ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ। 😍
ଅସରନ୍ତିଅସୁମାରୀ-ଅପାଶୋରା-ଅଲିଭା-ଅଫେରନ୍ତା-ଅତୀତରେଥିବା ଅବୋଧ ବାଳିକାର ସ୍ମୁତି ମନେ ପଡିଗଲେ ବର୍ତ୍ତମାନର ସ୍ଥିତି ବିସ୍ମରଣ ହୁଏ ମୋର। ଆଃ!! ରୁକୁଣାରଥ ପରି ଅଣଲେଉଟା, ଭସାମେଘର ଛାୟା ପରି ଅଦୃଶ୍ଯ, ନିମ୍ନଗାମୀ ସ୍ରୋତସ୍ୱିନୀ ପରି ସୁନ୍ଦର-ଛଳଛଳ-ତ୍ରୁପ୍ତି ପ୍ରଦାନକାରୀ ପିଲାଦିନ ଫେରି ଆସନ୍ତା କି !ଝରି ପଡନ୍ତା କି ମୋ ଉପରେ ବର୍ଷା ହୋଇ !ତା’ ଢେଉ ରେ ଖେଳି ଖେଳି ମୁଁ ଭୁଲିଯାଆନ୍ତି ସବୁକିଛି।
ଏଇ ତ! ରିମଝିମ୍ ବର୍ଷାର ସ୍ୱର, କଳା- ଧଳା ବଉଦର ଲୁଚକାଳି ଖେଳ, ଇନ୍ଦ୍ରଧନୁ ଓଭିଜାମାଟିର ବାସ୍ନା! ଆଃ!ସତରେ ଆତ୍ମହରା ହୋଇପଡେ ମୁଁ। ତିନି ପୁରୁଷରେ ଝିଅ ନଥିବାରୁ, ଭାରି ଗେଲବସରରେ ବଢ଼ି ଥିଲି, ଗୁରୁକୁଳ ଆଶ୍ରମ ବା ସତ୍ଯବାଦୀ ଆଦର୍ଶ ବିଦ୍ୟାଳୟ ନଥିଲା କି ପବ୍ଲିକ୍ ସ୍କୁଲ ମଧ୍ଯ ନଥିଲା।
ଘର ଆଗର ‘କଳପଡା ପ୍ରାଥମିକ ବିଦ୍ୟାଳୟରେ ପଢୁଥିଲି ମୁଁ।ଗୋଡରେ ପାଣି ଲାଗିବ ବୋଲି ବର୍ଷା ଦିନେ ଘରେ ଚାକିରି କରୁଥିବା ଦଶିଆ ଛତା ରେ ନବା ଆଣିବା କରେ। ତଥାପି,ସ୍କୁଲରୁ ଏକ-ଦୁଇ ପାଇଁ ଅନୁମତି ମାଗି ପାଖ କୋଟାକୁ ସୁନ୍ଦରୀ,ଶଙ୍ଖୁଆ ଆମ୍ବ, କେତେବେଳେ ଆମ ବାଡିର ଲେମ୍ବୁ,ପିଜୁଳି ଆଣି ଶ୍ରେଣୀ ରେ ବାଣ୍ଟି ବା ମୋର ଏକ ଭଲ ଅଭ୍ୟାସ।ସ୍କୁଲକୁ ଲାଗି ଆମ ଦୋକାନ ଆଗରେ ଦୁଇ ବସ୍ତା ଲୁଣ ଥୁଆ ହୋଇ ଘୋଡା ହୋଇ ଥାଏ,ଟମାଟର୍,ଖଟାପାଳଙ୍ଗ,କଦଳୀପତ୍ର, କଞ୍ଚାଲଙ୍କା ସବୁ ଆମ ବାଡିର। ଆଃ!!ଚଟପଟା ଫିଷ୍ଟ୍ ର ମୁଁ ଥିଲି ପ୍ରଯୋଜକ-ନିର୍ଦେଶକ ଓ ଅଭିନେତା।
ପ୍ରଧାନ ଶିକ୍ଷକ ରାଜକିଶୋର ଦାସ ବହୁତ ସ୍ନେହ ଶ୍ରଦ୍ଧା କରନ୍ତି ମୋତେ। ଏ ସବୁ ଭୋଜିରେ ତାଙ୍କୁ ଭୋଗ ଲଗାଯାଏ । ଶନିବାର ସକାଳୁ ସ୍କୁଲ ଥିବାରୁ ବୋଉ ଚା’ଜଳଖିଆ ସ୍କୁଲରେ ଥିବା ସାରଙ୍କ ପାଇଁ ପଠାଏ। ଶ୍ରେଣୀ ରେ ପ୍ରଥମ ହେବାସହ, ଗୀତ-ନାଚ-ଭାଷଣରେ ମୋର ପ୍ରଥମ ସ୍ଥାନକୁ କେହି କାଟିପାରୁ ନଥିଲେ।
ପ୍ରକୃତି ପ୍ରେମୀ ମୁଁ, ନଜର ସବୁବେଳେ ପ୍ରାକୃତିକ ଶୋଭା ଉପରେ ଥାଏ, ନାଲି ଟୁକୁଟୁକୁ ସାଧବ ବୋହୁ, କୁନିକୁନି କୁକୁର ବିଲେଇ ଛୁଆ, କଅଁଳା ବାଛୁରୀ ଓ ଛେଳି ମୋର ପ୍ରିୟ। ସନ୍ଧ୍ଯାରେ ଟିକେ ବହି ଦେଖୁଥିଲି, ମନଟା ବୋହୁ ଚୋରି, କିଚିକିଚି, ବାଘ ଛେଳି,ରେଷ୍ଟିପ୍
ଖେଳରେ। ନଅରକୋଳି, ବେତ, ଜାମୁ ଓ କଣ୍ଟେଇ କୋଳି ପାଇଁ ମୁଁ ଭାରି ବିକଳ। କିଆ ବୁଦାରୁ ଠେକୁଆ ଅନ୍ୱେଷଣ ଓ ପ୍ରଜାପତି, କଙ୍କି ଧରିବା ମୋର ଗୋଟାଏ ସୌକ୍।
ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ଦିନେ ଖାଇବା ଛୁଟିରେ ଘରକୁ ନଆସି ନିଜ କଦଳୀ ବାଡିରୁ ସାଙ୍ଗ ମାନଙ୍କ କଥାରେ ପିରାମିଡ୍ ଶୈଳୀରେ କଦଳୀ ଖାଇବା ହୋଇଥିଲା।ମୁଁ ଉପରେ ଥାଇ ଦୁଇଟା ଖାଇବାରେ ତଳେ ଆଣ୍ଠେଇ ଥିବା ପିଲା ପାଟି କଲା, କିଛି ତଳକୁ ଫୋପାଡି ପଡିଯାଇଥିଲି।ବେଲ୍ ବାଜିବା ରେ ସ୍କୁଲରେ ହାଜର ।ଚୋରି ନୁହଁ ତକ’ଣ? ପରେ ବୋଉକୁ କହି କ୍ଷମା ମାଗିଲି। ଜେଜେ ମୋର ଜାଣିଥିଲେ ପ୍ରଳୟ କରିଥାନ୍ତେ।
ଶାନ୍ତ ପିଲାରେ ନାଆଁଟା ଥିବାରୁ ଆଜିପର୍ୟ୍ଯନ୍ତ କେହି ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆଣ୍ଠେଇ ଥିବା ସାଙ୍ଗଟି ରାଗରେ ମୋ କାନର ଝିଙ୍କିନେଇ ବ୍ୟାଗ୍ ରେ ଗୁନ୍ଥି ଦେଇଥିଲା, ସାର୍ ମାନେ କେହି ନପାଇବାରୁ, ମୋ ଜେଜେ ମା’ ଅଣ୍ଡାଳି ପାଇଥିଲା।
ପିଲାମାନେ ପାଣି ପିଇବେ ବୋଲି, ବାପା ମୋ ଅନୁରୋଧରେ କୂଅ ଖୋଳାଇଥିଲେ। ବିଦ୍ଯାଳୟକୁ ଲାଗି ଥିବା ଓସ୍ତ ଗଛମୂଳେ ଲମ୍ବା ପଥରରୁ ସିନ୍ଦୁର ଆଣି ସ୍କୁଲ ଯାଉ ଆମେ। ପରୀକ୍ଷା ସାରି ବଳକା କାଳିକୁ ପଥର କୁ ଅର୍ପଣ କରୁ। ବଗିଚାର ବାକ୍ସ ଫୁଲ ରୁ ମହୁ ଚୋଷି, ଫୁଲ ଗଛର ଯତ୍ନ ନେଉ।
ସାଇ ଦାଣ୍ତରେ ଥିବା ପାଲିଙ୍କି-ସବାରୀରେ କେତେ ମିଛ ବାହାଘର! ଶଗଡରେ, ଡୋଲିରେ, ବାଦାମଛଡା ମେସିନିରେ କେତେ ଖେଳ! ନଡିଆ ସଢେଇକଳା, ତେନ୍ତୁଳି ପତ୍ରରେ ମିଛିମିଛିକା ଭୋଜି…………
ଆଃ!! ଫେରିଆ ମୋ ପିଲାଦିନ ତୁ ଫେରିଆ।
ପିଲାଦିନକୁ ମୁଁ ଫେରି ଯାଆନ୍ତି।
ଡୋରେମନ ଯଦି ଦିଅନ୍ତା ଗେଜେଟ୍
ଟିଣ ବାକ୍ସ ଧରି ସ୍କୁଲ ଯାଆନ୍ତି।
ସ୍ୱର୍ଣ୍ଣଲତା ପତି
ସମ୍ବଲପୁର୮୪୮୦୪୮୮୫୨୭