🌷ଅନୁଭୂତିରେ ଶ୍ରୀ ଜଗନ୍ନାଥ🌷
💐🙏🌹🙏🌺🙏🌸💐
‘ଭାବକୁ ନିକଟ ଅଭାବକୁ ଦୂର’। ବିଶ୍ୱନିୟନ୍ତା,ଭକ୍ତ ଶିରୋମଣିଙ୍କ ଅଲୌକିକ ଲୀଳା ର ରହସ୍ଯ ଅବ୍ୟକ୍ତ-ଅସରନ୍ତି- ଅପାଶୋରା। ଅନାଦି -ଅନନ୍ତ-ଅଣାକାର-ଶୂନ୍ଯ ଶୂନ୍ଯ ମହାଶୂନ୍ୟ-ଦାରୁବ୍ରହ୍ମ -ଜଗତର ନାଥ ଜଗନ୍ନାଥଙ୍କ ମହିମା ମୁଁ ବା ଛାର କିପରି ବର୍ଣ୍ଣନା କରିବି!!
ପ୍ରତିଦିନ-ପ୍ରତି ମୁହୂର୍ତ୍ତରେ ମୁଁ ତାଙ୍କୁ ଅନୁଭବ କରେ। ହାତ ଯୋଡି ଶିଖିବା ଦିନରୁ ତାଙ୍କୁ ହିଁ ପ୍ରଣାମ କରେ,ତାଙ୍କଦାନ-ଦୟାରେ ଜୀବନ ବଞ୍ଚେ, ଘର, ସ୍କୁଲ, ଅନୁଷ୍ଠାନ ସବୁ ସମ୍ଭାଳେ। ତାଙ୍କ ଅନୁଗ୍ରହ ବିନା ମୋର ଇଞ୍ଚେବି ଅଗ୍ରସର ଅସମ୍ଭବ। ପିଲାଦିନରେ ବାପା -ବୋଉ ପାଖରେ ବସାଇ କହିଥିଲେ-“ମା’ରେ! ତୋର ଯାହା ଇଛା ଭଗବାନଙ୍କୁ କହିବୁ। ସବୁେବେଳେ ତୋ ପାଖରେ ରହି ତୋତେ ଦେଇ ପାରିବେ। ଆମେ କିଛି ନୁହଁ, ଯେଉଁଠି ଯାହା ହେଉଛି, ସବୁ ସେ କରୁଛନ୍ତି”।
ଚକାଆଖିର ଚମତ୍କାର ଆକର୍ଷଣ ମୋତେ ଆକର୍ଷିତ କରିଥାଏ, ପ୍ରତିବର୍ଷ ଖରାଛୁଟିରେ ଟିକେ ଛୁଇଁ ଆସିବାକୁ। ବୋଉର ଗୋଡ ଭାଙ୍ଗି ଦୁଇବର୍ଷ ହେଲା ସେ ନଟବର ନଟିଆ ନାଗର ଟିକେ ହଟ ଦେଖୁଛି।ବଡପରିବାର ହେଲେବି ସବୁଭାଇ-ଭଉଣୀ ମୋ ବ୍ଯତୀତ କଟକ-ଭୁବନେଶ୍ୱରରେ ଅଛନ୍ତି, ଯେତେ ଅସୁବିଧା ଥିଲେ ବି ଜଗାଡୋରି ଲଗାଇ ଟାଣିନିଏ ମୋତେ।
ବୋଲିପାରିବା ଦିନୁ, ସଂନ୍ଧ୍ଯାରେ ତାଙ୍କ ଭଜନ ଗାଏ, ସମସ୍ତେ ଶୁଣି ଖୁସି ହୁଅନ୍ତି।ଝିଅ ଦୁଇଜଣ ମଧ୍ଯ ମୋ ସଙ୍ଗେ ଏବେ ପ୍ରାର୍ଥନା କରନ୍ତି। ସେଦିନ ଭଜନ ସାରି ସାନଝିଅ(ବର୍ଷକର)କୁ ଖୁଆଉଥାଏ, ହଠାତ୍ ବଡ ଝିଅ ସୋଫା ଉପରୁ ତଳେ ଛିଡା ହୋଇ ଥରିବାକୁ ଲାଗିଲା। ତା’ର ଛଳଛଳ ନୟନ ଓ ନିର୍ବାକ୍ ମୁହଁ ମୋତେ ଭୟଭୀତ କରିଦେଲା। ଟି. ଭିରେ ଭଲ ମ୍ୟୁଜିକ୍ ବାଜୁଥିଲା, ହେଲେ ତା’ର ଦୃଷ୍ଟି ସ୍ଥିର ରହିଥିବା ଦିଗକୁ ଚାହିଁଦେଲା ପରେ ଯମଝାଳଟେ ବୋହିଗଲା ପରି ଲାଗିଲା। କିଛି ଶବ୍ଦ ନକରି ଦୁଇ ହାତରେ ଦୁଇ ଝିଅଙ୍କୁ ଟେକି ନେଲି ସୋଫା ଉପରକୁ। ଝରକା ଦେଇ ରାସ୍ତା କୁ ଚାହିଁଲି ସାହାୟ୍ଯ ପାଇଁ କେହି ଦେଖାଗଲେ ନାହିଁ, ନାମଜପ କିନ୍ତୁ ବନ୍ଦ୍ ନଥାଏ। ମୋବାଇଲ୍ ନଥିଲା , ଘର ଲ୍ୟାଣ୍ଡଫୋନ୍ ରୁ ଆଉଟ୍ ଗୋଇଂ ନଥିଲା ପତିଦେବ ବରଗଡ଼ ରୁ ସ୍ୱେଚ୍ଛାସେବୀ ଭାବେ ଯାଇ ଫେରିନଥିଲେ,ଅନ୍ୟମାନେ ଗାଁକୁ ଯାଇଥିଲେ,
ହଟିଆଠାକୁରଙ୍କ ହଟହଟାକୁ ଧୈର୍ଯ୍ୟ ଓ ସାହାସର ସହିତ ସାମନା କଲି। ଦୁଇଝିଅଙ୍କୁ ଯାକି ଧରି ୫ରୁ୬ହାତ ବିଶିଷ୍ଟ ତମ୍ବା ରଙ୍ଗୀ ନାଗରାଜଙ୍କ ଗତିବିଧି ଲକ୍ଷ୍ଯ କରୁଥାଏ। ସନ୍ଧ୍ଯାକାଳୀନ ହାଲୁକା ପବନରେ ଚଉରାମୂଳେ ସଞ୍ଜବତୀ ଜାଳିବା ସମୟରେ ପଶିଆସି ଏଣ୍ଟ୍ରାନ୍ସ ରୁମରେ ଭଙ୍ଗା ସୋଫା ତଳେ ୱେଟ୍ କରିଥିଲେ। ସିଧା ଠାକୁରଘର ଜାଞ୍ଚ କରି, ଶ୍ୱଶୁରଙ୍କ ରୁମକୁ ଛୁଇଁ,ଫେରିଆସିଲେ ଟି. ଭି ଷ୍ଟାଣ୍ଡର ମଝିଥାକକୁ। କଠଉ ଚିହ୍ନିତ ଫଣା ହଲାଇ ମ୍ୟୁଜିକ ସହିତ ତାଙ୍କର ନାଚରେ ଆତ୍ମହରା ହୋଇ ସାନଝିଅ ନାଚୁଥାଏ ,ଆକଟ ନମାନି। ଆଃ…ନୂପୁରର ରୁଣୁଝୁଣୁ ଶବ୍ଦ ଆଜିବି ମନେପଡେ।ବଡ ଝିଅ ଖାଲି ମନେପକାାଉଥାଏ ପ୍ରବେଶ କାଳର ଜ୍ୱଳନ୍ତ ଆଖି ଓ ଲହଲହ ଜିହ୍ବାକୁ।
ନିଜକୁ ଆୟତ୍ତ କରି ଦୁହିଁଙ୍କୁ ନେଇ ଖଞ୍ଜା ଭିତରକୁ ଆସି ମହାବାହୁଙ୍କୁ ପ୍ରଣାମ କଲି। ଏ ଅସମୟରେ ତାଙ୍କର ସତ୍କାର ଅସମ୍ଭବ ବୁଝି ପାରିଲେ ନାଗରାଜ। ମଝି କବାଟ ଦେଇ ପୁରୁଣା ସୋଫା ତଳକୁ ପ୍ରତ୍ଯାବର୍ତ୍ତନ କଲେ। କାଳେ କେଉଁଠି ଲୁଚି ଲୀଳା କରିବେ ଭାବି ବାରିପଟେ ନଯାଇ କାଠ କବାଟକୁ ତୁରନ୍ତ ଦେଇ ଅପେକ୍ଷା କଲି। ପାଟିରୁ ବାହାରି ଗଲା, ଜୟ ଜଗନ୍ନାଥ! ପିଲା ଦୁହେଁ ମଧ୍ଯ ହାତ ଟେକିଲେ।
ଅତିକାଯ ନାଗରାଜଙ୍କ ଲୀଳା ଓ ସେ ଆପେ ବନ୍ଦୀ ଥିବା ଘଟଣା କହିଲି, ପତି ଦେବଙ୍କ ଗ୍ରୁପ୍ ରୁ ଫୋନ୍ ଆସିଲା ପରେ। ୧୧ଟାରାତିରେ ସାପଧରାଳି ଆସିଲେ, ମାରିବାକୁ ମନାକଲି। ୫ଘଣ୍ଟାରେ ଆତ୍ମିୟତା ଏମିତି ଆସିଗଲା, ସାପ ନାମ ଶୁଣି ଲେ ଯେ ରାତିରେ ଚିରିଚିରାଉ ଥିଲା ସେ ଆଉ କେବେ ଡରୁନାହିଁ। ସେଦିନଠୁ ତିନିଥର ବାହାର କଲିଣି, ସବୁ ସେଇ ମାୟାଧରଙ୍କ ମାୟା!
ବିପଦ ଉପରୁ ଦେଖାଯାଏ। ହେଲେ ଅନ୍ତର୍ଯ୍ୟାମୀ ଅନ୍ତରକୁ ଶକ୍ତଓ ସଫା କରନ୍ତି, ଅନୁଭବୀ ହିଁ ଅନୁଭବ କରିପରିବ।
‘ବିଶ୍ବାସେ ମିଳଇ ହରି ତର୍କେ ବହୁଦୂର’।
ସ୍ୱର୍ଣଲତା ପତି
ସମ୍ବଲପୁର, ୮୪୮୦୪୮୮୫୨୭
709 total views, 1 views today
ବହୁତ ସୁନ୍ଦର ଅନୁଭୂତି Madam,ଭାଗ୍ୟରେ ଥିଲେ ଏ ଅନୁଭୂତି ମିଳେ ।
ଜୟ ଜଗନ୍ନାଥ