ଶିଶିର ବୁନ୍ଦା
ସନ୍ଧ୍ୟାରେ ଛାତ ଉପରେ ବସି ଜହ୍ନ କୁ ମନ ଭରି ଦେଖୁଥିଲି। ହଠାତ୍ ଦେହ ଟା ଓଦା ଓଦା ଲାଗିଲା। ହାତ ମାରି ଦେଖିଲି କାକର ବିନ୍ଦୁ। ମନେ ପଡିଗଲା, କୁମାର ପୂର୍ଣ୍ଣିମା ସରିଲା, ହେମନ୍ତ ଋତୁ ଆରମ୍ଭ ହେଲା ପରା। ତଳକୁ ଆସି ଖାଇ ସାରି ଶୋଇଲି।
ଜହ୍ନ ଟା କାନ୍ଦୁଥିଲା। ନହେଲେ ଏଡେ ସୁନ୍ଦର ତୋଫା ଜହ୍ନର ମୁହଁ ମଳିନ କାହିଁକି ହୁଅନ୍ତା ! ପଚାରିଲି ଜହ୍ନକୁ “ଦୁଃଖ କଣ ?” ବୋଲି। ଜହ୍ନ କହୁଥିଲା “ମୁଁ ଲକ୍ଷ୍ମୀଙ୍କ ଭାଇ ବୋଲି ସାରା ସଂସାରର ମାମୁଁ ଥିଲି।” ପୁଣି କହିଲା “ମୁଁ ଖାଲି ମାମୁଁ ନୁହେଁ, ଦ୍ୱିତୀୟ ଗ୍ରହ ଭାବେ ଜ୍ୟୋତିଷ ଶାସ୍ତ୍ରରେ ବହୁ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ନିଏ। ପୁଣି ଶିବଙ୍କ ନାମ ଚନ୍ଦ୍ରଶେଖର, କାରଣ ତାଙ୍କ ମସ୍ତକରେ ମୁଁ ଶୋଭା ପାଏ। ମୁଁ ଶୀତଳତା ବିତରଣ କରି ସାରା ଜଗତର ପ୍ରିୟ। ଦରିଦ୍ର ପାଇଁ ରାତିରେ ମୋରି ଆଲୋକ ହିଁ ଯଥେଷ୍ଟ। ଆଉ ମୋର ସେ ସମ୍ମାନ କାହିଁ ?”
ହେଲେ ସମୟ ବଦଳି ଗଲା, ଯେତେବେଳେ ଦୁଇ ଜଣ ବୈଜ୍ଞାନିକ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡୱିନ୍ ଆଲଡ୍ରିନ୍ ୧୯୬୯ ଜୁଲାଇ କୋଡିଏରେ ମୋ ଉପରେ ପାଦ ଥାପିଲେ, ମୋର ସବୁ ସମ୍ମାନ ଧୂଳିସାତ୍ ହେଲା। ମାଧ୍ୟାକର୍ଷଣ ଶକ୍ତି ପ୍ରଭାବ କମ୍ ହେତୁ ମୋ ଉପରେ ଚାଲିବା କଷ୍ଟକର। ତାଛଡା ମୋ ଠାରେ ପାଣି ପବନ ନାହିଁ। ତେଣୁ ମଣିଷ ଚଲାଇଛି ଗବେଷଣା, କିପରି ମୋ ଦେହରେ ଘର କରି ରହିବ। ଶୁଣିଛି ପୃଥିବୀର ବଡ ବ୍ୟବସାୟୀ ମାନେ ହୋଟେଲ ଶିଳ୍ପର ଯୋଜନା କରୁଛନ୍ତି।”
ପଚାରିଲି ହେଲେ ତୁମର କଣ ଅସୁବିଧା। ପୃଥିବୀରେ ପୁଣି ମଣିଷ ଅଛନ୍ତି ନା। ଜହ୍ନ ଉତ୍ତର ଦେଲା, “ପ୍ରକୃତିର ସନ୍ତୁଳନ ନଷ୍ଟ କରି ମଣିଷ ସୃଷ୍ଟି ଧ୍ୱଂସ କରିବାକୁ ବସିଲାଣି। ଶ୍ରେଷ୍ଠ ଜୀବ କରି ପରମାତ୍ମା ଜନ୍ମ ଦେଇଥିଲେ, ନିକୃଷ୍ଟ ଜୀବଠାରୁ ମଧ୍ୟ ନିକୃଷ୍ଟତର କାମ କରୁଛି। ତା ସର୍ବଗ୍ରାସୀ କାମନାର ଅଗ୍ନିରେ ସେ ନିଜେ ହିଁ ନିଜକୁ ଆହୁତି ଦେଉଛି ବୋଲି କେବେ ବୁଝିବ !! ପ୍ରକୃତିର ଛୋଟ ଉପାଦାନଟିଏ କଇଁ, ମୋ ପ୍ରତି କେତେ ସମର୍ପିତ। କାହିଁ ତା ଚିନ୍ତା ଧାରାରେ କିଛି ତ ପରିବର୍ତ୍ତନ ନାହିଁ ! ହେଲେ ଏ ମଣିଷ କେତେ ସ୍ୱାର୍ଥପର ? ମୋ ପୃଷ୍ଠରେ ଘର କରିବେ, ଅବସର ବିନୋଦନ ପାଇଁ ଏଠାକୁ ଆସିବେ। ଏଇ ଚାରି ଦିନ ତଳେ ଜଣେ କିଏ ଆହୁଜା ତାଙ୍କ ପତ୍ନୀଙ୍କୁ ଅଷ୍ଟମ ବିବାହ ବାର୍ଷିକୀର ଉପହାର ଦେଇଛନ୍ତି ମୋ ଦେହରେ ଖଣ୍ଡେ ଜାଗା। କି ଅବାସ୍ତବ !! ଆଉ ଜଣେ ଓଡ଼ିଆ କବି ତ ମତେ ରୁଟି ଖଣ୍ଡେ ପରି ଚିତ୍ରଣ କଲେ ଗରିବର ଭୋକ ମେଣ୍ଟାଇବାକୁ। ଏତେ କାଙ୍ଗାଳ ମନୋବୃତ୍ତି !!”
ଜହ୍ନ ବହୁତ ଜୋରରେ କାନ୍ଦୁଥିଲା। ସହି ନପାରି ମୁଁ ବି କାନ୍ଦି ପକାଇଲି। ଏ କଣ, ଲୁହ ପୋଛିଲା ବେଳକୁ ନିଦଟା ଭାଂଗିଗଲା। ମୁଁ ସେଇ ଛାତ ଉପରେ ଢୁଳେଇ ପଡିଥିଲି ତାହେଲେ। ଆଉ ଭାବୁଥିଲି ଖାଇ ପିଇ ଶୋଇଛି।
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।
508 total views, 1 views today