🧕ଓଡିଆ ଲୋକଗୀତରେ ଓଡ଼ିଆଣୀର ଚରିତ୍ର
ରସାନନ୍ଦ-ସତ୍ୟାନନ୍ଦ-ଦୁଃଖନାଶକ ସମାଜ ସୁଧାରକ ଲୋକଗୀତ ମଣିଷ ଜୀବନର ସ୍ୱତନ୍ତ୍ର ଅଭିବ୍ୟକ୍ତି। ଏହାର ଛନ୍ଦେ ଛନ୍ଦେ ବାଜିଉଠେ ଜୀବନର ସାମ୍ୟ ସଙ୍ଗୀତ।ଉନ୍ମୋଚିତ ହୁଏ ଜୀବନ ଚର୍ଯାର ରହସ୍ଯ।ଲୋକଗୀତ ହିଁ ଓଡ଼ିଆ ପଦ୍ୟସାହିତ୍ୟର ପ୍ରାଥମିକ ସୃଷ୍ଟି। ସଂସ୍କୃତ ସାହିତ୍ୟର ବେଦକୁ ଶୁଣି ଶୁଣି ମନେରଖୁଥିଲେ ଲୋକମାନେ। ସାଧାରଣ ଜନତା ଏହାର ସ୍ରଷ୍ଟା। ଲୋକ ମୁଖରୁ ଲୋକମୁଖକୁ ଲୋକସାହିତ୍ୟର ଗତି।
ଓଡ଼ିଆ ପଦ୍ୟସାହିତ୍ୟର ଆଦ୍ଯ ରଚନା ଭାବେ ଅଷ୍ଟମ-ନବମ ଶତାବ୍ଦୀରେ ରଚିତ ବୌଦ୍ଧଗାନ ଓ ଦୋହାକୁ ଆମେ ଗ୍ରହଣ କରୁ। ଦ୍ୱିଅର୍ଥବୋଧକ ଦୋହାରେ ଧର୍ମ ଓ ସାମାଜିକ ଚିତ୍ର ପ୍ରତିଫଳିତ କରିଥାନ୍ତି ଶବରୀପାଦ, ଲୁଇପା, କାହ୍ନୁପା ଆଦି ସାଧକଗଣ। ପରବର୍ତ୍ତୀ ନାଥସାହିତ୍ୟରୁ କ୍ରମୋନ୍ନତି ହୋଇ ଶାରଳା ସାହିତ୍ୟରେ ପ୍ରାମାଣିକ ଓଡ଼ିଆ ସାହିତ୍ୟର ପୂର୍ଣ୍ଣ ପରିଚୟ ମିଳିଥାଏ।
ଲୋକଗୀତ ମୌଖିକ ଭାବରେ ଭାବପ୍ରବଣତାର ମାଧ୍ଯମ ଥିଲା। ଓଡ଼ିଆ ସାହିତ୍ୟ, ବା ଇତିହାସରେ ଏହାର ସ୍ୱତନ୍ତ୍ର ଭୂମିକା ରହିଛି। ପୁରାତନ ସମାଜ ସମ୍ପର୍କରେ ଜାଣିବାପାଇଁ ଏହାର ସାହାୟ୍ଯ ନିଆଯାଇଥାଏ। ଲୋକସାହିତ୍ୟକୁ ମୁଖ୍ଯତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ପୁରୁଷ ବିଭାଗ କୁ ଛାଡି ନାରୀ ବିଭାଗ ଆଲୋଚନା କଲେ ଦେଖାଯାଏ ଏହାର ବିସ୍ତୃତ ଶାଖା। ଯେମିତି ରଜଦୋଳିଗୀତ, କୁମାରପୂନେଇ ପୁଚିଖେଳ, ବାହୁନା, ଓଷାଗୀତ, ମଙ୍ଗଳଗୀତ।ନିତିଦିନିଆ ଚଳନୀକୁ ନେଇ ନାନା କଥୋପକଥନକୁ ଛନ୍ଦାଛନ୍ଦି କରି ଗାଇ ନାରୀମାନେ ସମୟ କାଟୁଥିଲେ।ହଜାର ହଜାର ବର୍ଷ ପରେ ଯାହା ଆଜି ବି ଓଡ଼ିଆଙ୍କ ମୁଖରୁ ଶୁଣିଲେ, ଆଜିର ପରି ଲାଗେ। ଅଝଟିଆ ପିଲାକୁ ବୁଝାଇବା ପାଇଁ, ଖୁଆଇବା ପାଇଁ ଓ ଶୁଆଇବାଦି ସୁରୁଖୁରୁରେ କରିବା ପାଇଁ ମା’ମାନେ ଗାଇଉଠନ୍ତି🤱🏻–
“ଝୁଲ୍ ରେ ହାତୀ ଝୁଲ୍। କିଆ କନ୍ଦା ଖାଇ ଫୁଲ୍। ହାତୀ ଝୁଲୁଥାଇ ରାଜା ବଗିଚାରେ
କହ୍ନେଇ ଝୁଲଇ ମୋରି କୋଳରେ। “
–“ଆ’ ଜହ୍ନମାମୁଁ ଶରଗ ଶଶି। 🌕
ମୋ କାହ୍ନୁ ହାତରେ ପଡରେ ଖସି। “
–“ଧୋରେ ବାଇଆର ଧୋ
ଯେଉଁ କିଆରିରେ ଗହଳ ମାଣ୍ଡିଆ
ସେଇ କିଆରୀ ରେ ଶୋ।”
କୁମାର ପୂନେଇଁ ପୁଚିଖେଳରେ ଝିଅମାନେ ଗାଇଉଠନ୍ତି👭🏻👭🏻–
“ଗୋବର ଗଡିଆ କଉ,ଆମେ ଦି ଭଉଣୀ ପୁଚି ଖେଳୁଥିବୁ,ଝୁରିମରୁଥିବେ ବୋହୂ। “
–କଳା ବାଇଗଣ ଧଳା ବାଇଗଣ🍆 କାଟିଦେଲି ଗଉଣୀଏ
ମୋ ସାଙ୍ଗେ ଯିଏ ପୁଚିଖେଳିବ ମାରିଦେବି କହୁଣୀଏ। “
ମାଟି ଓ ଗଣପର୍ବ ରଜ ପିଠାପଣା ଓ ଦୋଳି ପାଇଁ ପ୍ରସିଦ୍ଧ। ଝିଅମାନେ ଦୋଳିରେ ଗାଆନ୍ତି–“ବନସ୍ତେ ଡାକିଲା ଗଜ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, 👑
ସୁନା ମୁକୁଟଲୋ ଦିଶୁଥାଏ ଝଟମଟ। ”
ସାଧାରଣ ପଡୋଶୀଙ୍କ କଥୋପକଥନରେ🌳 –“ପୋଖରୀ ହୁଡାରେ ଲଗାଇଲି ଓଉ,
ଓଉତକ ନେଇଗଲେ ସାହୁଘର ବୋହୂ। ” ଶାଶୁଠାରୁ ନିର୍ଯାତିତ ବୋହୂ ଟିକୁ ପଡୋଶୀ ଆକ୍ଷେପ କରନ୍ତି–“ବୋଇତି କଖାରୁ ଅନ୍ତି,
ଶାଶୁମଲେ ବୋହୂ କେମିତି କାନ୍ଦେଲୋ
ହିଁ ହିଁ ଘୋଡା ଗାଣ୍ଠି। “😄
–“ସଜନା ଗଛର ଛୁଇଁ,
ଦିଅର ଭାଉଜ ନିଅମ କଲେଲୋ,
ବିଲେଇ ଲାଙ୍ଗୁଡ ଛୁଇଁ। “
—–“କଦଳୀ ମୂଳ ପାଉଁଶ
ସବୁ ଟୋକାତକ ଗାତରେ ପଶ
ମାଇପେ ରଖିବେ ନିଶ। “
—-“ଲାଉ ଫୁଲ ଦାଉ ଦାଉ
ନିଜ ଘଇତାକୁ ଯୋଗୋନୀ ଖାଉ
ମଝିଆ ଦିଅର ଥାଉ”।
ଜାତିଗତ ଧନ୍ଦା ବା କାର୍ୟ୍ଯରେ ଜୀବନ ସଂଗ୍ରାମର ଗୀତ–
–“କୁମ୍ଭାର ଘର ବୋହୂ
ଝାଟିକି ନଗଲେ ମାଟିକି ଯାଉ। “
ପ୍ରଥମ ସାହିତ୍ୟ ଶୋକରୁ ସୃଷ୍ଟି ହେବାପରି ଲୋକ ଗୀତର ସୃଷ୍ଟି ନାରୀ ହିଁ ବୋଲିଥିବ ଅନୁମାନ କରାଯାଏ। —
“ପୁଅ ଜନ୍ମହୋଇ ଆସନ୍ତି ଫେରି
ମୋ ପାଇଁ ବାଜନ୍ତା ମଙ୍ଗଳ ତୂରୀ।
–“ନୂଆ ଅଣ୍ଟା ସୂତା ଭଉଁରୀ
ଏତିକିବେଳେ ଯାଆନ୍ତି ମରି
ଆସନ୍ତା ସବାରୀ ଯାଆନ୍ତା ଫେରି।” ” ଶାଶୁଘରକୁ ଯିବାବେଳେ ଝିଅ ଟିର ମନ କୋହରେ ଭର୍ତ୍ତି ହେଇଥାଏ। ବିଧିର ବିଧାନ ,କହିବାକୁ
ଚାରା ନାହିଁ। ମା’ପଣତରେ ଲୁହ ପୋଛୁ ପୋଛୁ ସେ ଗାଇଉଠେ–
“ଶାଶୁଘର ନୁହଁ ସେ ଯମପୁର ଲୋ ବୋଉ😭
କାହିଁକି କଲୁ ମୋତେ ସାତପର ଲୋ ବୋଉ
ଏନ୍ତୁଡ଼ିଶାଳରୁ ମାରି ନ ଦେଲୁ
କଂସପୁର ମୋତେ ପଠାଇଦେଲୁ ଲୋ ବୋଉ। “
–“ବଞ୍ଚିବା ଗଛକୁ କାଟି ଦେଉଛୁ ଲୋ ବୋଉ
ବାନ୍ଧିଲା ବାଛୁରୀ ମାରି ଦେଉଛୁ ଲୋ ବୋଉ
ଜନମ ବେଳରେ ଏନ୍ତୁଡ଼ିଶାଳରୁ,ତଣ୍ଟି କାଟି ଯାହା ନମାରିଲୁଲୋ ବୋଉ। “
ମା’ ଝିଅକୁ ବୁଝାନ୍ତି–“ଅଖ ଘୁରୁଥିଲେ ଚକ ଘୁରୁଥାଏ, ବୁଲିପଡୁଥାଏ ପହି।ସଂସାର ଭିତରେ ଘର କରିଥିେଲ ପଥର ପଡିଲେ ସହି। “🚗
ଗେଲବସରିଆ ଝିଅଟି ବାପାଠାରୁ ଦୂରେଇ ଅଭିମାନରେ ଗାଇଉଠେ–
“କେଡେ ସରାଗରେ ବଢେଇ ଥିଲହେ ବାପା
ଏତେ ଦୂର ଏବେ ପଠାଇଦେଲ ହେବାପା। “
ସନ୍ଧ୍ଯା ଆଳତୀରେ ଓଡ଼ିଆଣୀ ବୋହୂଟି ତୁଳସୀଚଉରାମୂଳେ ଦୁଃଖ ଜଣାଏ–“ମା’ ଲୋ ଦୟା କରିଥିବୁଟି ମୋତେ
କୋଳକୁ ସୁଖ ପେଟକୁ ଭାତ
ଦୀର୍ଘାୟୁ ହୋଇବ ବର
ଧନ ଜନରେ ଗୋ ଖେଳୁଥିବି ଏତିକି ସୁଦୟା କର। “
ନ ଅରୀ- ନାରୀଟିଏ ସମସ୍ତଙ୍କୁ ଆପଣେଇ ନିଜ ସୁଖକୁ ଜଳାଞ୍ଜଳି ଦେଇ ପରିବାର ଓ ସମାଜର ମଙ୍ଗଳ କରିଥାଏ। ତଥାପି ବେଡି ଉପରେ କୋରଡା ପରି ତା’ଉପରେ କୁତ୍ସାରଟନା କରନ୍ତି ଶାଶୁ, ନଣନ୍ଦଓ ଗାଁ ମାଇପମାନେ।
—“କଇଁଚ କାଢିଲା ବେକଲୋ,ବଗବଗଲୀଙ୍କୁ ଟିକେ ଦେଖ। “
–“ପୁଞ୍ଜି ପଇଡ ପୁଞ୍ଜି ପଇଡ
ଭାସି ଯାଉଥିଲୁ ମଝି ନଈର
ଧରି ଆଣିଥିଲି ତୋତେ,
ଟାକୁଆ ଗାଲରେ ମାଉଁସ ଲାଗିଲା
ଜବାବ ଦେଉଛୁ ମୋତେ। “😡
ସ୍ୱାମୀ ଅତ୍ଯାଚାରିତା ନାରୀ ମନରେ ବା କି ସୁଖ? ଗୁମୁରି ଗୁମୁରି କାନ୍ଦିଉଠେ–“
ରାତିରେ ରାନ୍ଧିଲି ପୋଇ ଚିଙ୍ଗୁଡି ଲୋ
ଦିନରେ ରାନ୍ଧିଲି ବଡିଶ୍ରୀରାମ ପାଖକୁ ଶୋଇବାକୁ ଗଲି
ଗୋଡ ଘେନି ଦେଲେ ପେଲି। “
ଯୋଗ୍ୟ-ଅଯୋଗ୍ୟର ସ୍ୱୀକୃତିକୁ ନେଇ-
-“ଅସତୀ ଭୁଞ୍ଜଇ ପଲଙ୍କ ସୁପାତି, କୁଳବତୀ ହୁଏ ଦାସୀ😫
ସାଇ ସାଇ ବୁଲଇ ଗୋରସ, ମଦବିକାଯାଏ ବସି। “
ଦୂର ଶାଶୁଘରେ ବୋହୂଟି ବାପଘରକୁ ଝୁରିହୁଏ–
–“ବାଡି ଗଡିଆରେ ଚେଇଁ ଗଡିଶା
ଆଉ କି ଦେଖିବି ସାଇ ପଡିଶା। “
–“-ହୁଅନ୍ତି ମୁଁ କାକର ପକ୍ଷୀ
ଜନନୀକୁ ଥରେ ଆସନ୍ତି ଦେଖି
ସଫଳ ହୁଅନ୍ତା ଆଖି। “
ଏହିପରି ଅସଂଖ୍ଯ ଓଡିଆ ଲୋକଗୀତ ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି।ହଜାର ହଜାର ବର୍ଷର, ପୂର୍ବ ପୁରୁଷ ଙ୍କ ଅମୂଲ୍ଯ ଦାନକୁ ଆମେ ବିସ୍ତୃତ ହେବାକୁ ଦେବନାହିଁ। ଏହାକୁ ସାଇତି ରଖିବା ପ୍ରତ୍ୟେକ ଓଡିଆର କର୍ତ୍ତବ୍ଯ।
ସ୍ୱର୍ଣ୍ଣଲତା ପତି
ସମ୍ବଲପୁର, ୮୪୮୦୪୮୮୫୨୭
539 total views, 1 views today