ବୁଢା ବରଗଛ


ବୃଦ୍ଧାବସ୍ଥା ଜୀବନର ଅନ୍ତିମ ଚରଣ, ପିଣ୍ଡାରେ ବସି ଟୁକୁ ଟୁକୁ ହେଇ ଦେଖିବା ଛଡା କଣ ବା ଆଶା କରି ହେବ, ସେ ମୃତ ଆଶାଟା ବି କେବେଠୁ ଏକା କରି ଛାଡି ଚାଲିଗଲାଣି. କେଉଁ ଦୂର ଦିଗନ୍ତରୁ କୋଇଲି ଟା ଖତେଇ ହେଲା ପରି ତୁହା କୁ ତୁହା ରଡି ପକାଇ ଡାକୁଛି. ରହ ରବେଇ ଖାବେଇ ହ ନା ଏତେ. ମୁ ବୁଝୁଚି ଯେ ତୋ ରଡ଼ିଟା, କେତେଟା ବା ଦିନ ଆଉ, ଦେଖୁନୁ ଅଙ୍ଗୁଳି ଗଣୁଛି. ପାଚଲା ବାଳ କେଇଟା ମୁଣ୍ଡରେ ଗଣି ହେଉଛି, ପିଠି କୁଣ୍ଡେଇ ହେଲେ ମଇଁଷି ଭଳିଆ ପିଠିଟା ଦାଣ୍ଡ କାଠ ଖୁଣ୍ଟରେ ଘଷି ଦଉ ଦଉ କିଛି ଗାଳି ବର ବର ହେଇ ମନଟା ଶାନ୍ତି କରିଦେଲି. ଏକା ଛାଡି ଯାଇଛୁ ତ ଶାନ୍ତିରେ ରହୁନୁ କାହିଁକି ସବୁବେଳେ ରାଉ ରାଉ ହେଇ ଡ଼ାକ ପକଉଛୁ ଦେଖି ପାରୁନୁ କି. କେମିତି ଅସହାୟ ବୁଢାଟା ଏକା ବୁଢ଼ା ବରଗଛ ପରି ମାଂସ ହୀନ ଚମ ଧୁଡୁ ଧୁଡୁ ବାହୁ ମେଲେଇକି ବସିଛି. ଏ ବାହୁ ଭିତରେ ଦିନେ ଧରିଥିଲା ପରିବାରଟାକୁ ଏକାଠି କୋଳେଇ, ଅନେକ ଘାତ ପ୍ରତିଘାତ ସହି ବିସ୍ତାରିତ ଭୁଜ ଦୁଇଟା ମେଲାଇ.
ଶୁଖିଲା ଆଖିରେ ଆକାଶକୁ ଦେଖି ମନେ ପଡିଯାଉଛି ମୋ ବିତାଇ ଥିବା ସୁନ୍ଦର ଦିନ ଗୁଡାକ. ସମୟ ଥିଲା ଭସା ବାଦଲ ହେଇ ଉଡି ବୁଲୁଥିଲି ନୀଳ ଗଗନରେ. ବଳିଷ୍ଠ ଭୁଜା, ମନରେ ଅସୀମ ସାହସ, ଧରିବାର ଇଛା ଥିଲା ଅନ୍ଧାର ରାତ୍ରିର ଟିମି ଟିମି କରୁଥିବା ତାରାଗଣ ଭିତରୁ ମନର ସେ ଅଜଣା ତାରା ଟିକୁ. ଖୋଜୁଥିଲି ଜହ୍ନ ରାତିରେ ମୋ ତାରାଟି, ଛାଇ ଆଲୁଅ ରେ ଲୁଚକାଳି ଖେଳୁଥିଲା ଯେମିତି ମୋ ସହ. କଳ୍ପନାରେ ଭାଷୁଥିଲି ଦେଖି ପ୍ରଭାତ ରେ ଉଦୟ ରବି ର ଚନ୍ଦନ ଟୋପା ପରି ଝଟକୁ ଥିବା ରୂପ ଆଉ ସନ୍ଧ୍ୟାରେ ଅସ୍ତ ରବି ର ସଧବା ନାରୀର ମଥାର ସିନ୍ଦୁର ବିନ୍ଦୁ ପରି ଟୋପାଟି. ବାଲ୍ୟ, କିଶୋର ଆଉ ଯୌବନ ର ଦିନ ଗୁଡା ସିନେମା ଭଳି ମନ ପରଦାରେ ନାଚି ଯାଉଛି. ପିଲାଦିନର କଁଅଳା ବାଛୁରୀ ଭଳି ଡିଆଁ ମାରିବା, ଥକି ଆସି ମା କୋଳରେ ସୋଇ ପଡିବା ଉପଶମ ସେ ହାତ ଆଁଉସାରେ. ପତ୍ର ଟିଏ ଛିଡାଇ ବାକୁ ବି ମନା, କଁଅଳା ଗଛଟିର ବୁକୁ ଭାଙ୍ଗିଯିବ. ଭୋକ ନଥିଲେ ବି ଗୁଂଜି ଖୁଆଇବା, ସେମିତି ସ୍ବପ୍ନ ଦେଖୁ ଦେଖୁ କିଶୋର ଜୀବନ ରେ ପ୍ରବେଶ କରିସାରିଛି ଜଣା ନଥିଲା. ଅଶ୍ୱ ଶାବକ ପରି ପାହାଡଟା ଡେଇଁ ଯିବାର ଇଛା. କୁନି କୁନି ଡାଳପତ୍ର ପତ୍ର ରେ ଆଚ୍ଛାଦିତ ହେଇ ବଳିଷ୍ଠ ହେଲାଣି. ପତ୍ର ଭରା କିଶୋର, ଝଂକାଏ ମୁଣ୍ଡ ବାଳ ବସନ୍ତ ପବନଟା ଇର୍ଷା ରେ ବେଳେବେଳେ ଦୋହଲାଇ ଦେଇ ଯାଏ.
କିଶୋର ଜୀବନ ଟା ବି ସେମିତି ବସନ୍ତ ପବନର ଧକ୍କାରେ ପହଂଚି ଯାଇଥିଲା ଯୌବନର ପାଦ ଦେଶରେ. ଛଅ ଫୁଟ ଉଛତା, ଶ୍ୟାମଳ ବଳିଷ୍ଠ ଦେହ. ପାଞ୍ଚ ଫୁଟିଆ ଠେଙ୍ଗା ଟା କାନ୍ଧରେ ପକେଇ ବାହାରିଲେ ଗର୍ଭଣୀ ଗାଇ ବାଟ ଛାଡି ଦିଏ. ଗାଁ ରେ ଭାଉଜ ମାନେ ଲୋଭ ସମ୍ଭାଳି ନ ପାରି କେତେ ଟାହି ଟାପରା କରନ୍ତି. କୁଆଁରୀ ଝିଅ ମାନେ କେତେ ବାହାନାରେ ଜାଣିଶୁଣି ପାଖରେ ପଶନ୍ତି ସବୁ ଜାଣି ବି ଅଜଣା ଭାବି ବାଟ ଆଡେଇ ଚାଲିଯାଉଥିଲି.
ଲୋକେ କୁହନ୍ତି ମୋ ବାପା ବଳିଆ ପଧାନ ମୋ ଠୁଁ ଚାଖଣ୍ଡେ ଉଚ୍ଚା. ବାଘ ନିଶ ଭଳି ନିଶ ଥରେ କାଳେ ବଉଳା କୁମ୍ଭୀର ଟା ବନ୍ୟାରେ ଆମ ଗାଁ ନାଳ ଭିତରେ ପଶି ଯାଇ ଥିଲା ବାପା କାଳେ ତାକୁ ମାଡିବସି ଗାଁ ଲୋକଙ୍କ ସହାୟତା ରେ ରଶି ବାନ୍ଧି ଟାଣି ଟାଣି ନେଇ ନଈରେ ଛାଡିଦେଇ ଆସିଥିଲେ. ବୋଉ ନେତି ଆଉ ମୋ ବଡ ଭଉଣୀ ପୁର୍ଣିମା ପୁନେଇଁ ରେ ଜନମ ହେଇଥିଲା ବୋଲି ବୋଉ କାଳେ ତା ନା ପୁର୍ଣିମା ରଖିଥିଲା ସମସ୍ତେ ଗେଲ୍ହାରେ ପୁନି ଡାକନ୍ତି. ମୋ ବୋଉ ଭଳି ଗୋରୀ ଭାରି ସୁନ୍ଦରୀ. ପଞ୍ଚମ ଯାଏ ପାଠ ବି ପଢ଼ିଛି.ଜମିଜମା ନଥିଲା ବାପା ହାଡ଼ ଭଙ୍ଗା ପରିଶ୍ରମ କରି ଜମି ଦୁଇ ମାଣ ଯାହା କରିଥିଲେ. ସେଇଥିରେ କାଳେ ଆମ ପରିବାର ଗାଁ ରେ ସବୁଠୁ ସମ୍ପନ୍ନ ଥିଲା, ମୋ ଦେଇ ପୁନି କାଳେ ଆମ ଗାଁ ର ପ୍ରଥମ ଝିଅ ପିଲା ଯିଏ ପଞ୍ଚମ ଯାଏ ପଢିଥିଲା. ମୁ ଟିକେ ବେଶୀ ଗେଲ୍ହା ହୁଏ କୋଳ ପୋଛା ପୋଛି ପୁଅ ବୋଲି.. ମୋ ଦେଇ ଜନମ ହେବାର ଛଅବର୍ଷ ପରେ ମୋ ଜନ୍ମ କେତେ ପୂଜାପାଠ, ଠାକୁର ମନାସି ମୁ ଜନ୍ମ ହେଇଚି କାଳେ. ରଙ୍ଗ ଟିକେ ମୋ ବାପା ରଙ୍ଗ ସଙ୍ଗେ ମିଶୁଥିବାରୁ ସେଇ ଜଗନ୍ନାଥ ଙ୍କ ନାଁ ରେ କାଳନ୍ଦୀ ରଖିଥିଲେ ସମସ୍ତେ କାଳିଆ ଡାକନ୍ତି.
1960 ମସିହା ଅଗଷ୍ଟ ମାସ ହାଲ୍ଲା ହେଲା ବୈତରଣୀ ରେ ବଡ ବନ୍ୟା ଆସୁଛି. ଗାଁ ସାରା ଚହଳ ସମସ୍ତେ ହାଣ୍ଡି କୁଣ୍ଢେଇ ଯାହା ପାଖରେ ଯାହା ଧାନ ଚାଉଳ, ରନ୍ଧା ଖାଦ୍ୟ ଥିଲା ଧରି ପାଖରେ ଥିବା ବଡ ବନ୍ଧ ଉପରକୁ ପଳାଇ ଆସିଥିଲୁ ମୋର ଝାପ୍ସା ମନେ ଅଛି. ହୁ ହୁ ହେଇ ପାଣି ମାଡି ଆସିଲା ହାଲ୍ଲା ପଡିଲା ବନ୍ଧ ବୁଡ଼ିଯିବ. ତିନି ଖଣ୍ଡ ଗାଁ ଲୋକେ କମର ବାନ୍ଧିଲେ ଆଡି ବନ୍ଧ ନ ଦେଲେ ବନ୍ଧ ବୁଡି ପାଣି ପଶିଯିବ. ସବୁ ମାଇପେ ମିଣିପେ କାନ୍ଧରେ କୋଦାଳ ପକେଇ ପାଛିଆ ଧରି ଧାଇଁଲେ. ପାଖ ବିଲ ରୁ ମାଟି ଉଠେଇ ଆଡି ବନ୍ଧ ଦେଉଥାନ୍ତି, ବନ୍ଧ ଚାପୁରେଇ ଆଡି ଅଧା ବୁଡ଼ିଲା ରାତି ଦଶଟା ହେଲାଣି କାହାରି ନିଘା ନାଇଁ. ବାପା ଆଉ ତାଙ୍କ ସାଙ୍ଗରେ ଆଠ ଦଶ ଜଣ ବିଲରୁ ଚେକା କାଟି ଦେଉଥାନ୍ତି.
ବୋଉ ଆଉ ଅନ୍ୟ ମାଇପେ ସବୁ ଚେକା ମୁଣ୍ଡେଇ ବନ୍ଧ ଉପରକୁ ଆଣୁଥାନ୍ତି.
ଆରେ ଆରେ ସବୁ ଦଉଡି ପଳେଇ ଆସ ଚିତ୍କାର ଶୁଭିଲା ଅନ୍ଧାରରେ ବନ୍ଧ ପେଲିଦେଲାଣି ବାସ ସେତିକି ଶବ୍ଦ ଶୁଣିଛନ୍ତି ବନ୍ଧ ତଳେ କାମ କରୁଥିବା ଲୋକ ମାନେ. ସବୁ ସରିଗଲା ପାହାଡ଼ ଉଚ୍ଚା ରୁ ପାଣି ବନ୍ଧ ଭାଙ୍ଗି ମାଡ଼ିଗଲା. ତଳେ କାମ କରୁଥିବା ଚାଳିଶ ପଚାଶ ଜଣଙ୍କ ଭିତରୁ କିଛି ଭାଷି ଗଲେ କିଛି ମାଟିରେ ପୋତିହେଇ ମଲେ. ସଖାଳୁ ସରକାରୀ ଗାଡି ଆସିଲା, କେତେ ଖୋଜ ଖବର ହେଲା, ଛତିଶ ଜଣ ବଞ୍ଚିଲେ କୁଆଡେ ଭାଷି ଯାଇ ଲଙ୍ଗଳା ମୁକୁଳା ହେଇ ତିନି ମାଇଲି ଦୂର ଗାଁ ରେ ଗଛ ଡାଳ ଧରି ବଞ୍ଚିଯାଇ ଥିଲେ. ମୁ ଲଙ୍ଗଳା ଛୁଆଟା ଦେଇ ହାତ ଧରି ବାହାରି ଥିଲି ରାତିରେ ମୋ ବାପା ବୋଉକୁ ଖୋଜିବାକୁ, ଗାଁ ଲୋକେ ଛାଡିଲେନି କାଳେ ଆଉ କୋଉଠି ବନ୍ଧ ଘାଇ ହେଇଯିବ ବୋଲି..
ତା ପରଦିନ ସିନ୍ଦୁରା ଫାଟିଲା ପୁନି ଦେଇ ହାତ ଧରି ଧାଇଁଲି ଦେଇ ଏକ ପ୍ରକାର ଅଣ ନିଶ୍ବାସୀ ହେଇ ଦଉଡୁ ଥାଏ ମୁ ପଛେ ପଛେ କାନ୍ଦି କାନ୍ଦି ଦଉଡୁ ଥାଏ. ବନ୍ଧ ପାଖରେ କେତେ ଲୋକ ଗହଳି କିଏ କାହାକୁ ପଚାରୁଛି, ସମସ୍ତେ ନିଜ ନିଜ ଲୋକଙ୍କୁ ଖୋଜୁଛନ୍ତି.
ଓପାସ ଭୋକେ ଦିନ ମାନ ଖୋଜି ଖୋଜି ନିରାଶରେ ଦେଇ ହାତ ଧରି ବନ୍ଧ ଉପରେ ବସିଥିଲି. ମୋ ଦେଇ ସେ ଦିନ ମୋତେ କୋଳେଇ ନେଇ ମୋ ବୋଉ ପାଲଟି ଯାଇ ଥିଲା. ଦୁଇ ଦିନ ସେମିତି ବିତିଲା, ଯୋଉ ବାର ଜଣ ନିଖୋଜ ଥିଲେ ସେଥିରେ ମୋ ବାପା ବୋଉ ଥିଲେ. ପଡିଶା ଘର ସାନ ଅଜା ମୋ ଦେଇକି ଭାରି ଭଲ ପାଆନ୍ତି ସେ ବାଡି ଠୁକୁ ଠୁକୁ କରି ଆସି ଆମକୁ ନେଇ ତାଙ୍କ ଘରକୁ ଗଲେ, ଗାଁ ରେ ଅଧା ଅଧି ଘର ପାଣି ସୁଅରେ ଭାଙ୍ଗି ଯାଇଥିଲା ସେଥିରେ ଆମ ଘର ବି ଥିଲା କେବଳ ଆମ ଠାକୁର ଘର ଟୁଙ୍ଗିଟି ବଞ୍ଚି ଯାଇ ଥିଲା. ଦୁଇ ଦିନ ଓପାସ ଭୋକିଲା ପେଟରେ ଆଉଟୁ ପାଉଟୁ ହେଉ ଥାଏ, ଦେଇ କିମିତି ମୁକ ପାଲଟି ଯାଇଥିଲା ଭୋକ ଶୋଷ ଭୁଲି. ଗୋଟାଏ ବେଳ ସରକାରୀ ଡ଼ଙ୍ଗା ଲାଗିଲା ଗାଁ ଲୋକେ ଦୌଡିଲେ ଦେଖିବାକୁ ମୁ ବି ଦେଇ ହାତ ଧରି ଦୌଡିଲି. ଛୋଟ ପିଲାଟି ମୁ କିଛି ଜାଣି ପାରୁନଥାଏ. କାନ୍ଦଣା ସ୍ୱର ତୀବ୍ର ରୁ ତୀବ୍ରତର ହେବାକୁ ଲାଗିଲା. ସେଠି ପହଂଚି ଦେଖିଲି ବନ୍ଧ ଉପରେ ବାରଟି ଶବ ପଡିଛି ତା ଭିତରେ ମୋ ବାପା ବୋଉଙ୍କର ବି. ମୁକ ଦେଇଟା ଯେମିତି ଫାଟି ପଡିଥିଲା ଗଗନ କମ୍ପୁଥିଲା ତା କରୁଣ କ୍ରନ୍ଦନ ଧ୍ଵନିରେ ସମସ୍ତେ ଶୁଣିଥିଲେ ବଧିର ଦଇବଙ୍କୁ ଛାଡି.
ଦେଇ କେତେଦିନ ମୋତେ ଧରି କାନ୍ଦିଛି ଜାଣେନା, ପାଠରେ ଡୋରି ବାନ୍ଧିଲା ସେ ବୋଧେ ମୋ ବୋଉ ପାଲଟି ଯାଇଥିଲା. ସେ ଦିନୁ ତାକୁ ଆଉ କାନ୍ଦିବାର ଦେଖିନି. ମୁ ଆଜି ବାଇଶି ବର୍ଷର ଭେଣ୍ଡିଆ ଟାଏ. ପୁନି ଦେଇର ତ୍ୟାଗର ମଣିଷ ଟି. ପାଖ ଗାଁରେ ତା ଶାଶୁ ଘର, ଆଦର୍ଶ ର ପ୍ରତିମୂର୍ତ୍ତି ଟି ଆଗରେ ସମସ୍ତେ ମୁଣ୍ଡ ନୁଆଁନ୍ତି. ସେ ଆମ ଅଂଚଳ ର ପ୍ରେରଣା. ବାପା ଛାଡି ଯାଇଥିବା ଦୁଇ ମାଣ ଜମି ରେ ଚାଷ କରି ମୁ ବେସ ଖୁସିରେ ଥିଲି. ଦେଇ ପସନ୍ଦର ଝିଅ ଅମାନ୍ୟ କରି ହେବନି ଯାହା ହେଉ ବାହାଘର ହେଇଗଲା. ମୋ ଭାଗ୍ୟରେ ଥିଲା ବାପ ଛେଉଣ୍ଡ ଝିଅଟି ରୁକ୍ମଣୀ ତା ନାଁ ଟା ମୋ ପାଟିରେ ପଶେନି ବୋଲି କୋଇଲି ବୋଲି ଡାକେ. କେମିତି ମୋ ଜୀବନର ତିରିଶଟି ବସନ୍ତ ତା ସହିତ କଟିଛି ଜାଣିନି. ଛାଇ ପରି ସବୁବେଳେ ପଛେ ପଛେ ଗୋଡାଉ ଥିଲା, ଦିନେ ତା ମୁହଁରୁ ଅସୁବିଧା, ସୁବିଧା କିଛି ଶୁଣିନି. ସତରେ ପୁରୁଷ ମନଟା କଉ ମାଟିରେ ଗଢ଼ା କେଜାଣି,, ଚାଲିଗଲା ପରେ ଖୋଜନ୍ତି, ଆଖି ଲୁଚେଇ କାନ୍ଦନ୍ତି ସିନା ବାହାରକୁ ଭାରି ଦମ୍ଭ. ମୁ ତ ଗଜମୂର୍ଖ.
ବାପା ଯିବା ପରେ ଆଉ ଇସ୍କୁଲ ମାଡିନି. ଅନଉ ଅନଉ ଚାଳିଶ ବର୍ଷ ବିତିଗଲାଣି, ମୁ ମୂର୍ଖ ଥିଲି ସିନା ଦୁଇ ପୁଅଙ୍କୁ କଲେଜ ପାଠ ପଢ଼େଇଚି ଦୁଇ ଜଣ ଯାକ ସରକାରୀ ଚାକିରୀ, ସାନ ପୁଅ ବୋହୁ କୋଉ ବମ୍ବେଇ ରେ ବେଶିଦୂର ବାଟ, ରେଳରେ ଗଲେ କାଳେ ତିନିଦିନ ଲାଗୁଚି. ବଡ ପୁଅ କଟକ କୋଟ ରେ କିରାଣୀ.
ଭାବୁ ଭାବୁ ଚଳଚିତ୍ର ଭଳି ନାଚି ଯାଉଛି, ସେ ଯଉବନ ର ଦିନ ଗୁଡା, ସେ ସୁଖ ସପନ କୁ ଆଉଥରେ ନଉଟାଇ ବାର ଇଛା. ଲାଜ ଲାଜ ଲାଗୁଥିଲା, ଫୁର କିନା ଉଡ଼ିଗଲେ କୋଇଲି ଟିଏ ପାଖ ଦେଇ ଶିହରଣ ଖେଳି ଯାଉ ଥିଲା ମନରେ. ସେ ଗର୍ବିତ ହାତୀ ଶୁଣ୍ଢ ଭଳି ବାହୁ ତଳେ ଆଶ୍ରିତ ମୋ ପରିବାର.
ନାତି ନାତୁଣୀ ଙ୍କ କଳରବ ରେ ଫାଟି ପଡୁଥିଲା ଅଗଣା ଟି. କେଉଁ ଏକ ଅଜଣା ରୋଗ ରେ ଦିନେ ମୋତେ ଏକାକରି ଛାଡି ଚାଲିଗଲୁ.
କେତେ ଝଡ଼ ଝଞ୍ଜା ଆସିଛି, ଅଜସ୍ର ଚୋଟ ଖାଇ ସମ୍ଭାଳିଛି. ଭାବିନି କାହାକୁ ନିଜ ପର, ବିସ୍ତାରିତ ବାହୁ ତଳେ ଆଶ୍ରା ଦେଇଛି. ସେ ଝାଇଁ ଝାଇଁଆ ଖରା ବେଳେ ଅଗଣିତ ପଶୁ ପକ୍ଷୀ ଭଳି ଏ ପରିବାର କୁ. ଆଉ ମୋ ଝଙ୍କାଳିଆ ଡାଳର ଛାଇ ନାହିଁ, ପତ୍ରଝଡା ଥୁଣ୍ଟା ବରଗଛ ଟିଏ ଚମ ଧୁଡୁ ଧୁଡୁ ଶୁଖିଲା ଡାଳ ପରି.
ମନଟା ସିନା ଅଟକି ଯାଇଛି ସେଇଠି ହେଲେ ଆଜି ମୁ ଅସହାୟ ବୃଦ୍ଧ….. ଥୁଣ୍ଟା ବରଗଛ ଟିଏ. କେତେ ଆଶା ଆଖିରେ, ହେଲେ ଶକ୍ତି କାହିଁ, ନିଜେ ମାଟିରୁ ପାଣି ଟାଣି ବଂଚିବାକୁ. ଶୁଖିଲା ବାହୁଦୋୟ ଆଜି ନିର୍ବଳ. ଅନେଇଛି ସେ ଆଷାଢ଼ର ବର୍ଷାକୁ ପାଣି ଟୋପେ ପାଇଁ. ମୃତ୍ୟୁ ଆଉ ଜୀବନ ର ଟଣା ଟଣି ଭିତରେ ବଂଚିବାର ମୋହ. ମୃତ୍ୟୁର କରାଳ ଗର୍ଭରୁ ଜୀବନକୁ ସମସ୍ତ ଶକ୍ତି ଲଗାଇ କିଛି ସମୟ ପାଇଁ ଟାଣି ପକାଇବାର ଲୋଭ. ଆସନ୍ନ କାଳରୂପୀ ବାତ୍ୟା ରୁ ଦୁଇ ହାତରେ ଆବଦ୍ଧ କରି ଜୀବନ ଦୀପ ଟିକୁ ବଞ୍ଚାଇ ବାର ଅଦ୍ୟମ ପ୍ରୟାସ.
ଦାଣ୍ଡ ଦୁଆରେ ବସି ହନୁ ମାଙ୍କଡ଼ ଭଳି ଖାଲି ଆକୁ ଡ଼ାକ, ତାକୁ ଡ଼ାକ ଖଁ ଖଁ କାଶ. ପାଣି ଟୋପେ ପାଇଁ କେତେ କାହାକୁ ଡାକିବି. ଏ ନିଃସଙ୍ଗ ଅସହାୟ ଜୀବନଟା ମାଡି ବସୁଛି ଯେମିତି.
ବଉଳ ଗଛ ଟାରେ ଗହଳି ଚହଳି ମୋତେ ଯେମିତି ଖତେଇ ହେଲାଭଳି ଲାଗୁଛି. ହଳଦିବସନ୍ତ ଆଉ କୋଇଲି ଦୁଇଟାଙ୍କ ଛକା ପଞ୍ଝାକୁ ଅନେଇ ପାକୁଆ ପାଟି ରେ ମୁରୁକି ହସି ଦେଲି ଟିକେ. ଦିନେ ହଳଦୀବସନ୍ତ ଟା ଚିଡାଉ ଥିଲା କୋଇଲି କୁ କିଛି କହୁନୁ କାହିଁକି ଏମିତି ବସିଛୁ. ମୋ କୋଇଲି ସେ ଦିନ କହିଥିଲା, କଣ
କହିବି ଯେ, କାଳି ପାତି ଟାଏ ମୁ ତୋ ହଳଦୀ ବୋଳା ରଙ୍ଗ ପାଖରେ ମୁ କଣ?. ସେଇ ତୋ କଥା ପଦକ ଦିନେ ମୋ ମନକୁ କିଣି ନେଇ ଥିଲା, ଆଗ ପଛ ନ ବିଚାରି ହଁ ମାରି ଥିଲି ତୋତେ ବାହା ହେବାକୁ, ତୁ ଶ୍ୟମଳ ଗୋରୀ ହେଇ ମଧ୍ୟ ନିଜକୁ କାଳିବୋଲି
କହି ଥିଲୁ, ସେଇଠୁ ତୋ ମନର ବଡ ପଣିଆ ଟା ମୋ ମନକୁ କିଣି ନେଇ ଥିଲା.
ଭାବନା ଟା ଭାଙ୍ଗିଗଲା ବୋହୂର ଡାକରେ, ପାଣି ଢାଳଟା ଆଉ ଗ୍ଲାସ ଟା ରଖି ଦେଇ କହିଗଲା, ବାରମ୍ବାର ଡ଼ାକିବନି ଶୋଷ ହେଲେ ପିଇ ନେବ. ହଉ କହି ଲମ୍ବା ନିଶ୍ୱାସ ଟିଏ ମାରିଲି.ଅସହ୍ୟ ଗରମ ରେ ଦେହ ହାତ ଖାଲି କୁଣ୍ଡେଇ ହେଉଛି. ବୋହୁ ତା ଘରେ କଣ ଥଣ୍ଡା ମିଶିନୀ ଲଗାଇଛି, ମୋତେ ସେଠିକି ଯିବାକୁ ମନା କାଳେ ତା ପିଲାଙ୍କୁ ମୋ କୁଣ୍ଡିଆ ବେମାର ଲାଗିଯିବ. ଆଉ ଥଣ୍ଡାରେ ମୁ ବେମାର ହେଇଯିବି ବୋଲି ଦାଣ୍ଡ ପିଣ୍ଡାରେ ମୋ ସପ ଖଣ୍ଡିକ ପଡିଛି. ଆଜି ମୁ ଏକାକୀ ନିସ୍ଵ, ଖୋଜିବୁଲେ ମୋ ଶୁଖିଲା ଠକ ଠକ ଆଖି ସାନିଧ୍ୟ କାହାର. କୋଇଲି ଟା ମୋର କେବେଠୁ ଉଡ଼ି ଗଲାଣି ଏକା କରି ମୋତେ. ଶୁଖିଲା କାଠ ଗଣ୍ଡିଟା, ଯାହା କେତେବେଳେ ମଶା ଗୁଡା ରକ୍ତ ସନ୍ଧାନରେ ଆସି କାନ ପାଖେ ଗୁଣୁ ଗୁଣୁ ହେଉଛନ୍ତି. ଶୁଖିଲା ଗଣ୍ଡିଟା ରେ ରସ କାହିଁ, ଯାହା ଖାଲି ଫୁଟାଇ ଚାଲିଛନ୍ତି, କାଠହଣା ଚଡେଇ ବସା ପରି ଅନେକ ଗର୍ତ୍ତ ସେ ଶୁଖିଲା ଗଣ୍ଡିରେ.ସବୁବେଳେ କୁହୁ କୁହୁ କରି ଚିଡାଉ ଥିଲୁନା ମୋତେ. ଆଜି ତୋ ମନର ମଣିଷ ଟା ଶୁଖିଲା ଆଖିରେ ଚାହିଁ ବସିଛି……ଏଇ…………
ସତେ ଯଦି ମୋତେ ଏତେ ଭଲ ପାଉଥିଲୁ…. ଥରୁଟିଏ ଆଉ ଝଗଡା କରନା…. ଛାତିଟା ଫାଟିଗଲା ପରି ଲାଗୁଛି. ସବୁବେଳେ ସବୁ କଣ? ସମସ୍ତଙ୍କ ଭାଗ୍ୟରେ ଥାଏ. ଥୁଣ୍ଟା ବୁଢ଼ା ବରଗଛ ଟିଏ ପରି ଶୁଖିଲା ବାହୁ ସିନା ମେଳେଇଛି ପୁଅ ବୋହୁ, ନାତି ନାତୁଣୀଙ୍କ
ମମତା ଟିକେ ପାଇଁ. ହେ ଭଦ୍ର ସମାଜର ପାଠୁଆ ସନ୍ତାନ ମାନେ.
ତମେ ମାନେ ବି ଦିନେ ବୁଢା ହେବ ଆଉ ବୁଝିବ ଏ ବୁଢ଼ା ମାନଙ୍କର ରାଉ ରାଉ ଭାଷାର ଅର୍ଥ. କଣ ବା ଆବଶ୍ୟକ ଆମର ଗନ୍ଧ ହୀନ, ସ୍ୱାଦ ହୀନ, ଦୃଶ୍ୟ ହୀନ ଠାରୁ ବହୁତ ଦୂରରେ. ଆବଶ୍ୟକ କେବଳ ଟିକେ ଭଲ ପାଇବା, ଟିକେ ପାଖରେ ବସିବା. ମୋର କେହି ଜଣେ ଅଛି ଏ ଦୁନିଆରେ ବୋଲି ଅନୁଭବ କରିବା. ଆଜି ଅଦରକାରୀ ବୁଢାଟାଏ ନା ମୁ ଆଉ ଦେଇ ପାରୁନି ଡହ ଡହ ଖରା ତାତି କୁ ପିଇ ଶୀତଳ ଛାଇ ର ସାନିଧ୍ୟ. ଆଉ ସେ କିଚରି ମିଚିରି କଳରବ ଶୁଭୁନି
ଇଛାର ଆଶାମୃତ୍ୟୁ କେବେଠୁ ହେଇ ସାରିଛି. ଆଶା ନାହିଁ ଆଉ ଆଷାଢ଼ର ପ୍ରଥମ ଵୁନ୍ଦ ଟିଏ ପାଇଁ, ଧାଁଉଛି ତୁମ ପଛେ ଆଶା ମରୀଚିକା ପରି, ମୋ ଠୁଁ ସୃଷ୍ଟି ତୁମେମାନେ ଏତେ ଘୃଣା କାହିଁକି?.
ଖୋଜିବୁଲେ ଏ ଶୁଖିଲା ଆଖି ଟିକିଏ ସ୍ପର୍ଶ ତୁମ ମାନଙ୍କର. ସେ ସ୍ପର୍ଶରେ ଅଛି ଜନ୍ମ ଜନ୍ମାନ୍ତର ନିବିଡ ବନ୍ଧନ. ଆଉ କଁଅଳ ପତ୍ରର ଛାଇ ସିନା ନାହିଁ ଦିନେ ଜାଣି ପାରିବ ସେ ସ୍ପର୍ଶର ଆନନ୍ଦ. ବୁଝି ପାରିବ ସେ ଥର ଥର ଓଠରେ କହୁଥିବା ଅବୁଝା ଭାଷା.ସମୟ କାହାକୁ ଅପେକ୍ଷା କରେନି. କଡା ଗଣ୍ଡା ହିସାବ କରିବ ଦିନେ ଆଉ ଫଳ ଦେବ ପ୍ରାପ୍ୟ ହିସାବରେ… ଅପେକ୍ଷା ସେ… ସମୟ ଅପେକ୍ଷାରେ.

ନରୋତ୍ତମ ପରିଡା. ପୁନେ. ମହାରାଷ୍ଟ୍ର.
ତା – 01-7-2020.

Leave a Reply

Your email address will not be published. Required fields are marked *