ପ୍ରିୟତମା -2

କାହିଁକି କେଜାଣି ଇଚ୍ଛାହୁଏ
ପୁଣିଥରେ କଲମ ଧରିବାକୁ
ନିସ୍ତବ୍ଧ ରାତିର ନିରୋଳା ମୁହୂର୍ତ୍ତରେ
କେହି ଜଣେ ବାରମ୍ବାର ଆସୁଥାଏ
ମୋ ପାଖକୁ, ମୋରି ପାଖକୁ ।

ଅବାନ୍ତର କଥା ବି କହୁଥାଏ
ଅସ୍ପଷ୍ଟ ଭଙ୍ଗୀରେ
ଅବାଧରେ ସେସବୁକୁ ଗ୍ରହଣ କରିବାକୁ ହୁଏ
ମୋର ଇଚ୍ଛା ଅନିଚ୍ଛାର
ପ୍ରତୀୟମାନ ମୁହୂର୍ତ୍ତମାନଙ୍କୁ ।

ଦୈନନ୍ଦିନ ଜୀବନ ଚର୍ଯ୍ୟାରୁ
କିଛି ସମୟ ବି ନେଇଯାଏ
ଅତ୍ମୀୟତାର ପରିଚୟ ଦେଇ
କୋମଳ ଭଙ୍ଗୀରେ
ପ୍ରତିବାଦ ଜମା ବି କରିହୁଏନା ।

ପ୍ରିୟତମା
ତୁମକୁ ପାଇଲା ପରେ
ମୋର ସତ୍ତାକୁ ହରେଇବସେ
ମୁଁ ସତ୍ତା ଭିତରେ ।

ପ୍ରିୟତମା
ତୁମେ କ’ଣ ମୋ ପାଇଁ ଆସିଛ
ଏ ଧରା ପୃଷ୍ଠକୁ
ନା ମୋ ଭିତରେ ନିଜତ୍ବ ଜାହିର କରିବାକୁ ।

ଜାଣେନା, ଜାଣେନା ମୁଁ
ଏ ସବୁର ହିସାବ ନିକାଶ ।

ତୁମେ ଆସିଛ
ତୁମକୁ ସାଦରେ ଆପଣେଇ ନେବି
ମୋର ସବୁ ଚିନ୍ତା ଆଉ ଚୈତନ୍ୟରୁ ।
ମୋର ହୃଦୟ ବଗିଚାରେ ଫୁଟିଥିବା
ଫୁଲସବୁକୁ ଏକଜୁଟ କରି
ଫୁଲତୋଡ଼ାଟିଏ ତିଆରିବି
ଆଉ ଉପହାରର ଉପମା ଦେଇ
ମୁଁ ତୁମର ସ୍ୱାଗତ କରିବି ।

ଦିନେଶ ଅଗ୍ରୱାଲା
ବରଗଡ଼

Leave a Reply

Your email address will not be published. Required fields are marked *