ପ୍ରିୟତମା -3

ରାତ୍ରିର ଗହମ ନିଦରେ
ସ୍ବପ୍ନ ସବୁ ପଇଁତରା ମାରୁଥାନ୍ତି
ମୋ ଅଗଣାରେ ।
ମୁଁ ବି ନିଜକୁ ନାୟକକରି
ଦେଖୁଥାଏ, ଲେଖୁଥାଏ, ଅଭିନୟ ବି କରୁଥାଏ
ଅବଚେତନରେ ।
ଦେହ ସାରା ଉତ୍ତେଜନା
ମନର ସାଦା ଲଫାପାରେ
ଏକଲାପଣର ଇସ୍ତାହାର ।
ଏଇ ସବୁ ସ୍ୱପ୍ନମାନେ
ନିର୍ଜନ ନିବୁଜ କୋଠରୀରେ ଗହଳି କରନ୍ତି ।
ମୁଁ ହସେ କାନ୍ଦେ ଅଭିମାନ କରେ
ପ୍ରେମ ବି କରେ ସ୍ୱପ୍ନର ସହରେ ।
ଯାହା ନିଶବ୍ଦ, ନିରୋଳା, ନିବୁଜ
ନାହିଁ ନଥିବା ଭିତରେ
ହୃଦୟର ଖୁବ ପାଖାପାଖି ।
ଅଶାରୀରି ସ୍ପର୍ଶ ଦିଏ
ଅଦୃଶ୍ୟା ଦେଖାଦିଏ
କାବ୍ୟା ରୂପ ନିଏ
ମୁଁ ତ ମାଧ୍ୟମ ମାତ୍ର
ଗୁମର ଖୋଲିବାକୁ ।
ପ୍ରିୟତମା ଏଠି କିଛି ବି ସତ ନୁହେଁ
ଦୃଶ୍ୟ, ଶବ୍ଦ ଏ ଆଖି ବି ସବୁ ମାୟାଜାଲ
ଅମାନିଆ ସ୍ବପ୍ନ ସହ ଯୋଡିହୋଇଥାନ୍ତି
ପ୍ରଣୟର ପରିଣୟର ରଜ୍ଜୁରେ ।

ଦିନେଶ ଅଗ୍ରୱାଲା
ବରଗଡ଼

Leave a Reply

Your email address will not be published. Required fields are marked *