମଣିଷ ଓଠର ହସ ।

ମାଆକୁ ଲାଗଇ ଅମୂଲ୍ୟ ସମ୍ପଦ
ତା ଶିଶୁ ଓଠର ହସ
ସେ ହସ ଛୁଇଁଲେ ତା ହୃଦ କଅଁଳେ
ଜାଗେ ଆଶା ଓ ବିଶ୍ୱାସ ।

ବନ୍ଧୁର ହସଟା ଶୀତଳ ଚନ୍ଦନ
ମନକୁ ଦିଏ ଆମୋଦ
ସେ ହସର ବାର୍ତ୍ତା କେବଳ ସେ ବୁଝେ
ଅରଜେ କେତେ ସମ୍ପଦ ।

ପ୍ରେମିକର ହସ ସତେ କି ଚନ୍ଦନ
ପ୍ରେମିକାର ସଜ ଫୁଲ
ସେ ହସର ସ୍ପର୍ଶ ଜୀବନ ବଞ୍ଚାଏ
କଳି ହେବ କି ତା ମୂଲ ?

ହସ ଟିକେ ଦେଲେ ସରେନାହିଁ ଧନ
କିଣେ ସେ ଅମୁଲ୍ୟ ପ୍ରାଣ
ଟିକି ହସଟିଏ ଗଢିଦିଏ ହାତେ
ସମ୍ପର୍କର କୁଞ୍ଜବନ ।

ହସର ଜନନୀ ନିର୍ମଳ ହୃଦୟ
ସତେ ପୁଣ୍ୟତୋୟା ଗଙ୍ଗା
ରାଗ ଅଭିମାନ ନ ଥାଏ ତା ଘରେ
ହିଂସାକୁ ଦେଖାଏ ଠେଙ୍ଗା ।

ତିଆରି କରେନା ହସକୁ କିଏ ସେ
ହେଉ ବଡ଼ କାରିଗର
ଆପେ ଜନ୍ମନିଏ ଆପେ ଅପସରେ
ଛାଡି ତାର ବାଲିଘର ।

ବାସ୍ତବ ହସଟା ଦେହ ପାଇଁ ହିତ
କୃତ୍ରିମ କାଟେ ହୃଦୟ
ମନରେ ଯେ ରଖେ ପବିତ୍ର ଭାବନା
ଅସଲ ତା ପରିଚୟ ।

ହସ ମଧ୍ୟେ ଥାଏ ଭିଟାମିନ ଡ଼ି
ଦେହକୁ ରଖେ ସତେଜ
ଚିର କୁମାର କି(ଚିର) କୁମାରୀ ସେ ଗଢେ
ହସକୁ ମଣେ ବାନ୍ଧବ ।

ଯାତ୍ରା ଚଳଚ୍ଚିତ୍ର ଧାରାବାହିକରେ
ଦେଖୁ କେତେ ତାର ରୂପ
ଦୁଃଖ ଲାଗେ ତାକୁ ଅଶ୍ରୁ ନିଗିଡା଼ଏ
ଯେ କରେ ବ୍ୟଙ୍ଗ ବିଦ୍ରୁପ ।

ଶତ୍ରୁ ହୋଇଯାଏ ଅନ୍ତରଙ୍ଗ ମିତ୍ର
ଟିକିଏ ହସକୁ ପାଇ
ଟିକେ ହସିଦେଲେ ମନ ଖୁସିଲାଗେ
ଜନମେ କେତେ ତା ଭାଇ ।

ଯେଉଁଠି ଆନନ୍ଦ ସେହିଠାରେ ଖୁସି
ତା ମଧ୍ୟେ ହସର ଖେଳ
ହସ ଏକ ଯାଦୁ ହସ ବି କୁହୁକ
ହସ ପ୍ରୀତି ଝରା ମାଳ ।

ଯେତେ ଯାହା ହେଉ ସବୁଠୁ ସୁନ୍ଦର
ମୋ ପ୍ରିୟା ମୁରୁକି ହସ
ବିଜୁଳି ପରାୟେ ମୋ ଛାତି ଥରାଏ
ପାଏ ମୁଁ ବିଶ୍ୱେ ସର୍ବସ୍ୱ ।

ହସଠୁ ସୁନ୍ଦର ହସଠୁ ମଧୁର
ଏ ଦୁନିଆଁରେ କିଛି ନାହିଁ
ତା ବାସ ମହକ ହୃଦୟେ ବାଜିଲେ
ଥରେ ସ୍ୱର୍ଗ ମର୍ତ୍ତ୍ୟ ଭୂଇଁ ।

କୃପଣ ହୁଅନା ମୋ ଭାଇ ଭଉଣୀ
ଦିଅ ହେ ହସକୁ ବୁଣି
ସମ୍ପର୍କର ଶସ୍ୟ ଅବଶ୍ୟ କାଟିବ
ଅଙ୍କ ପାରିବିନି ଗଣି ।

👉🏿 *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*👉🏿

Leave a Reply

Your email address will not be published. Required fields are marked *